Image Courtesy of JK Media
ୱାସିଂଟନ୍: ମନେହୁଏ ଦେଶପାଇଁ ଆତ୍ମବଳି ଦେଇଥିବା ସୈନିକମାନଙ୍କ ପ୍ରତି ସ୍ବୀକାରୋକ୍ତି ଦେବାକୁ ଚୀନ୍ ଅନାଗ୍ରହୀ। ସେଥିପାଇଁ ଗଲ୍ୱାନ୍ ସଂଘର୍ଷରେ ନିହତ ସୈନିକମାନଙ୍କର ସମାଧି ନ କରିବା ଏବଂ ବ୍ୟକ୍ତିଗତ ଅେନ୍ତ୍ୟଷ୍ଟିକ୍ରିୟା ଆୟୋଜନ ନ କରିବାକୁ ସେମାନଙ୍କ ପରିବାରବର୍ଗଙ୍କ ଉପରେ ଚାପ ପକାଉଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ଗୁଇନ୍ଦା ରିପୋର୍ଟ ଏକଥା କହୁଥିବା ଜଣାପଡ଼ିଛି।
ଗୁଇନ୍ଦା ରିପୋର୍ଟ ଅନୁସାରେ, ଗଲ୍ୱାନ୍ ସଂଘର୍ଷରେ ଆପଣାର ପ୍ରିୟଜନଙ୍କୁ ହରାଇଥିବା ଶୋକାତୁର ଚୀନ୍ ପରିବାରବର୍ଗଙ୍କ ପ୍ରତି ଚୀନ୍ ସରକାର ଦୁର୍ବ୍ୟବହାର କରୁଛନ୍ତି। ଏହି ସଂଘର୍ଷରେ କେହି ମରିଛନ୍ତି ବୋଲି ପ୍ରଥମେ ଚୀନ୍ ସରକାର ଅସ୍ବୀକାର କରିଥିଲେ। ଏବେ ନିହତ ସୈନିକମାନଙ୍କର ସମାଧି କରାଇବାକୁ ମନାକରୁଛନ୍ତି। ନିଜର ଭୁଲ୍ ଲୁଚାଇବାକୁ ବେଜିଙ୍ଗ୍ ଏ ଭଳି କରୁଛି।
Image Courtesy of NDTVଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗଲ୍ୱାନ୍ ସଂଘର୍ଷରେ ମାତ୍ର ଚାରିଜଣ ସୈନିକ ମରିଥିବା କଥା ଚୀନ୍ ସରକାର ସ୍ବୀକାର କରିଥିଲେ। କିନ୍ତୁ, ଭାରତୀୟ ସେନା ଆକଳନ କରୁଛି ଯେ, ପ୍ରାୟ ୪୩ଜଣ ଚୀନ୍ ସୈନିକ ଏହି ସଂଘର୍ଷରେ ମରିଛନ୍ତି।
ଆମେରିକୀୟ ଗୁଇନ୍ଦା ବିଶ୍ବାସ କରୁଛି ଯେ, ଏହି ସଂଘର୍ଷରେ ୩୫ ଜଣ ଚୀନ୍ ସୈନିକ ନିହତ ହୋଇଛନ୍ତି। ଚୀନ୍ର ବେସାମରିକ ବ୍ୟାପାର ମନ୍ତ୍ରାଳୟ ଗଲ୍ୱାନ ଉପତ୍ୟକା ସଂଘର୍ଷରେ ନିହତ ସୈନିକମାନଙ୍କ ପରିବାରବର୍ଗଙ୍କୁ କହିଛି ଯେ, ସେମାନେ ପାରମ୍ପରିକ ଅନ୍ତ୍ୟେଷ୍ଟିକ୍ରିୟା କଥା ଭୁଲି ଯାଇ ଶବ ସଂସ୍କାର କରନ୍ତୁ। ଏଥିରେ ବ୍ୟକ୍ତିଗତ ଭାବେ କେହି ଯୋଗ ଦିଅନ୍ତୁ ନାହିଁ।
କରୋନାଭାଇରସ୍ ସଂକ୍ରମଣର ସତର୍କତା ପାଇଁ ସରକାର ଏଭଳି କହିଥିବା କଥା ବାହାରକୁ ଜଣାପଡୁଥିଲେ ବି, ପ୍ରକୃତରେ ଚୀନ୍ ସରକାର ଦୋଷ ଲୁଚାଇବାକୁ ଏ ଭଳି କହୁଥିବା କଥା ଜଣାପଡୁଛି।
Follow Us