Image Courtesy of BBC
ନୂଆଦିଲ୍ଲୀ: ପଶ୍ଚିମ ଜିନ୍ଜିଆଙ୍ଗ୍ ଅଞ୍ଚଳରେ ଉଇଘୁର ମୁସଲିମ୍ ସମ୍ପ୍ରଦାୟଙ୍କ ସଂଖ୍ୟା ସୀମିତ ରଖିବାକୁ ଚୀନ୍ ସେମାନଙ୍କ ମହିଳାମାନଙ୍କୁ ବନ୍ଧ୍ୟା କରିବାକୁ କିଂବା ଜନ୍ମନିୟନ୍ତ୍ରଣ ଉପକରଣ ଲଗାଇବାକୁ ବାଧ୍ୟ କରୁଥିବା କଥା ଜୁନ୍ ୨୯ ତାରିଖରେ ପ୍ରକାଶିତ ଏକ ନୂତନ ଅନୁଧ୍ୟାନରୁ ଜଣାପଡ଼ିଛି।
ଚୀନ୍ ବିଶେଷଜ୍ଞ ଆଡ୍ରିଆନ୍ ଜେଞ୍ଜ୍ଙ୍କ ପ୍ରସ୍ତୁତ ଏହି ରିପୋର୍ଟରେ ଉଲ୍ଲେଖ ଅଛି, ୨୦୧୫ ରୁ ୨୦୧୮ ମଧ୍ୟରେ ଜିନ୍ଜିଆଙ୍ଗ୍ ଅନ୍ତର୍ଗତ ଦୁଇ ବୃହତ୍ ଉଇଘୁର ଜିଲ୍ଲାରେ ଜନସଂଖ୍ୟା ବୃଦ୍ଧିହାର ନାଟକୀୟ ଭାବେ ୮୪% ହ୍ରାସ ପାଇଛି। ୨୦୧୯ରେ ଏହି ବୃଦ୍ଧିହାର ଆହୁରି ମଧ୍ୟ ହ୍ରାସ ପାଇଛି ବୋଲି ସୂଚନା ରହିଛି । ପରିବାର ନିୟୋଜନ କାର୍ଯ୍ୟକ୍ରମ ଜରିଆରେ ଏହା ହାସଲ ହୋଇପାରିଛି। ଗ୍ରାମୀଣ ଉଇଘୁର ଅଞ୍ଚଳରେ ଚୀନ୍ ମହିଳା ଗଣବନ୍ଧ୍ୟାକରଣ ଅଭିଯାନ ପାଇଁ ଯୋଜନା କରୁଛି। ଏଥିରେ ପିଲାଜନ୍ମ କରିବା ବୟସର ମହିଳାମାନଙ୍କ ମଧ୍ୟରୁ ୧୪ ରୁ ୩୪ ପ୍ରତିଶତଙ୍କୁ ବନ୍ଧ୍ୟା କରାଯିବାର ଲକ୍ଷ୍ୟ ରହିଛି। ଯେଉଁମାନଙ୍କର ଦୁଇ ତିନିଟି ପିଲା ଅଛନ୍ତି ସେମାନଙ୍କୁ ଏହି ଅଭିଯାନରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।
Image Courtesy of Gulf Newsଉଇଘୁର ଏବଂ ଅନ୍ୟ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ପାଇଁ ଲାଗୁ କରାଯାଇଥିବା ବାଧ୍ୟତାମୂଳକ ଜନସଂଖ୍ୟା ନିୟନ୍ତ୍ରଣ ବ୍ୟବସ୍ଥାକୁ ଯୁକ୍ତରାଷ୍ଟ୍ର ଆମେରିକା ନିନ୍ଦା କରିଛି ଓ ଚାଇନିଜ୍ କମ୍ୟୁନିଷ୍ଟ୍ ପାର୍ଟିକୁ ଏହି ଦମନ ଅଭିଯାନ ବନ୍ଦ କରିବାକୁ କହିଛି। ଆମେରିକାର ବୈଦେଶିକ ସଚିବ ମାଇକ୍ ପମ୍ପିଓ ସୋମବାର ଦିନ ଟୁଇଟ୍ କରି କହିଛନ୍ତି, ଆଜି ଆମେ କ’ଣ କରୁଛୁ ଇତିହାସ ତା’ର ବିଚାର କରିବ। କିନ୍ତୁ, ବେଜିଙ୍ଗ୍ କହିଛି ଯେ, ଧାର୍ମିକ ମୌଳବାଦ ଓ ଆତଙ୍କବାଦ ହ୍ରାସ କରିବାକୁ ଏହି ଶିବିର ଅପରିହାର୍ଯ୍ୟ।
Follow Us