ନୂଆଦିଲ୍ଲୀ : ଲଦାଖର ଗଲୱାନ ଘାଟିରେ ଚୀନ ସେନା ଭାରତର ୪୨୩ ମିଟର ଭିତରକୁ ପଶି ଆସିଛି। ଉପଗ୍ରହ ଚିତ୍ରରୁ ଏହି ତଥ୍ୟ ଏବେ ପଦାକୁ ଆସିଛି। କେବଳ ସେତିକି ନୁହେଁ, ଏହି ଅଞ୍ଚଳ ଭିତରେ ଚୀନ୍ ୧୬ଟି ଟେଣ୍ଟ ଓ ତାରପୋଲିନ୍ ପକାଇଛି। ଗୋଟିଏ ବିରାଟ ବିଶ୍ରାମସ୍ଥଳୀ ନିର୍ମାଣ କରିଛି। ଏଥିସହିତ ଏହି ଅଞ୍ଚଳରେ ଚୀନର ଅତିକମ୍ରେ ୧୪ଟି ଗାଡ଼ି ବୁଲୁଛି।
୧୯୬୦ ମସିହାରେ ଚୀନ ତାହାର ସୀମାକୁ ନେଇ ଯେଉଁ ଦାବି କରିଥିଲା ତାହାର ୪୨୩ ମିଟର ଭିତରକୁ ପଶି ଆସିଛି। ଘରୋଇ ଟିଭି ଚ୍ୟାନେଲ ଏନଡିଟିଭିର ହସ୍ତଗତ ହୋଇଥିବା ଉଚ୍ଚ କ୍ଷମତାସମ୍ପନ୍ନ ଉପଗ୍ରହ ଚିତ୍ରରୁ ଏହା ଜଣାଯାଇଛି। ଜୁନ ୨୫ ସୁଦ୍ଧା ଭାରତ ସୀମାରେ ଚୀନର ଏହିସବୁ ନିର୍ମାଣ ଏବଂ ଗାଡ଼ି ଥିବା ପ୍ରମାଣ ମିଳିଛି। ତେବେ ଏସଂପର୍କରେ ଭାରତ ସରକାରଙ୍କ ପକ୍ଷରୁ କିଛି କୁହାଯାଇ ନାହିଁ।
ଗଲୱାନ ଘାଟି ନିକଟରେ ଭାରତ ଏହାର ସୀମା ସମ୍ପର୍କରେ ୧୯୬୦ ମସିହାରେ ଯେଉଁ ଦାବି କରିଥିଲା ତାହାର ଅକ୍ଷାଂଶ ଓ ଦ୍ରାଘିମା ସମ୍ପକରେ ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତ ପୁସ୍ତକ ‘ରିପୋର୍ଟ ଅଫ୍ ଦି ଅଫିସିଆଲ୍ସ ଅଫ୍ ଦି ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆଣ୍ଡ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚୀନ୍ ଅନ୍ ଦି ବାଉଣ୍ଡାରି କ୍ବେଶ୍ବିନ’ରେ ଉଲ୍ଲେଖ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ରିପୋର୍ଟ ୧୯୬୦-୬୧ ମସିହାରେ ପ୍ରକାଶ ପାଇଥିଲା। ଏଥିରେ ଭାରତ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନ ଏବଂ ଚୀନ ପକ୍ଷରୁ ଦିଆଯାଇଥିବା ଉତ୍ତର ସମ୍ପର୍କରେ ଉଲ୍ଲେଖ ରହିଛି। ଏଥିରେ ଗଲୱାନ ନଦୀ ସମ୍ପର୍କରେ କୁହାଯାଇଛି। ଗଲୱାନ ନଦୀ ନିକଟରେ ଚୀନ ସୀମା ୭୮ ଡିଗ୍ରି ୧୩ ମି. ପୂର୍ବ ଅକ୍ଷାଂଶ ଓ ୩୪ ଡିଗ୍ରି ୪୬ ମି. ଉତ୍ତର ଦ୍ରାଘିମା ଦେଇ ଯାଇଛି।
Follow Us