ଆମେରିକା ଗୁଇନ୍ଦା ସୂଚନା ତୱାଙ୍ଗରେ ଚୀନ୍ ଅନୁପ୍ରବେଶ ପଣ୍ଡ କରିଥିଲା

Advertisment
ଆମେରିକା ଗୁଇନ୍ଦା ସୂଚନା ତୱାଙ୍ଗରେ ଚୀନ୍ ଅନୁପ୍ରବେଶ ପଣ୍ଡ କରିଥିଲା

ନୂଆଦିଲ୍ଲୀ: ଏକ ନୂଆ ରିପୋର୍ଟ ଅନୁଯାୟୀ ଗତ ଡିସେମ୍ବର ମାସରେ ଅରୁଣାଚଳପ୍ରଦେଶର ତୱାଙ୍ଗଠାରେ ଚୀନ୍‌ର ଅନୁପ୍ରବେଶ ଉଦ୍ୟମକୁ ଭାରତ ଟାଳିବାରେ ସଫଳ ହୋଇଥିଲା କେବଳ ଆମେରିକାର ଗୁଇନ୍ଦା ସୂଚନା ଯୋଗୁ। କିନ୍ତୁ ଭାରତ ଓ ଆମେରିକା ଭିତରେ ଏହି ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ବିଷୟରେ ଆଗରୁ ରିପୋର୍ଟ କରାଯାଇ ନ ଥିଲା।

ଆମେରିକାର ଏକ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ଆମେରିକାର ସରକାରୀ ଅଧିକାରୀମାନେ ପ୍ରଥମ ଥର ପାଇଁ ଭାରତୀୟ ପ୍ରତିପକ୍ଷମାନଙ୍କ ପାଖକୁ ଚୀନ୍‌ର କାର୍ଯ୍ୟକଳାପ ବିଷୟରେ ରିୟଲ-ଟାଇମ୍ (ସମୟକୁ ସମୟ) ବିବରଣୀ ଆଗତୁରା ପଠାଉଥିଲେ। ‘ସେମାନେ ଛକିଛନ୍ତି, ତୁମ୍ଭେମାନେ ପ୍ରସ୍ତୁତ ଥାଅ’ ବୋଲି ଆମେରିକା ଅଧିକାରୀମାନେ ଭାରତକୁ ଜଣାଉଥିଲେ। ଭାରତୀୟ ସେନା ପ୍ରସ୍ତୁତ ରହିବାରୁ ଚୀନ୍‌ ଅନୁପ୍ରବେଶ ଉଦ୍ୟମକୁ ସହଜରେ ପଣ୍ଡ କରିପାରିଲା। ଅବଶ୍ୟ ଗତ ଡିସେମ୍ବର ୯ ତାରିଖରେ ୟାଙ୍ଗତସେଠାରେ ଦୁଇ ଦେଶର ସୀମା ସୈନିକଙ୍କ ଭିତରେ ହାତାହାତି ହୋଇଥିଲା। କିନ୍ତୁ ଭାରତୀୟ ସୈନ୍ୟମାନେ ଚୀନ୍ ସୈନିକଙ୍କୁ ତଡ଼ିଦେଇପାରିଥିଲେ। ଏଥିରେ କାହାରି ମୃତ୍ୟୁ ହୋଇ ନ ଥିଲା କିମ୍ବା କେହି ଗୁରୁତର ଆହତ ହୋଇ ନ ଥିଲେ।

୨୦୨୨ ଡିସେମ୍ବର ୯ ତାରିଖରେ ଏଲ୍‌ଏସି ନିକଟରେ ତୱାଙ୍ଗ ସେକ୍ଟରର ୟାଙ୍ଗତସେଠାରେ ପିଏଲ୍‌ଏ ସୈନିକମାନେ ଅନୁପ୍ରବେଶ କରି ସ୍ଥିତାବସ୍ଥାରେ ଏକପାଖିଆ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ସେମାନେ ସୁଚିନ୍ତିତ ଉପାୟରେ ଏହି ଯୋଜନା କରିଥିଲେ। କିନ୍ତୁ ଆମେରିକାର ଗୁଇନ୍ଦା ତଥ୍ୟ ପ୍ରଦାନ ଯୋଗୁ ଭାରତ ତାକୁ ବିଫଳ କରିଦେଇଥିଲା। ଦୁଇ ଦେଶ ଭିତରେ ମିଲିଟାରି-ଟୁ-ମିଲିଟାରି ଗୋଇନ୍ଦା ତଥ୍ୟ ଆଦାନପ୍ରଦାନ ପାଇଁ ଏହା ସଫଳତାର ଏକ ‘ଟେଷ୍ଟ କେସ୍’ ବୋଲି କୁହାଯାଉଛି। ୟୁଏସ୍ ନ୍ୟୁଜ୍ ଅନୁସାରେ ଆମେରିକା ଯେଉଁ ଗୋଇନ୍ଦା ତଥ୍ୟ ପଠାଇଥିଲା, ତା’ ଭିତରେ ଥିଲା ସାଟେଲଇଟ୍‌ରୁ ପ୍ରାପ୍ତ ଚିତ୍ର। ଏଥିରୁ ଚୀନ୍‌ ସେନାଙ୍କ ଗତିବିଧି ବିଷୟରେ ସ୍ପଷ୍ଟ ଜଣାପଡ଼ିଯାଉଥିଲା। ଆଗରୁ ଆମେରିକା ଭାରତୀୟ ସେନା ପାଖକୁ ଯେତେ ତଥ୍ୟ ପଠାଇଥିଲା, ତାହା ତୁଳନାରେ ଏହା ଅତି ଶୀଘ୍ର ଓ ପୁଙ୍ଖାନୁପୁଙ୍ଖ ବିବରଣୀଯୁକ୍ତ ଥିଲା। ଦୁଇ ଦେଶର ସାମରିକ ସହଯୋଗ ଏହିପରିଭାବେ ଭାରତ ପାଇଁ ସହାୟକ ହୋଇପାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe