Image Courtesy of Zee News
ନୂଆଦିଲ୍ଲୀ: ଚୀନ୍ ନୈତିକ ଦାୟିତ୍ବ ବହନ କରିବାରେ ବିଫଳ ହୋଇଛି ବୋଲି ରବିବାର ଦିନ ଚୀନା ରକେଟ୍ ‘ଲଙ୍ଗ୍ ମାର୍ଚ ଫାଇଭ୍-ବି’ର ଭଗ୍ନାବଶେଷ ଭାରତ ମହାସାଗରରେ ଖସିବାର କିଛି ସମୟ ପରେ ‘ନ୍ୟାସ୍ନାଲ୍ ଏରୋନଟିକ୍ସ୍ ଆଣ୍ଡ୍ ସ୍ପେସ୍ ଆଡ୍ମିନିଷ୍ଟ୍ରେସନ୍’ (ନାସା) କହିଛି।
ଏକ ଆନୁଷ୍ଠାନିକ ବିବୃତିରେ ଯୁକ୍ତରାଷ୍ଟ୍ର ଆମେରିକାସ୍ଥିତ ‘ନାସା’ର ପ୍ରଶାସକ ବିଲ୍ ନେଲ୍ସନ୍ କହିଛନ୍ତି ଯେ, ମହାକାଶକୁ ରକେଟ୍ ଉତ୍କ୍ଷେପଣ କରୁଥିବା ଦେଶମାନେ ପୃଥିବୀରେ ଥିବା ଲୋକ ଓ ସମ୍ପଦ ପ୍ରତି ଥିବା ବିପଦକୁ ଯଥା ସମ୍ଭବ କମ୍ କରିବା ଆବଶ୍ୟକ। ବିଶେଷକରି, ସେମାନଙ୍କଦ୍ବାରା ଉତ୍କ୍ଷେପିତ ମହାକାଶୀୟ ସାମଗ୍ରୀ ସବୁ ପୁନର୍ବାର ପୃଥିବୀ ପୃଷ୍ଠକୁ ଖସିବା ବେଳେ ଏ ଭଳି ସତର୍କତା ଲୋଡ଼ା। ଏହାଛଡ଼ା, ମହାକାଶକୁ ରକେଟ୍ ଆଦି ଉତ୍କ୍ଷେପଣ କରୁଥିବା ଦେଶମାନେ ସେମାନଙ୍କ ଅଭିଯାନ ସଂକ୍ରାନ୍ତରେ ସମସ୍ତଙ୍କୁ ସ୍ପଷ୍ଟ ସୂଚନା ଦେବା ଆବଶ୍ୟକ।
Image Courtesy of The Tribune‘ନାସା’ କହିଛି, ମହାକାଶ ଆବର୍ଜନା ପରିଚାଳନାରେ ଚୀନ୍ ଦାୟିତ୍ବବାନ ହୋଇ ପାରୁ ନ ଥିବା ଏଥିରୁ ସ୍ପଷ୍ଟ ହୋଇଯାଇଛି। ଆମର ମହାକାଶୀୟ କାର୍ଯ୍ୟକଳାପର ନିରାପତ୍ତା, ସ୍ଥାୟୀତ୍ବ, ସୁରକ୍ଷା ଏବଂ ଦୀର୍ଘାୟୁଷ ନିମନ୍ତେ ଚୀନ୍ ତଥା ସମସ୍ତ ମହାକାଶ-ଉତ୍କ୍ଷେପଣକାରୀ ଦେଶ ଏବଂ ସଂସ୍ଥାନ ଦାୟିତ୍ବବାନ ଏବଂ ସୁସ୍ପଷ୍ଟ ଭାବେ କାର୍ଯ୍ୟ କରିବା ଉଚିତ।
ହାର୍ଭାଡ୍ ବିଶ୍ବବିଦ୍ୟାଳୟର ଜ୍ୟୋତିର୍ବିଜ୍ଞାନୀ ଜନାଥନ୍ ମ୍ୟାକ୍ଡୋଏଲ୍ ଗଣମାଧ୍ୟମକୁ କହିଛନ୍ତି, ନ୍ୟୁୟର୍କର ଉତ୍ତରରୁ ଆରମ୍ଭ କରି ମାର୍ଡିଡ୍ କିଂବା ବେଜିଙ୍ଗ୍ ତଥା ଦକ୍ଷିଣ ଚିଲି ଏବଂ ୱେଲିଙ୍ଗ୍ଟନ୍ରେ ଉକ୍ତ ରକେଟ୍ର ଭଗ୍ନାବଶେଷ ଖସିପଡ଼ିବାର ଆଶଙ୍କା ଥିଲା।
ସୂଚନାଯୋଗ୍ୟ, ୧୯୭୯ ଜୁଲାଇରେ ‘ନାସା’ର ମହାକାଶ କେନ୍ଦ୍ର ‘ସ୍କାଇଲ୍ୟାବ୍’ ଏକ ବିଶାଳ ଖଣ୍ଡ କକ୍ଷପଥଚ୍ୟୁତ ହୋଇ ଅଷ୍ଟ୍ରେଲିଆରେ ଖସିବା ଦିନରୁ ଅଧିକାଂଶ ଦେଶ ଏହି ପ୍ରକାରର ଅନିୟନ୍ତ୍ରିତ ମହାକାଶଯାନର ଧ୍ବଂସାବଶେଷ ପତ୍ତନ ଏଡ଼ାଇବାକୁ ଚାହୁଁଛନ୍ତି।
Follow Us