ଚନ୍ଦ୍ରର ପଛ ପାଖରେ ଅବତରଣ ଲାଗି ଚୀନ୍‌ ପ୍ରେରଣ କଲା ରୋଭର୍‌

Advertisment
ଚନ୍ଦ୍ରର ପଛ ପାଖରେ ଅବତରଣ ଲାଗି ଚୀନ୍‌ ପ୍ରେରଣ କଲା ରୋଭର୍‌

ବେଜିଙ୍ଗ୍‌: ଚନ୍ଦ୍ରର ଅପରପାର୍ଶ୍ୱ ବା ପୃଥିବୀ ପଟକୁ ଦିଶୁ ନ ଥିବା ଅନ୍ଧକାର ପାର୍ଶ୍ୱରେ ଅବତରଣ କରାଇବାକୁ ଶନିବାର ପ୍ରତ୍ୟୁଷରେ ଚୀନ୍‌ ଏକ ରୋଭର ଉତ୍‌କ୍ଷେପଣ କରିଛି। ସ୍ପେସ୍‌ ସୁପର ପାଓ୍ଵାର ହେବା ନିମନ୍ତେ ଏହା ବେଜିଙ୍ଗ୍‌ର ଅଭିଳାଷ ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ ପ୍ରକାଶ କରିଛି।

ଚୀନ୍‌ ପୁରାଣ ବର୍ଣ୍ଣିତ ଚନ୍ଦ୍ରଦେବୀଙ୍କ ନାମାନୁସାରେ ନାମିତ ‘ଚାଙ୍ଗ୍‌’ଏ- ଫୋର୍‌ ଲୁନାର୍‌ ପ୍ରୋବ୍‌ ମିସନ୍‌’କୁ ରାତି ୨:୨୩ ମିନିଟ୍‌ ସମୟରେ ଦକ୍ଷିଣପଶ୍ଚିମ ଜିଚାଙ୍ଗ୍‌ ଉତ୍‌କ୍ଷେପଣ କେନ୍ଦ୍ରରୁ ଲଙ୍ଗ୍‌ ମାର୍ଚ ଥ୍ରିବି ରକେଟ୍‌ରେ ପ୍ରେରଣ କରାଯାଇଛି।

ଚନ୍ଦ୍ରର ଅମଡ଼ା ଅଞ୍ଚଳରେ ଗବେଷଣା କରିବାକୁ ‘ଚାଙ୍ଗ୍‌’ଏ-ଫୋର୍‌’ ମିସନ୍‌ ନୂଆବର୍ଷ ପାଖାପାଖି ଚନ୍ଦ୍ରରେ ଅବତଣ କରିବ।

ଅଭିଯାନର ମୁଖ୍ୟ ଚୀନ୍‌ ଏରୋସ୍ପେସ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଟେକ୍ନୋଲଜି କର୍ପୋରେସନର କମାଣ୍ଡର୍‌ ହେ ରୋଙ୍ଗ୍‌େଓ୍ଵଇ କହିଛନ୍ତି: ଚନ୍ଦ୍ରର ଅପରପାର୍ଶ୍ୱ ଆବିଷ୍କାର କରିବା ନିମନ୍ତେ ‘ଚାଙ୍ଗେ’ଏ-ଫୋର୍‌’ ହେଉଛି ମାନବଜାତିର ପ୍ରଥମ ଅନୁସନ୍ଧାନ ଅଭିଯାନ।

ଚନ୍ଦ୍ରର ଗୋଟିଏ ପାର୍ଶ୍ୱ ସର୍ବଦା ପୃଥିବୀ ପୃଷ୍ଠକୁ ଦେଖାଯାଏ। ଏ ପାଖରେ ବହୁ ସମତଳ ଅଞ୍ଚଳ ଥିବା ବେଳେ ଅପରପାର୍ଶ୍ୱର ପୃଷ୍ଠ ବନ୍ଧୁର ବୋଲି କୁହାଯାଉଛି।

publive-image

୧୯୫୯ ମସିହରେ ସୋଭିଏତ୍‌ ଦେଶ ପ୍ରଥମେ ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱର ଫଟୋ ଉତ୍ତୋଳନ କରି ଏହାର ପୃଷ୍ଠ ପାହାଡ଼ିଆ ବୋଲି ଜଣାଇଥିଲା।
ସେଠାକୁ ଏ ପର୍ଯ୍ୟନ୍ତ କୌଣସି ଲ୍ୟାଣ୍ଡର୍‌ କି, ରୋଭର୍‌ ଯାଇ ନ ଥିବା ବେଳେ ଚୀନ୍‌ ପ୍ରଥମ କରି ସେ ଅଞ୍ଚଳ ଆବିଷ୍କାର କରିବାକୁ ଉଦ୍ୟମ କରିଛି।

ବୈଷୟିକ ଭାବେ ଏହି ରୋଭର୍‌ ନିର୍ମାଣ ସହଜ ସାଧ୍ୟ ନ ଥିଲା। ବର୍ଷ ବର୍ଷ ଧରି ଚୀନ୍‌ ଏଥି ପାଇଁ ପସ୍ତୁତି ଚଳାଇ ଆସୁଥିଲା।

ଏହି ଅଭିଯାନର ମୁଖ୍ୟ ଚାଲେଞ୍ଜ୍‌ ହେଲା ରୋବଟିକ୍‌ ଲ୍ୟାଣ୍ଡର୍‌ ସହ ଯୋଗସୂତ୍ର ସ୍ଥାପନ କରିବା। କାରଣ ଚନ୍ଦ୍ରର ସେ ପାର୍ଶ୍ୱ ପୃଥିବୀରୁ ଓଲଟା ପଟରେ ଥାଏ ଏବଂ ସେଠାକୁ ସଙ୍କେତ ପ୍ରେରଣ କରିବା ସମ୍ଭବ ନୁହେଁ।

ପୁଣି ‘ଚାଙ୍ଗ୍‌’ଏ-ଫୋର୍‌’କୁ ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଏଇଟ୍‌କେନ୍‌ ବେସିନ୍‌କୁ ପଠାଯାଇଛି।

ଚୀନ୍‌ ଗଣମାଧ୍ୟ ରିପୋର୍ଟ ଅନୁସାରେ ଏଥି ସହ ଚନ୍ଦ୍ରରେ ଆଳୁ ଏବଂ ଅନ୍ୟାନ୍ୟ ମଞ୍ଜି ରୋପଣ କରାଯିବା ପାଇଁ ମଧ୍ୟ ଗବେଷଣା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe