ଭାରତରେ ଦଲାଇଲାମାଙ୍କ ଜନ୍ମଦିନ ପାଳନକୁ ଚୀନର ବିରୋଧ

Advertisment

ଚୀନ ସେନା ଓ ନାଗରିକମାନେ ଗାଡ଼ିରେ ଆସି ପତାକା ଉଡ଼ାଇଲେ

ଚୀନ ସେନା ଓ ନାଗରିକମାନେ ଗାଡ଼ିରେ ଆସି ପତାକା ଉଡ଼ାଇଲେ

ଭାରତରେ ଦଲାଇଲାମାଙ୍କ ଜନ୍ମଦିନ ପାଳନକୁ ଚୀନର ବିରୋଧ

Tibetan Journal

ନୂଆଦିଲ୍ଲୀ: ଭାରତରେ ତୀବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କ ଜନ୍ମଦିନ ପାଳନକୁ ଚୀନ ପକ୍ଷରୁ ବିରୋଧ କରାଯାଇଛି। ଚୀନ ସେନାର ଯବାନ ଏବଂ ନାଗରିକମାନେ ଲଦାଖର ଡେମଚୁକ୍‌କୁ ଆସି ସେଠାରେ ଚୀନ ପତାକା ଓ ପ୍ଲାକାର୍ଡ ଉଡ଼ାଇ ଏହାର କଡ଼ା ବିରୋଧ କରିଛନ୍ତି। ଡେମଚୁକ୍ ଅଞ୍ଚଳରେ ସିନ୍ଧୁ ନଦୀର ଅପରପାର୍ଶ୍ବରେ ସେମାନେ ଏଭଳି କାଣ୍ଡ ଭିଆଇଛନ୍ତି। ଏଠାକାର ଲୋକମାନେ ଦଲାଇ ଲାମାଙ୍କ ଜନ୍ମଦିନ ଗତ ୬ ତାରିଖରେ ପାଳନ କରିଥିଲେ। ତାହାପରେ ଚୀନ ସେନାର ଯବାନ ଏବଂ ନାଗରିକମାନେ ୫ଟି ଗାଡ଼ିରେ ଆସି ତାଙ୍କ ଦେଶର ପତାକା ଉଡ଼ାଇ ପ୍ରତିବାଦ କରିଛନ୍ତି। ଦଲାଇ ଲାମାଙ୍କ ଜନ୍ମଦିନ ଗ୍ରାମର ଗୋଷ୍ଠୀ କେନ୍ଦ୍ରରେ ପାଳନ ହୋଇଥିବାରୁ ସେମାନେ ସେଠାରେ ଏହାର ବିରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତବର୍ଷ ଦଲାଇ ଲାମାଙ୍କ ୮୬ତମ ଜନ୍ମଦିନ ପାଳନ ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦଲାଇ ଲାମାଙ୍କ ସହିତ ଟେଲିଫୋନରେ କଥା ହୋଇଥିବା ବିଷୟ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦୀ ସାଧାରଣରେ ସୂଚନା ଦେଇଥିଲେ। ସେହିଦିନ ତିବ୍ବତର ନିର୍ବାସିତ ସରକାରର ରାଷ୍ଟ୍ରପତି ପେନ୍‌ପା ସେରିଂ କହିଥିଲେ ଯେ କୋଭିଡ-୧୯ ସ୍ଥିତି ସ୍ବାଭାବିକ ହେବା ପରେ ଦଲାଇ ଲାମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ଆଶା କରାଯାଉଛି।

ଦଲାଇ ଲାମାଙ୍କୁ ଜନ୍ମଦିନର ଶୁଭେଚ୍ଛା ସଂପର୍କରେ ମୋଦୀଙ୍କ ଟ୍ବିଟ୍‌ ଚୀନକୁ ଏକ କଡ଼ା ବାର୍ତ୍ତା ଦେଇଛି। ଚୀନ କମ୍ୟୁନିଷ୍ଟ ପାର୍ଟିର ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାର କୌଣସି ଶୁଭେଚ୍ଛା ଜଣାଇ ନଥିବାବେଳେ ତିବ୍ଦତୀୟ ଧର୍ମଗୁରୁଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇବା ଚୀନକୁ ଅସନ୍ତୁଷ୍ଟ କରିଛି। ଉଲ୍ଲେଖଯୋଗ୍ୟ, ଲଦାଖ ସୀମାରେ ଭାରତ ଓ ଚୀନ ସେନା ମଧ୍ୟରେ ଗତବର୍ଷ ଏପ୍ରିଲରୁ ଉତ୍ତେଜନା ଲାଗି ରହିଛି। ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ବାହାରି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe