ଆତଙ୍କବାଦ ଶବ୍ଦ ପ୍ରୟୋଗକୁ ଚୀନ୍‌ର ବିରୋଧ

ଜାତିସଂଘ ନିରାପତ୍ତା ପରିଷଦ ବୟାନ ଆସିବାରେ ସପ୍ତାହେ ବିଳମ୍ବ

ଆତଙ୍କବାଦ ଶବ୍ଦ ପ୍ରୟୋଗକୁ ଚୀନ୍‌ର ବିରୋଧ

ନୂଆଦିଲ୍ଲୀ: ଜାତିସଂଘ ନିରାପତ୍ତା ପରିଷଦ ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ସପ୍ତାହକ ପରେ ଏହି ଆତଙ୍କବାଦୀ କାଣ୍ଡକୁ କଡ଼ା ନିନ୍ଦା କରିଛି। ଏହି ନିନ୍ଦା ପ୍ରସ୍ତାବରେ ‘ଆତଙ୍କବାଦ’ ଶବ୍ଦର ବ୍ୟବହାରକୁ ଚୀନ୍‌ ଜୋର୍‌ଦାର ବିରୋଧ କରିଥିଲା ଏବଂ ଏଥିପାଇଁ ବୟାନ ଆସିବାରେ ସପ୍ତାହେ ବିଳମ୍ବ ହୋଇଥିଲା। ତେବେ ଆମେରିକା ସବୁ ଶକ୍ତି ଖଟାଇ ଚୀନ୍‌କୁ ରୋକିବାକୁ ସମର୍ଥ ହେବାରୁ ବୟାନର ବିଷୟବସ୍ତୁ ବଦଳାଇବାକୁ ଚୀନ୍‌ର ଚାଲ୍‌ ପଣ୍ଡ ହୋଇଯାଇଛି। ୧୫ ସଦସ୍ୟ ବିଶିଷ୍ଟ ନିରାପତ୍ତା ପରିଷଦର ବୟାନକୁ ଦୁର୍ବଳ କରିବାପାଇଁ ଜାତିସଂଘରେ ପାକ୍‌ ପ୍ରତିନିଧି ବ୍ୟାପକ ପ୍ରୟାସ କରିଥିଲେ ଏବଂ ବୟାନକୁ ରୋକିବା ପାଇଁ ମଧ୍ୟ ଉଦ୍ୟମ ହୋଇଥିଲା। ତେବେ ଆମେରିକାର ରଣନୀତି ଆଗରେ ଚୀନ୍‌ ହାର୍‌ ମାନିଥିଲା ଏବଂ ବୟାନରେ ଆତଙ୍କବାଦ ଏବଂ ଜୈସ୍‌ ଏ ମହମ୍ମଦ ସଂଗଠନ ସଂପର୍କରେ ଉଲ୍ଲେଖ କରାଯିବାକୁ ରୋକିବାରେ ସମର୍ଥ ହୋଇନଥିଲା। ଜାତିସଂଘ ନିରାପତ୍ତା ପରିଷଦ ପୁଲୱାମା ଆକ୍ରମଣକୁ ଅତ୍ୟନ୍ତ ଜଘନ୍ୟ ଏବଂ କାପୁରୁଷୋଚିତ ବୋଲି କହି ଏହାର ଦୃଢ଼ ନିନ୍ଦା କରିଛି। ଜୈସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିରାପତ୍ତା ପରିଷଦ ଆହ୍ବାନ ଦେଇଛି। ଭାରତ ଯେଉଁ ଭାଷାରେ ପୁଲୱାମା କାଣ୍ଡକୁ ନିନ୍ଦା କରିଛି, ସେହି ସମାନ ଭାଷାରେ ନିରାପତ୍ତା ପରିଷଦ ଘଟଣାର ନିନ୍ଦା କରିଥିବାରୁ ଏହା ଭାରତର ଏକ କୂଟନୈତିକ ବିଜୟ ବୋଲି କୁହାଯାଉଛି। ଇତିମଧ୍ୟରେ ଚୀନ୍‌କୁ ବାଦଦେଇ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ଜୈସ୍‌ ଆତଙ୍କବାଦୀ ସଂଗଠନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ବାନ ଦେଇଥିବାରୁ ପାକିସ୍ତାନ ଏବଂ ଚୀନ୍‌ର ଅଡ଼ୁଆ ବଢ଼ିଯାଇଛି। ଜାତିସଂଘରେ ପାକିସ୍ତାନର ସ୍ଥାୟୀ ପ୍ରତିନିଧି ମଲିହା ଲୋଧି ନିରାପତ୍ତା ପରିଷଦର ବୟାନକୁ ରୋକିବା ପାଇଁ ଅହରହ ଲବି ଚଳାଇଥିଲେ ମଧ୍ୟ ୧୪ଟି ରାଷ୍ଟ୍ର ଜୈସ୍‌ ସଂଗଠନକୁ କଡ଼ା ନିନ୍ଦା କରି ବିବୃତି ଦେବାପରେ ପାକିସ୍ତାନ୍‌ର କୌଶଳ କାମ ଦେଇନଥିଲା। ଚୀନ୍‌ ଆତଙ୍କବାଦୀ ମସୁଦ୍‌ ଆଝାରକୁ ଲଗାତାର ସୁରକ୍ଷା ଦେଇ ଚାଲିଥିବା ବେଳେ ପାକିସ୍ତାନ ମସୁଦ୍‌ର ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦକୁ ପୂର୍ଣ୍ଣ ସୁରକ୍ଷା ଓ ସମର୍ଥନ ଦେଇଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe