Image Courtesy of NDTV
ବେଜିଙ୍ଗ୍: ନିରାପତ୍ତା ସହଯୋଗ କ୍ଷେତ୍ରରେ ଚୀନ୍ ଏବଂ ସଲମନ ଦ୍ବୀପପୁଞ୍ଜ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିବା କଥା ମଙ୍ଗଳବାର ଦିନ ଚୀନ୍ର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ୱାଙ୍ଗ୍ ୱେନ୍ବିନ୍ କହିଛନ୍ତି।
ସିନ୍ହୁଆ ନିଉଜ୍ ଏଜେନ୍ସି ରିପୋର୍ଟ ଅନୁସାରେ, ସାମ୍ବାଦିକ ସମ୍ମିଳନୀରେ ୱାଙ୍ଗ୍ କହିଛନ୍ତି, ଚୀନ୍ ଓ ସଲମନ ଦ୍ବୀପପୁଞ୍ଜର ସରକାରଙ୍କଦ୍ବାରା ଅନୁମୋଦିତ ଦୁଇ ଦେଶ ମଧ୍ୟରେ ନିରାପତ୍ତା ସହଯୋଗ ଲାଗି ଚୀନ୍ର ଷ୍ଟେଟ୍ କାଉନ୍ସିଲର୍ ତଥା ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟି ଏବଂ ସଲମନ ଦ୍ବୀପପୁଞ୍ଜର ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ବାକ୍ଷର କରିଛନ୍ତି।
ସେ କହିଛନ୍ତି, ଚୀନ୍-ସଲମନ ଦ୍ବୀପପୁଞ୍ଜ ସାମରିକ ସହଯୋଗୀତା କୌଣସି ତୃତୀୟ ରାଷ୍ଟ୍ରକୁ ଆକ୍ରମଣ କରିବା ଲାଗି ଉଦ୍ଦିଷ୍ଟ ନୁହେଁ। ସଲମନ ଦ୍ବୀପରେ ସାମାଜିକ ସ୍ଥିରତା ଏବଂ ଦୀର୍ଘକାଳୀନ ଶାନ୍ତି ବୃଦ୍ଧି ଏହି ରାଜିନାମାର ଉଦ୍ଦେଶ୍ୟ। ଏଥିସହ ଦକ୍ଷିଣ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ମଧ୍ୟ ଏହାର ସାଧାରଣ ସ୍ବାର୍ଥ ଦିଗରେ ଦୃଷ୍ଟି ଦେବ।
Image Courtesy of Japan Timesସାମାଜିକ ଶୃଙ୍ଖଳା ରକ୍ଷା, ଜନସାଧାରଣଙ୍କ ଧନଜୀବନ ସୁରକ୍ଷା, ମାନବୀୟ ସହାୟତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଆଦି କ୍ଷେତ୍ରରେ ଉଭୟ ଦେଶ ସହଯୋଗ କରିବେ। ଏହାଛଡ଼ା, ଆପଣା ନିରାପତ୍ତାର ସୁରକ୍ଷା ନିମନ୍ତେ ଏହି ରାଜିନାମା ସଲମନ ଦ୍ବୀପର ସାମର୍ଥ୍ୟ ବୃଦ୍ଧି କରିବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଉପରୋକ୍ତ ରାଜିନାମା ଉପରେ ସୋମବାର ଦିନ ଚିନ୍ତାପ୍ରକଟ କରି ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର ନେଡ୍ ପ୍ରାଇସ୍ ଦର୍ଶାଇ ଥିଲେ ଯେ, ଏହି ନିରାପତ୍ତା ରାଜିନାମାର ସାମଗ୍ରିକ ବୈଶିଷ୍ଟ୍ୟରୁ ଯାହା, ସେଥିରେ ଚୀନ୍ ସଲମନ ଦ୍ବୀପପୁଞ୍ଜରେ ନିଜର ସେନା ମୁତୟନ କରିପାରିବ। ଏହି ରାଜିନାମା ସଲମନ ଦ୍ବୀପପୁଞ୍ଜର ଅସ୍ଥିରତା ବୃଦ୍ଧି କରିବା ସହ ପ୍ରଶାନ୍ତ ମହାସାଗରୀୟ ଦ୍ବୀପାଞ୍ଚଳରେ ଚିନ୍ତାର କାରଣ ହେବ।
Follow Us