ସୁଧୁରୁନି ଚୀନ, ପୁଣି ମାସୁଦକୁ ସମର୍ଥନ

Advertisment

ଜାତିସଂଘରେ ଭାରତର ପ୍ରସ୍ତାବକୁ ବିରୋଧ

ଜାତିସଂଘରେ ଭାରତର ପ୍ରସ୍ତାବକୁ ବିରୋଧ

ମୃତ୍ୟୁ ଗୁଜବ ଚାଲିଥିବା ବେଳେ ଆର୍ମି ହସ୍‌ପିଟାଲ୍‌ରୁ ମାସୁଦ୍‌ ଆଝାରଙ୍କୁ ସ୍ଥାନାନ୍ତର କଲା ପାକିସ୍ତାନ

ନୂଆଦିଲ୍ଳୀ: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସେ ମହମ୍ମଦର ମୁଖ୍ୟ ମାସୁଦ ଆଝାର ଆଞ୍ଚଳିକ ଶାନ୍ତି, ନିରାପତ୍ତା ଓ ସ୍ଥିରତା ପ୍ରତି ବିପଦ। କେବଳ ଭାରତ ନୁହେଁ ଅମେରିକା, ଫ୍ରାନ୍ସ ଓ ବ୍ରିଟେନ ସମେତ ଅନେକ ରାଷ୍ଟ୍ର ମଧ୍ୟ ଏହାକୁ ସ୍ୱୀକାର କରୁଛନ୍ତି। ଏହି ସଂଗଠନକୁ ଜାତିସଂଘ କଳାତାଲିକାଭୁକ୍ତ ମଧ୍ୟ କରିଛି। କିନ୍ତୁ ଭାରତ-ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଥିବା ଚୀନ ଏହାକୁ ମାନିବାକୁ ପ୍ରସ୍ତୁତ ନୁହେଁ। ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତର ଉଦ୍ୟମକୁ ଦୃଢ଼ ବିରୋଧ କରି ଚାଲିଛି। ମାସୁଦକୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଜାତିସଂଘ ନିରାପତ୍ତା ପରିଷଦରେ ଆଜି ପ୍ରସ୍ତାବ ଆସିଥିଲା। ତେବେ ପାକିସ୍ତାନ ଓ ମାସୁଦର ଚିରକାଳୀନ ମିତ୍ର ଚୀନ ଏହି ପ୍ରସ୍ତାବ ବିରୋଧରେ ଭିଟୋ ପ୍ରୟୋଗ କରି ଭାରତ ଓ ଅନ୍ୟ ରାଷ୍ଟ୍ରଙ୍କ ଉଦ୍ୟମକୁ ବ୍ୟର୍ଥ କରିଦେଇଛି। ଚୀନର ଏଭଳି ଆଭିମୁଖ୍ୟ ଭାରତ ସହିତ ଏହାର ସଂପର୍କକୁ ପୁଣି ତିକ୍ତ କରିଛି।

ମାସୁଦ ଆଝାରକୁ ଆତଙ୍କବାଦୀ ଘୋଷଣା କରିବା ଲାଗି ଭାରତ ଦ୍ୱାରା ଆଗତ ପ୍ରସ୍ତାବକୁ ଆମେରିକା, ଫ୍ରାନ୍ସ, ବ୍ରିଟେନ ଓ ଅନ୍ୟ କେତେକ ଦେଶ ସମର୍ଥନ କରୁଛନ୍ତି। ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନ ଅଲକାଏଦା ସହିତ ମାସୁଦର ସଂପର୍କ ରହିଛି। ଭାରତରେ ସଂଘଟିତ ଅନେକ ଆତଙ୍କବାଦୀ ହିଂସାରେ ତା’ର ହାତ ରହିଛି। ଗତବର୍ଷ କଶ୍ମୀରର ଉରିରେ ହୋଇଥିବା ଆକ୍ରମଣରେ ୧୭ ଜଣ ନିରାପତ୍ତା ଯବାନ ପ୍ରାଣ ହରାଇଥିଲେ। ଏହା ପଛରେ ମାସୁଦର ହାତ ଥିଲା। ଭାରତ ଏସଂପର୍କରେ ତଥ୍ୟ ପ୍ରମାଣ ଦେଇ ତା’କୁ ଆତଙ୍କବାଦୀ ଘୋଷଣା କରିବାକୁ ଦାବି କରୁଛି। ମାସୁଦ ଆଝାର ଆତଙ୍କବାଦୀ ଘୋଷଣା ହେଲେ ବିଦେଶରେ ଥିବା ତା’ର ସମସ୍ତ ସଂପତ୍ତି ବ୍ୟାଜ୍ୟାପ୍ତ ହେବ ଏବଂ ପାକିସ୍ତାନ ବାହାରକୁ ଯିବା ଉପରେ କଟକଣା ଜାରି ହେବ।
ତେବେ ନିରାପତ୍ତା ପରିଷଦରେ ଆସିଥିବା ଏହି ପ୍ରସ୍ତାବକୁ ଭିଟୋ ପ୍ରୟୋଗ କରି ଚୀନ ବିରୋଧ କରିଛି। ଏ ସଂପର୍କରେ ସଫେଇ ଦେଇ ଚୀନ ବୈଦେଶିକ ବିଭାଗର ମୁଖପାତ୍ର ବେଜିଂରେ କହିଛନ୍ତିି ଯେ ଭାରତରେ ମାସୁଦ ଆତଙ୍କବାଦୀ ଆକ୍ରମଣ କରିଛି ବୋଲି ପ୍ରମାଣ ନାହିଁ। ଏହାଛଡ଼ା ତାକୁ ଆତଙ୍କବାଦୀ ଘୋଷଣା କରିବା ଲାଗି ସବୁ ଦେଶ ମଧ୍ୟରେ ସହମତି ମଧ୍ୟ ନାହିଁ। ଠୋସ ପ୍ରମାଣ ନଥିଲେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବନାହିଁ।

ସୂଚନାଯୋଗ୍ୟ, ମାସୁଦ ଆଝାରକୁ ନେଇ ଭାରତ ଓ ଚୀନ ମଧ୍ୟରେ ଗତ ଦୁଇ ବର୍ଷ ହେଲା ସଂପର୍କ ତିକ୍ତ ରହିଛି। ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଚୀନ ବାରମ୍ବାର ବିରୋଧ କରୁଛି। ଭାରତର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ମାସୁଦକୁ ସମର୍ଥନ କରି ଚୀନ ଆଞ୍ଚଳିକ ଶାନ୍ତି ଓ ସ୍ଥିରତାକୁ ବିପଦରେ ପକାଉଛି। ୧୫ ସଭ୍ୟ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦରେ ଜୈସେ ମହମ୍ମଦକୁ କଳାତାଲିକାଭୁକ୍ତ କରାଯାଇଛି। କିନ୍ତୁ ଆଝାରକୁ ଆତଙ୍କବାଦୀ ଘୋଷଣା କ୍ଷେତ୍ରରେ ଚୀନ ପ୍ରତିବନ୍ଧକ ହୋଇଛି। ଗତବର୍ଷ ଭାରତର ପ୍ରସ୍ତାବକୁ ଅନ୍ୟ ୧୪ଟି ରାଷ୍ଟ୍ର ସମର୍ଥନ କରିଥିଲେ ମଧ୍ୟ ଚୀନ ଏହାକୁ ବିରୋଧ କରି ପାକିସ୍ତାନ ଓ ଆଝାର ସହିତ ମିତ୍ରତା ଚଳାଇଛି।

ଉଲ୍ଲେଖଯୋଗ୍ୟ, ଡୋକଲାମରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ଯୋଗୁଁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗତ ୩୦ ବର୍ଷ ମଧ୍ୟରେ ଏଭଳି ଉତ୍ତେଜନା କେବେହେଲେ ସୃଷ୍ଟି ହୋଇନଥିଲା। ଏହି ଅଂଚଳରେ ରାସ୍ତା ନିର୍ମାଣ ପାଇଁ ଚୀନର ଉଦ୍ୟମକୁ ଭାରତ ବିରୋଧ କରିଥିଲା। ତେବେ ଗତ ଅଗଷ୍ଟରେ ଏହାର ସମାଧାନ ହେବା ପରେ ଦୁଇ ସେନା ପଛକୁ ହଟିଥିଲେ। ଏହା ସତ୍ତ୍ୱେ ଦ୍ୱିପାକ୍ଷିକ ସଂପର୍କ ତିକ୍ତ ରହିଥିବା ବେଳେ ଚୀନର ଆଜିର ପଦକ୍ଷେପ ସଂପର୍କକୁ ଆହୁରି ଖରାପ କରିବାର ଆଶଙ୍କା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe