ଚୀନ୍‌ ଚାହେ, ସାରା ବିଶ୍ବରେ ‌କୋଭିଡ୍‌ ବ୍ୟାପୁ! ତଥ୍ୟ ନଦେଇ ବିଶ୍ବକୁ ଅନ୍ଧାରରେ ରଖିଛି

ନୂଆ କରୋନା ପ୍ରଜାତିର ଉତ୍ପତ୍ତିସ୍ଥଳ ପାଲଟିବ ଚୀନ୍‌ : ବିଶେଷଜ୍ଞ

ଚୀନ୍‌ ଚାହେ, ସାରା ବିଶ୍ବରେ ‌କୋଭିଡ୍‌ ବ୍ୟାପୁ! ତଥ୍ୟ ନଦେଇ ବିଶ୍ବକୁ ଅନ୍ଧାରରେ ରଖିଛି

ବେଜିଂ: ଚୀନ୍‌ରେ ନିକଟରେ ‌ଗୋଟିଏ ଦିନର ଦୈନିକ ସଂକ୍ରମଣ ୩ କୋଟିରୁ ଅଧିକ ରହିଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ରିପୋର୍ଟ କରିଛନ୍ତି। ସଂକ୍ରମଣ ଅତି ଭୟଙ୍କର ଭାବେ ବଢ଼ିଚାଲିଥିବା ବେଳେ ଚୀନ୍‌ ସାରା ବିଶ୍ବକୁ ଏହାର କରୋନା ସ୍ଥିତି ସମ୍ପର୍କରେ ଅନ୍ଧା‌ରରେ ରଖିଛି। ଚୀନ୍‌ ଦୈନିକ ଭାବେ ଏହାର କରୋନା ତଥ୍ୟ ପ୍ରକାଶ କରୁନାହିଁ। ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ କମିସନ୍‌ ଦୈନିକ କରୋନା ତଥ୍ୟ ଦେବା ବନ୍ଦ କରିଦେଇଛନ୍ତି। ତେଣୁ ସାରା ବିଶ୍ବରେ ଏଥିପାଇଁ ଚିନ୍ତା ପ୍ରକଟ ହୋଇଛି। ଭାରତ, ଆମେରିକା, ଜାପାନ ଏବଂ ଅନ୍ୟ ରାଷ୍ଟ୍ରମାନେ ଚୀନ୍‌ ଯାତ୍ରୀଙ୍କ ପାଇଁ କଟକଣା କଡ଼ାକଡ଼ି କରିଛନ୍ତି। ସବୁଠୁ ଚିନ୍ତାଜନକ ହେଉଛି ଚୀନ୍‌ରେ କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ କୌଣସି ନୂଆ ପ୍ରଜାତି ସୃଷ୍ଟି ହୋଇଥାଇପାରେ। ସାରା ବିଶ୍ବ ଏଥିପାଇଁ ଭୟରେ ରହିଛି। ଏଯାବତ ଚୀନ୍‌ରେ କୌଣସି ନୂଆ ପ୍ରଜାତି ଚିହ୍ନଟ ହୋଇଥିବା ନେଇ କିଛି ଖବର ନଥିଲେ ମଧ୍ୟ ଚୀନ୍‌ର ଆଭିମୁଖ୍ୟ ଅତ୍ୟନ୍ତ ନକରାତ୍ମକ ରହିଥିବାରୁ ପୁଣି ବିଶ୍ବରେ ନୂଆ ସଂକ୍ରମଣ ଲହର ଆସିବା ଆଶଙ୍କା କରାଯାଉଛି।

ଆମେରିକା ଚୀନ୍‌ ଯାତ୍ରୀଙ୍କ ପାଇଁ ନେଗେଟିଭ ଟେଷ୍ଟ ରିପୋର୍ଟ ବ‌ାଧ୍ୟତାମୂଳକ କରିଛି। ଆସନ୍ତା ଜାନୁଆରି ୫ ତାରିଖରୁ ଏହି ନିୟମ ଲାଗୁ ହେବ। ଚୀନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କର ଚୀନ୍‌ରୁ ଉଡ଼ାଣ ଆରମ୍ଭ କରିବାର ୨ଦିନ ପୂର୍ବର କୋଭିଡ୍ ନେଗେଟିଭ ରିପୋର୍ଟ ଆବଶ୍ୟକ। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡ଼ା ମଧ୍ୟ ସମାନ ଚିନ୍ତା ପ୍ରକଟ କରିଛନ୍ତି। ଜାପାନ ମଧ୍ୟ ଚୀନ୍‌ ଯାତ୍ରୀଙ୍କ ପାଇଁ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରିଛି। ଯେଉଁମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିବ ସେମାନେନ ୭ ଦିନ କ୍ବାରାଣ୍ଟିନ୍‌ରେ ରହିବେ। ଇଟାଲି, ତାଇୱାନ୍‌ରେ ମଧ୍ୟ କଟକଣା କଡ଼ାକଡ଼ି ହୋଇଛି। ଅନ୍ୟପକ୍ଷେ ଅଷ୍ଟ୍ରେଲିଆ ଏବଂ ଫିଲିପାଇନ୍ସ ପରି ରାଷ୍ଟ୍ରମାନେ ମଧ୍ୟ ସ୍ଥିତି ସମୀକ୍ଷା କରୁଥିବା କହିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ମୁଖ୍ୟ ଟେଡ୍ରସ ଆଦନମ ମଧ୍ୟ ଚୀନ୍‌ ସଂକ୍ରମଣ ନେଇ ତଥ୍ୟ ଆସୁନଥିବାରୁ ଅସହାୟତା ପ୍ରକଟ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ରାଷ୍ଟ୍ର ଚୀନ୍‌ ଯାତ୍ରୀଙ୍କ ପାଇଁ କଟକଣା ବଢ଼ାଇବା ସହ ଚୀନ୍‌ରୁ ତଥ୍ୟ ସଂଗ୍ରହ ପାଇଁ ‘ହୁ’ ଅଧିକ ପ୍ରୟାସ କରିବାକୁ ପରାମର୍ଶ ଦେଇଛନ୍ତି।

ନୂଆ କରୋନା ପ୍ରଜାତିର ଉତ୍ପତ୍ତିସ୍ଥଳ ପାଲଟିବ ଚୀନ୍‌ : ବିଶେଷଜ୍ଞ

ନୂଆଦିଲ୍ଲୀ: ଚୀନ୍‌ କରୋନା କଟକଣା ହଟାଇବା ପରେ ସଂକ୍ରମଣ ଅତି ଭୟଙ୍କର ଭାବେ ବଢ଼ିଚାଲିଛି। ଆଗକୁ ଚୀନ୍‌ ନୂଆ କରୋନା ପ୍ରଜାତିର ଉତ୍ପତ୍ତିସ୍ଥଳ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଛନ୍ତି। ଚୀନ୍‌ରେ ଆଗକୁ କୌଣସି ବିଦେଶ ଫେରନ୍ତା ଯାତ୍ରୀ କ୍ବାରାଣ୍ଟିନରେ ରହିବେନି। ଜାନୁଆରି ୮ ତାରିଖରୁ ଏହି ନିୟମ ଲାଗୁ ହେବ। ଅନ୍ୟପକ୍ଷେ ଦେଶର ଜାତୀୟ ସ୍ବାସ୍ଥ୍ୟ କମିସନ୍‌ ଦୈନିକ ତଥ୍ୟ ଦେବା ବନ୍ଦ କରିଦେଇଛି। ତେବେ ବିଭିନ୍ନ ସହରର ଅଧିକାରୀମାନେ ଏହା ଆକଳନ କରିଛନ୍ତି ଯେ ପ୍ରତିଦିନ ୫ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଚୀନ୍‌ର ସ୍ବାସ୍ଥ୍ୟ ବ୍ୟବସ୍ଥା ଉପରେ ଅତି ଭୟଙ୍କର ଭାବେ ଚାପ ପଡ଼ିଛି। ଚୀନ୍‌ରେ ସଂକ୍ରମଣ ବୃଦ୍ଧି ସହ ନୂଆ ପ୍ରଜାତି ମଧ୍ୟ ସୃଷ୍ଟି ହୋଇପାରେ। ଜେନେଭା ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଅଫ୍‌ ଗ୍ଲୋବାଲ ହେଲ୍‌ଥ ନିର୍ଦ୍ଦେଶକ ଆଣ୍ଟୋନି ଫ୍ଲା‌ହଲ୍ଟ କହିଛନ୍ତି, ନୂଆ ଭାଇରସ୍‌ ରୂପାନ୍ତରଣ ହେବାର ସମ୍ଭାବନା ବହୁତ ରହିଛି। ଚୀନ୍‌ରେ ସଂକ୍ରମଣ ବଢ଼ୁଥିବାରୁ ଏଠାରେ ଆଗକୁ ଭାଇରସ୍‌ର ରୂପାନ୍ତରଣ ହେବ ଏବଂ ଆଗକୁ ଏହା ଅତି ବିପ୍ପଜନକ ସ୍ଥିତି ସୃଷ୍ଟି କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe