ବେଜିଂ: ତିବ୍ଦତର ଦୀର୍ଘତମ ନଦୀ ୟାରଲୁଙ୍ଗ ତ୍ସାଙ୍ଗପୋ ଉପରେ ଏକ ସୁପର ପାୱାର ଡ୍ୟାମ୍ ନିର୍ମାଣ କରିବାକୁ ଚୀନ୍ ସରକାର ଘୋଷଣା କରିଛନ୍ତି। ଏହି ଡ୍ୟାମ୍ ଚାଇନାର ଥ୍ରୀ ଜର୍ଜ ଡ୍ୟାମ୍ ଠାରୁ ୩ ଗୁଣା ଅଧିକ ବିଦ୍ୟୁତ୍ ଉତ୍ପାଦନ କରିବ। ଯାହା ଦ୍ବାରା ପୃଥିବୀର ଗତି ଉପରେ ପ୍ରଭାବ ପକାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଚୀନ୍ର ସରକାରୀ ସମ୍ବାଦ ଏଜେନ୍ସି ଜିନହୁଆ ବୁଧବାର ଏହି ସୂଚନା ଦେଇଛି।
ଚୀନ୍ ଗଣମାଧ୍ୟମ କହିଛି ଯେ, ଏହା ବେଜିଂ ପାଇଁ ଏକ ବଡ଼ ଇଞ୍ଜିନିୟରିଂ ଚ୍ୟାଲେଞ୍ଜ ହେବ। ଏହି ଡ୍ୟାମ୍ ନିର୍ମାଣ ପାଇଁ ଚୀନ୍ ସରକାର ୧୩୭ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯାଉଛନ୍ତି। ବିଶେଷଜ୍ଞମାନେ କହିଛନ୍ତି, ଚୀନ୍ର ଏହି ଡ୍ୟାମ୍ ପୃଥିବୀରେ ଥିବା ସମସ୍ତ ଭିତ୍ତିଭୂମି ପ୍ରକଳ୍ପକୁ ବହୁ ପଛରେ ପକାଇଦେବ। ଚୀନ୍ ଯାହାକୁ ୟାରଲୁଙ୍ଗ ତ୍ସାଙ୍ଗପୋ ନଦୀ ବୋଲି କହୁଛି, ତାକୁ ଭାରତର ବ୍ରହ୍ମପୁତ୍ର ନଦୀ କୁହାଯାଇଥାଏ। ବିଶେଷଜ୍ଞ କହିଛନ୍ତି, ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଯେକୌଣସି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବାକୁ ଏହି ବିଶାଳ ଡ୍ୟାମ୍କୁ ଅସ୍ତ୍ର ଭାବରେ ଚୀନ୍ ବ୍ୟବହାର କରିପାରିବ।
ପ୍ରାୟ ୨୯୦୦କିଲୋମିଟର ଲମ୍ବା ବ୍ରହ୍ମପୁତ୍ର ନଦୀ ଭାରତ ଆସିବା ପୂର୍ବରୁ ତିବ୍ଦତୀୟ ମାଳଭୂମିରେ ପ୍ରବାହିତ ହୋଇଛି। ଏହି ନଦୀ ତିବ୍ଦତର ପୃଥିବୀର ଗଭୀରତମ ଖାଇ ସୃଷ୍ଟି କରିଛି। ତିବ୍ଦତୀୟ ବୌଦ୍ଧ ଭିକ୍ଷୁମାନେ ଏହାକୁ ଅତି ପବିତ୍ର ମନେ କରନ୍ତି। ଭାରତ ସୀମା ନିକଟରେ ଚୀନ୍ର ପ୍ରବଳ ବର୍ଷା ହେଉଥିବା ଅଞ୍ଚଳରେ ଏହି ଡ୍ୟାମ୍ ନିର୍ମାଣ କରିବାକୁ ଯୋଜନା କରାଯାଇଛି।
ଚୀନ୍ ଆକଳନ କରିଛି ଯେ, ଏହି ଡ୍ୟାମ୍ ପ୍ରତିବର୍ଷ ୩୦୦ ବିଲିୟନ କିଲୋୱାଟ ଘଣ୍ଟା ବିଦ୍ୟୁତ୍ ଯୋଗାଇବ। ବର୍ତ୍ତମାନ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଡ୍ୟାମ୍ କୁହାଯାଉଥିବା ଚାଇନା ଥ୍ରୀ ଜର୍ଜ ପ୍ରତିବର୍ଷ ୮୮.୨ ବିଲିୟନ କିଲୋୱାଟ ଘଣ୍ଟା ବିଦ୍ୟୁତ୍ ଉତ୍ପାଦନ କରୁଛି। ଚାଇନାର ହୁବେଇ ପ୍ରଦେଶରେ ଅବସ୍ଥିତ ଥ୍ରୀ ଜର୍ଜ ଡ୍ୟାମ୍ ୟାଙ୍ଗଜେ ନଦୀ ଉପରେ ନିର୍ମିତ ହୋଇଛି।
ଥ୍ରୀ ଜର୍ଜ ଡ୍ୟାମ୍ରେ ୪୦ ବିଲିୟନ ଘନ ମିଟର ଜଳ ଅଛି ଏବଂ ଏହା ପୃଥିବୀର ଘୂର୍ଣ୍ଣନ ବେଗକୁ ମଧ୍ୟ ପ୍ରଭାବିତ କରୁଛି। ଏହି କାରଣରୁ, ପୃଥିବୀର ଘୂର୍ଣ୍ଣନ ଗତି ଦିନକୁ ୦.୦୬ ମାଇକ୍ରୋ ସେକେଣ୍ଡରେ ବୃଦ୍ଧି ପାଉଛି। ସମଗ୍ର ବିଶ୍ୱରେ ବୈଜ୍ଞାନିକମାନେ ଏ ବିଷୟରେ ବହୁତ ଚିନ୍ତିତ ଅଛନ୍ତି। ଏହି ଡ୍ୟାମ୍କୁ ପ୍ରଥମେ ୧୯୧୯ ମସିହାରେ ଚୀନ୍ର ପ୍ରଥମ ରାଷ୍ଟ୍ରପତି ସନ୍ ୟାତ୍ ସେନ୍ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ।
ସେ କହିଥିଲେ ଯେ, ଏହା ବନ୍ୟା ପରିସ୍ଥିତି ହ୍ରାସ କରୁଥିବାବେଳେ ବିଶ୍ବ ସାମ୍ନାରେ ଚୀନ୍ର ଶକ୍ତିର ପ୍ରତୀକ ହେବ। ଚୀନ୍ ବର୍ତ୍ତମାନ ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ଏକ ନୂତନ ବିଶାଳ ଡ୍ୟାମ୍ ନିର୍ମାଣ କରିବାକୁ ଯାଉଛି। ଏହି ଜଟିଳ ଇଞ୍ଜିନିୟରିଂ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଚୀନ୍ ଚାରିରୁ ଛଅଟି ୩୦ କିଲୋମିଟର ଲମ୍ବା ଟନେଲ୍ ନିର୍ମାଣ କରିବାକୁ ଯୋଜନା କରିଛି।
ଚୀନ୍କୁ ନାମଚା ବାରୱା ପର୍ବତ ଭିତରେ ଏହି ଟନେଲ ନିର୍ମାଣ କରିବାକୁ ପଡିବ। ଯାହା ଦ୍ବାରା ଶକ୍ତିଶାଳୀ ବ୍ରହ୍ମପୁତ୍ର ନଦୀର ଅଧା ଜଳକୁ ଅଲଗା କରାଯାଇପାରିବ। କେବଳ ଏତିକି ନୁହେଁ, ଯେଉଁଠାରେ ଏହି ଡ୍ୟାମ୍ ନିର୍ମାଣ ହେବାକୁ ଯାଉଛି ସେହି ସ୍ଥାନରେ ଭୂମିକମ୍ପ ହେବାର ଆଶଙ୍କା ରହିଛି। ଯେତେବେଳେ ଏହି ଡ୍ୟାମ୍ ସମାପ୍ତ ହେବ, ଏହା ପ୍ରତିବର୍ଷ ୩୦ କୋଟି ଲୋକଙ୍କୁ ସହଜରେ ବିଦ୍ୟୁତ୍ ଯୋଗାଇବ। ଚୀନ୍ ଦାବି କରିଛି ଯେ, ଏହି ଡ୍ୟାମ୍ ନିର୍ମାଣ ସମୟରେ ପରିବେଶ ସୁରକ୍ଷା ମାନଦଣ୍ଡ ଉପରେ ଗୁରୁତ୍ବ ପ୍ରଦାନ କରାଯିବ ବୋଲି ଚୀନ୍ କହିଛି।
ଅଧିକ ପଢ଼ନ୍ତୁ: ପଡ଼ିଆ ମଝିରେ କୋହଲି-କନଷ୍ଟାସ୍ ଝଗଡ଼ା: ଭିଡିଓ ଭାଇରାଲ
ଏହି ଡ୍ୟାମ୍ ନିର୍ମାଣ କାର୍ଯ୍ୟ ତିବ୍ଦତରେ କେବେ ଆରମ୍ଭ ହେବ ଏବଂ କେଉଁଠାରେ ନିର୍ମାଣ ହେବ ତାହା ଚୀନ୍ କହି ନାହିଁ। ଚୀନ୍ର ଏହି ଘୋଷଣା ଭାରତ ପାଇଁ ଏକ ବଡ଼ ବିପଦ ହୋଇପାରେ। ଏହା କେବଳ ସୁରକ୍ଷା ପାଇଁ ନୁହେଁ ବରଂ ପରିବେଶ ଏବଂ ଜୀବିକା ପାଇଁ ମଧ୍ୟ ବିପଦ ସୃଷ୍ଟି କରିବାର ଅଶାଙ୍କା ରହିଛି। ଭାରତ ଏବଂ ବାଂଲାଦେଶରେ କୋଟି କୋଟି ଲୋକ ବ୍ରହ୍ମପୁତ୍ର ନଦୀ ଜଳ ଉପରେ ନିର୍ଭର କରନ୍ତି। ବାଂଲାଦେଶରେ ଏହାକୁ ସୁରମା ନଦୀ କୁହାଯାଇଥାଏ।
ଯଦି ଚୀନ୍ ଜଳ ବନ୍ଦ କରେ, ତେବେ ଏହି ଦୁଇ ଦେଶରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇପାରେ । ସେହିପରି ଯଦି ଚୀନ୍ ହଠାତ୍ ଜଳ ଛାଡିଦିଏ, ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ଦ୍ବାରା ଯେକୌଣସି ସମୟରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ବନ୍ୟା ପରିସ୍ଥିତି ଉପୁଜି ପାରିବ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ: ୨୦୨୫ରେ ଏଲପିଜି ଦର କମିବ!: ରୁଷିଆରେ ଦର କମି ଅଧା ହେଲା