Business Line
ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ସଂକ୍ରମଣ ବଢ଼ୁଥିବାରୁ ଚୀନ୍ ନିଜ ନାଗରିକମାନଙ୍କୁ ତୁରନ୍ତ ଖାଲି କରାଇବାକୁ ନିଷ୍ପତ୍ତି ନେଇଛି। ଆଜି ଏ ସଂକ୍ରାନ୍ତରେ ଭାରତରେ ଅବସ୍ଥାପିତ ଚୀନ୍ ରାଷ୍ଟ୍ରଦୂତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଭାରତରେ ଥିବା ଚୀନ୍ର ଛାତ୍ର, ପର୍ଯ୍ୟଟକ ଏବଂ ବ୍ୟବସାୟୀମାନେ ତୁରନ୍ତ ଭାରତ ଛାଡ଼ି ଚୀନ୍କୁ ଫେରିଯିବା ପାଇଁ ଏଥିରେ କୁହାଯାଇଛି। ଚୀନ୍ ନିଜ ନାଗରିକମାନଙ୍କୁ ନେବାପାଇଁ ସ୍ବତନ୍ତ୍ର ବିମାନ ବ୍ୟବସ୍ଥା କରାଇଛି। ତେବେ ଭାରତରେ କେତେ ସଂଖ୍ୟାରେ ଚୀନ୍ ନାଗରିକ ଓ ଛାତ୍ରଛାତ୍ରୀ ଅଛନ୍ତି ସେ ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇନାହିଁ।
ମେ ୨୭ ତାରିଖ ସୁଦ୍ଧା ସମସ୍ତ ଚୀନା ନାଗରିକ ଦୂତାବାସରେ ଫେରିବା ପାଇଁ ପଂଜୀକରଣ କରାଇବାକୁ ଆଜି ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ କେଉଁ ବିମାନ ବନ୍ଦରରୁ କେତେବେଳେ ବିମାନ ଉଡ଼ାଣ ହେବ ସେ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ। ଏବେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ତୀବ୍ର ହୋଇଥିବା ଏବଂ ଲଦାଖ୍ରେ ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଥିବାରୁ ଚୀନ୍ ରାଷ୍ଟ୍ରଦୂତଙ୍କ ଏହି ନୋଟିସ୍କୁ ନେଇ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଲଦାଖ୍ରେ ଚୀନ୍ ସେନା ଅଯଥା ଉତ୍ତେଜନା ସୃଷ୍ଟି କରିଥିବାରୁ ଉଭୟ ଦେଶର କୂଟନୈତିକ ସଂପର୍କ ତିକ୍ତତାର ଚରମ ସୀମାରେ ପହଞ୍ଚିଛି।
Follow Us