Image Courtesy of India Today
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍ ଜିଲ୍ଲାରୁ ଚୀନ୍ର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ (ପିଏଲ୍ଏ) ଜଣେ ୧୭ ବର୍ଷିୟ ତରୁଣଙ୍କୁ ଅପହରଣ କରି ନେଇଥିବା କଥା ବୁଧବାର ଦିନ ରାଜ୍ୟ ସାଂସଦ ତାପିର୍ ଗାଓ ଟୁଇଟ୍ କରି କହିଛନ୍ତି।
ସେ ଲେଖିଛନ୍ତି, ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ୍ ଜିଲ୍ଲାର ସିୟୁଙ୍ଗଲା ଅଞ୍ଚଳ (ବିଶିଙ୍ଗ ଗାଁ) ଅନ୍ତର୍ଗତ ଭାରତୀୟ ଅଞ୍ଚଳ ମଧ୍ୟସ୍ଥ ଲୁଙ୍ଗ୍ଟା ଜୋର ଅଞ୍ଚଳରୁ ୨୦୨୨ ଜାନୁଆରି ୧୮ ତାରିଖରେ ଜିଡ଼ୋ ଗ୍ରାମର ୧୭ ବର୍ଷିୟ ତରୁଣ ମିରାମ୍ ତରୋନଙ୍କୁ ଚୀନାର ‘ପିଏଲ୍ଏ’ ଅପହରଣ କରି ନେଇଛି।
ଅନ୍ୟ ଏକ ଟୁଇଟ୍ରେ ସେ ଲେଖିଛନ୍ତି, ଭାରତ ସରକାରଙ୍କର ସମସ୍ତ ଏଜେନ୍ସିମାନଙ୍କୁ ଅନୁରୋଧ ଯଥା ଶୀଘ୍ର ତାଙ୍କୁ ମୁକୁଳାଇବାର ବ୍ୟବସ୍ଥା କରନ୍ତୁ।
ପ୍ରାପ୍ତ ଗଣମାଧ୍ୟମ ସୂଚନା ଅନୁସାରେ, ‘ପିଏଲ୍ଏ’ କବଳରୁ ଖସି ପଳାଇ ଆସିଥିବା ତରୋନ୍ଙ୍କ ବନ୍ଧୁ ୟୈୟିଙ୍ଗ୍ ସରକାରୀ କର୍ତ୍ତୃପକ୍ଷମାନଙ୍କୁ ଚୀନ୍ ସେନାଙ୍କ ଅପହରଣ ବିଷୟରେ ସୂଚନା ଦେଇଥିଲେ। ଉଭୟ ତରୋନ୍ ଏବଂ ୟୈୟିଙ୍ଗ୍ ହେଉଛନ୍ତି ଜିଡ଼ୋ ଗ୍ରାମର ସ୍ଥାନୀୟ ଶିକାରୀ।
Image Courtesy of Twitterତାପିର୍ ଗାଓ କହିଛନ୍ତି, ଅରୁଣାଚଳ ପ୍ରଦେଶରେ ସାଙ୍ଗ୍ପୋ ନଦୀ ଯେଉଁଠି ଭାରତରେ ପ୍ରବେଶ କରୁଛି ସେଠାରେ ଉପରୋକ୍ତ ଅପହରଣ ଘଟଣା ଘଟିଛି। ଅରୁଣାଚଳ ପ୍ରଦେଶରେ ସାଙ୍ଗ୍ପୋ ନଦୀକୁ ସିଆଙ୍ଗ୍ ଏବଂ ଆସାମରେ ବ୍ରହ୍ମପୁତ୍ର କହନ୍ତି।
ଗାଓ ଆହୁରି ମଧ୍ୟ କହିଛନ୍ତି ଯେ, ଘଟଣା ବିଷୟରେ ସେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କୁ ଜଣାଇବା ସହ ଏ ସଂକ୍ରାନ୍ତରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।
ଟୁଇଟ୍ରେ ଗାଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଭାରତୀୟ ସେନାକୁ ମଧ୍ୟ ‘ଟ୍ୟାଗ୍’ କରିଛନ୍ତି।
Follow Us