ସମରାଭ୍ୟାସ ଆଳରେ ଚୀନ୍‌ର ଆତଙ୍କରାଜ: ତାଇୱାନର ଚାରିପଟେ କ୍ଷେପଣାସ୍ତ୍ର ବର୍ଷା

Advertisment

ଉଭୟପକ୍ଷର ଯୁଦ୍ଧ ଜାହାଜ ମୁହାଁମୁହିଁ, ବେଆଇନ, ଦାୟିତ୍ବହୀନ, ଜାତିସଂଘ ନିୟମର ଉଲ୍ଲଂଘନ: ତାଇୱାନ

ଉଭୟପକ୍ଷର ଯୁଦ୍ଧ ଜାହାଜ ମୁହାଁମୁହିଁ, ବେଆଇନ, ଦାୟିତ୍ବହୀନ, ଜାତିସଂଘ ନିୟମର ଉଲ୍ଲଂଘନ: ତାଇୱାନ

ସମରାଭ୍ୟାସ ଆଳରେ ଚୀନ୍‌ର ଆତଙ୍କରାଜ: ତାଇୱାନର ଚାରିପଟେ କ୍ଷେପଣାସ୍ତ୍ର ବର୍ଷା

ତାଇପେଇ: ଆମେରିକା ସଂସଦ ଅଧ୍ୟକ୍ଷ ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତ ପରେ ଚୀନ୍ ଅଗ୍ନିମୁଖା ହୋଇଉଠିଛି। ଗୁରୁବାରଠାରୁ ଦ୍ବୀପଦେଶ ତାଇୱାନକୁ ଚାରିପଟୁ ଘେରି ଚୀନ୍ ଛଅଟି ଅଞ୍ଚଳରେ ବୃହତ୍ତମ ସମରାଭ୍ୟାସ ସହ ଗୁଳିଗୋଳା ବର୍ଷଣ କରୁଛି। ତୁହାକୁ ତୁହା ତାଇୱାନ ଜଳରାଶିରେ ସମୁଦ୍ର ଭିତରକୁ କ୍ଷେପଣାସ୍ତ୍ର ମାଡ଼ ମଧ୍ୟ କରାଯାଉଛି। ଏପରିକି ତାଇୱାନ ପ୍ରଣାଳୀରେ ବି ଅନେକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଚୀନ୍ ଦାବି କରିଛି। ତାଇୱାନ ଏହାକୁ ବେଆଇନ, ଦାୟିତ୍ବହୀନ ଓ ଜାତିସଂଘ ନିୟମର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି। ଆଜି ଭାରତୀୟ ସମୟ ସକାଳ ୯ଟା ୩୦ରେ ଚୀନ୍ ସମରାଭ୍ୟାସ ଆରମ୍ଭ କରିଥିବା ବେଳେ ଏହା ରବିବାର ଭୋର ୪ଟା (ଜିଏମ୍‌ଟି) ଯାଏ ଚାଲିବ ବୋଲି ଚୀନ୍ ସରକାରୀ ଚାନେଲରେ ସୂଚନା ଦିଆଯାଇଛି। ଏହି ସମୟରେ ତାଇୱାନ ବାହାରେ ଚାରିପଟ ପାଣି ଓ ଆକାଶକୁ ସେମାନେ ଜୀବନ୍ତ ଗୁଳିଗୋଳା ମାଡ଼ କରୁଛନ୍ତି। ଏଥିସହ ତାଇୱାନର ମତ୍ସୁ ଦ୍ବୀପ ନିକଟରେ ସେମାନେ ଦୁଇଟି କ୍ଷେପଣାସ୍ତ୍ର ବି ମାଡ଼ କରିଛନ୍ତି ବୋଲି ଚୀନ୍ ଦାବି କରିଛି।

ତାଇୱାନ ଅଧିକାରୀମାନେ କହିଛନ୍ତି ଯେ ଚୀନ୍‌ର ଏହି ସମରାଭ୍ୟାସ ଜାତିସଂଘ ନିୟମର ଉଲ୍ଲଂଘନ। ସେମାନେ ତାଇୱାନ ଅଞ୍ଚଳରେ ଅନୁପ୍ରବେଶ କରିଛନ୍ତି। ମୁକ୍ତ ଭାବେ ଆକାଶ ଓ ସାମୁଦ୍ରିକ ପଥରେ ଯାତାୟାତ ପ୍ରତି ଏହା ଏକ ଖୋଲା ଆହ୍ବାନ। ଚୀନ୍ ବ୍ୟସ୍ତବହୁଳ ସମୁଦ୍ରପଥରେ ଏବଂ ଆକାଶପଥରେ ସମରାଭ୍ୟାସ କରୁଛି ଏବଂ ଏହା ଦାୟିତ୍ବହୀନ ଓ ବେଆଇନ ବୋଲି ତାଇୱାନର ଗଣତାନ୍ତ୍ରିକ ପ୍ରଗତିଶୀଳ ଦଳ ପକ୍ଷରୁ କୁହାଯାଇଛି। ତାଇୱାନର କ୍ୟାବିନେଟ୍ ମୁଖପାତ୍ର ଚୀନ୍‌ର ଏତାଦୃଶ ସମରାଭ୍ୟାସର ଘୋର ନିନ୍ଦା କରିଛନ୍ତି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ, ବିଦେଶ ମନ୍ତ୍ରଣାଳୟ ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟର ୱେବ୍‌ସାଇଟ୍‌କୁ ମଧ୍ୟ ଚୀନ୍ ପକ୍ଷରୁ ହ୍ୟାକ୍ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଚୀନ୍ ନୌଜାହାଜ ଓ ଯୁଦ୍ଧ ବିମାନ ଗୁରୁବାର ଅନେକବାର ତାଇୱାନ ପ୍ରଣାଳୀ ଦେଇ ଅତିକ୍ରମ କରିଛନ୍ତି ବୋଲି ତାଇୱାନ ଅଭିଯୋଗ କରିଛି। ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଉଭୟ ପକ୍ଷର ଯୁଦ୍ଧ ଜାହାଜ ମୁହାଁମୁହିଁ ସ୍ଥିତିରେ ରହିଥିଲେ। ଚୀନ୍‌ର ଆକ୍ରମଣାତ୍ମକ ଭାବଭଙ୍ଗି ଦେଖି ତାଇୱାନ ବି ନିଜର ଜେଟ୍‌ ଉଡ଼ାଇବା ସହ କ୍ଷେପଣାସ୍ତ୍ର ସିଷ୍ଟମ୍‌ଗୁଡ଼ିକୁ ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତ କରି ରଖିଥିଲା। ଚୀନ୍ ଯୁଦ୍ଧବିମାନଗୁଡ଼ିକ ତାଇୱାନ ବୟୁସୀମା ଭିତରକୁ ଆସିଲେ, ପଳାଇଲେ, ପୁଣି ଆସିଲେ ଓ ପୁଣି ପଳାଇଲେ। ଏହିପରି ସେମାନେ ତାଇୱାନକୁ ଡରାଇବାକୁ ବାରମ୍ବାର ଚେଷ୍ଟା କରିଥିଲେ ବୋଲି ତାଇୱାନ ଅଧିକାରୀମାନେ ଅଭିଯୋଗ କରିଛନ୍ତି।
ତେବେ ତାଇୱାନକୁ ନିଜର ବୋଲି ଦାବି କରୁଥିବା ଚୀନ୍ କହିଛି ଯେ ଏହା ସେମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାର। ତାଇୱାନ ସ୍ବାଧୀନତାକୁ ସମର୍ଥନ କରୁଥିବା ଗୋଷ୍ଠୀ ଓ ବାହ୍ୟଶକ୍ତି ବିରୋଧରେ ଆମ ବିରୋଧ ଯୁକ୍ତିଯୁକ୍ତ ବୋଲି ଚୀନ୍‌ର ବେଜିଂସ୍ଥିତ ତାଇୱାନ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe