ଅରୁଣାଚଳ ପ୍ରଦେଶରେ ଚୀନର ନଖରାମି : ୫ ଜଣଙ୍କୁ ଅପହରଣ କଲା ଡ୍ରାଗନ ସେନା

ଥାନାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ଅରୁଣାଚଳ ପ୍ରଦେଶରେ ଚୀନର ନଖରାମି : ୫ ଜଣଙ୍କୁ ଅପହରଣ କଲା ଡ୍ରାଗନ ସେନା

The Hindu

ଇଟାନଗର (ଅରୁଣାଚଳ ପ୍ରଦେଶ) : ପୂର୍ବ ଲଦାଖରେ ଏବେ ଭାରତ ଓ ଚୀନ ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଭାରତ ଭିତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିବା ଚୀନ ସେନାକୁ ଭାରତର ବୀର ଯବାନମାନେ କଡ଼ା ଜବାବ ଦେଇଛନ୍ତି। ଲଦାଖରେ ଉତ୍ତେଜନା ଲାଗି ରହିଥିବାବେଳେ ଏବେ ଚୀନ ସେନା ଅରୁଣାଚଳ ପ୍ରଦେଶରେ ତା’ର ନଖରାମି ଆରମ୍ଭ କରିଦେଇଛି। ଅରୁଣାଚଳ ପ୍ରଦେଶର ୫ ଜଣ ବାସିନ୍ଦାଙ୍କୁ ଅପହରଣ କରିନେଇଛି ଡ୍ରାଗନ ସେନା।

ମିଳିଥିବା ସୂଚନା ଅନୁଯାୟୀ, ଚୀନ୍‌ ସୀମା ସଂଲଗ୍ନ ଅରୁଣାଚଳପ୍ରଦେଶର ଉପର ସୁବନସିରି ଜିଲ୍ଲା ଅନ୍ତର୍ଗତ ନାଚୋ ଜଙ୍ଗଲକୁ ଶୁକ୍ରବାର ଶିକାର କରିବାକୁ ନାଚୋ ଇଲାକାର ୭ ଜଣ ବ୍ୟକ୍ତି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଚୀନର ସୈନିକମାନେ ଅପହରଣ କରିନେଇଥିବାବେଳେ ୨ ଜଣ କୌଶଳକ୍ରମେ ଖସି ଆସିଛନ୍ତି। ଗତ ଶୁକ୍ରବାର ସେମାନଙ୍କୁ ଭାରତ-ଚୀନ ସୀମାରୁ ଅପହରଣ କରାଯାଇଛି। ଖସି ଆସିଥିବା ୨ ଜଣ ବ୍ୟକ୍ତି ପୁଲିସକୁ ଏ ନେଇ ପ୍ରଥମେ ସୂଚନା ଦେଇଛନ୍ତି। ଏହାପରେ ଅପହୃତ ହୋଇଥିବା ବ୍ୟକ୍ତିମାନଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ କ୍ରମେ ସ୍ଥାନୀୟ ପୁଲିସ ଅପହୃତମାନଙ୍କୁ ଠାବ କରିବା ପାଇଁ ତଲାସ ଜାରି ରଖିଛି। ଅପହୃତମାନେ ସମସ୍ତେ ତାଗିନ ସମ୍ପ୍ରଦାୟର ବୋଲି ଜଣାଯାଇଛି। ଅପହୃତ ହୋଇଥିବା ବ୍ୟକ୍ତିମାନେ ହେଲେ ଟୋକ୍ ସିଙ୍ଗକମ୍‌, ପ୍ରଶାତ ରିଙ୍ଗଲିଙ୍ଗ, ଡୋଙ୍ଗଟୁ ଇବିୟା, ତାନୁ ବେକର ଓ ଏନଗାରୁ ଡିରି। ତୁରନ୍ତ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପାଇଁ ନାଚୋ ଥାନାର ଓଆଇସିକୁ ଏସ୍‌ପି ତାରୁ ଗୁସାର ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏହି ରିପୋର୍ଟ ରବିବାର ସକାଳେ ମିଳିପାରିବ ବୋଲି ଏସ୍‌ପି କହିଛନ୍ତି। ଅପହୃତଙ୍କ ପରିବାର ସଦସ୍ୟମାନେ ଜିଲ୍ଲା ମୁଖ୍ୟାଳୟ ଦାପୋରିଜୋରେ ରହୁଛନ୍ତି। ପରିବାରର କିଛି ସଦସ୍ୟ ଏ ସଂପର୍କରେ ସେନା ସହିତ ଆଲୋଚନା କରିବା ପାଇଁ ଶନିବାର ସକାଳେ ନାଚୋକୁ ଯାଇଛନ୍ତି। ଜିଲ୍ଲା ମୁଖ୍ୟାଳୟରୁ ନାଚୋର ଦୂରତା ପ୍ରାୟ ୧୨୦ କିମି। ଏହି ଘଟଣା ପାଇଁ ଚୀନ ସେନାକୁ କଡ଼ା ଜବାବ ଦିଆଯିବା ଆବଶ୍ୟକ ବୋଲି ପସିଘାଟ ବିଧାୟକ ନିନଙ୍ଗ ଏରିଙ୍ଗ୍ ଦାବି କରିଛନ୍ତି।

ପୂର୍ବରୁ ମାର୍ଚ୍ଚରେ ଚୀନ ସେନା ମ୍ୟାକମୋହନ ଲାଇନ ନିକଟ ଅସପିଲା ସେକ୍ଟରରୁ ଟଗଲି ସିନକମ ନାମକ ଜଣେ ୨୧ ବର୍ଷୀୟ ଯୁବକକୁ ଅପହରଣ କରିନେଇଥିଲା। ୧୯ ଦିନ ଧରି ତାଙ୍କୁ ଅଟକ ରଖିବା ପରେ ଛାଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe