ଭାରତରେ ଚୀନ୍ କମ୍ପାନିର ଗୁଇନ୍ଦାଗିରି: ଚୀନ୍‌ ଲେନ୍ସରେ ୧୦ ହଜାର ଭିଆଇପି

Advertisment

ମୋଦୀ, ବୋବ୍‌ଡ଼େ, ସୋନିଆ, ନବୀନ, ସୋନାଲ ମାନସିଂହଙ୍କ ନାମ

ମୋଦୀ, ବୋବ୍‌ଡ଼େ, ସୋନିଆ, ନବୀନ, ସୋନାଲ ମାନସିଂହଙ୍କ ନାମ

ଭାରତରେ ଚୀନ୍ କମ୍ପାନିର ଗୁଇନ୍ଦାଗିରି: ଚୀନ୍‌ ଲେନ୍ସରେ ୧୦ ହଜାର ଭିଆଇପି

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଭାରତ ଓ ଚୀନ ସେନା ମଧ୍ୟରେ ଉତ୍ତେଜନା ଲାଗିରହିଛି। ଏହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଥିବାବେଳେ ସମସ୍ତଙ୍କୁ ଚକିତ କରିବା ଭଳି ଆଉ ଏକ ଖବର ଏବେ ପଦାକୁ ଆସିଛି। ଚୀନର ଏକ ପ୍ରଯୁକ୍ତି କମ୍ପାନି ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି, ଏକାଧିକ ମୁଖ୍ୟମନ୍ତ୍ରୀ, ରାଜନେତା, ଖେଳାଳୀ, ଉଦ୍ୟୋଗୀ, ସାମ୍ବାଦିକଙ୍କ ସମେତ ବିଭିନ୍ନ କ୍ଷେତ୍ରର ଭିଆଇପିମାନେ ଚୀନ କମ୍ପାନିର ଲେନ୍ସରେ ରହିଛନ୍ତି। ଚୀନର ସେନଝେନଠାରେ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ଏହି କମ୍ପାନିର ନାମ ଝେନୁଆ ଡାଟା ଇନଫର୍ମେସନ୍‌ ଟେକ୍ନୋଲୋଜି କୋ. ଲିଃ. ରହିଛି। ଏହି କମ୍ପାନି ଭାରତର ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କର ତଥ୍ୟ ସଂଗ୍ରହ କରୁଛି। ଏହି ତଥ୍ୟକୁ ଚୀନ ସରକାର ଓ ଚୀନ୍‌ର କମ୍ୟୁନିଷ୍ଟ ଦଳକୁ ପ୍ରଦାନ କରୁଥିବା କୁହାଯାଉଛି। କେବଳ ଭାରତ ନୁହେଁ, ବିଶ୍ବର ଅନ୍ୟ କେତେକ ଦେଶରେ ମଧ୍ୟ ଏହି କମ୍ପାନି ଏଭଳି କାର୍ଯ୍ୟ ଚଳାଇଛି। ଭାରତର ଇଣ୍ଡିଆନ ଏକ୍ସପ୍ରେସ୍ ସମେତ ଅନ୍ୟ କେତେକ ଦେଶର ସମ୍ବାଦପତ୍ର ପକ୍ଷରୁ ଅନୁସନ୍ଧାନ କରାଯାଇ ଏହି ରିପୋର୍ଟ ପ୍ରକାଶ କରାଯାଇଛି। ଉକ୍ତ ଖବର ପ୍ରକାଶ ପାଇବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି। ଚୀନ ବିରୋଧରେ ଲୋକଙ୍କ ତଥ୍ୟ ଚୋରି ନେଇ ରହିଥିବା ସନ୍ଦେହ ଆହୁରି ବଢ଼ିଯାଇଛି।

ଚୀନ ସରକାର, ସେନାକୁ ଯୋଗାଇ ଦିଆଯାଉଛି ତଥ୍ୟ

ଝେନୁଆ କମ୍ପାନିର ଏହି ନିରୀକ୍ଷଣ ତାଲିକାରେ ଭାରତର ୫ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ, ୨୦ରୁ ଅଧିକ ମୁଖ୍ୟମନ୍ତ୍ରୀ ଓ ୩୫୦ରୁ ଅଧିକ ସାଂସଦଙ୍କ ନାମ ରହିଥିବା କୁହାଯାଉଛି। ଉକ୍ତ ଗୁଇନ୍ଦା କମ୍ପାନିର ନିଶାଣରେ ରହିଥିବା ପ୍ରମୁଖ ଭାରତୀୟଙ୍କ ମଧ୍ୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ତାଙ୍କ ପରିବାର ସମେତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଶୋକ ଗେହଲଟ୍‌, ଅମରିନ୍ଦର ସିଂହ, ଉଦ୍ଧବ ଥାକ୍‌ରେ, ନବୀନ ପଟ୍ଟନାୟକ, ଶିବରାଜ ସିଂହ ଚୌହାନ ଏବଂ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ରବି ଶଙ୍କର ପ୍ରସାଦ, ନିର୍ମଳା ସୀତାରମଣ, ସ୍ମୃତି ଇରାନୀ, ପୀୟୂଷ ଗୋଏଲ୍‌ ଓ ସିଡିଏସ୍‌ ବିପିନ ରାଵତଙ୍କ ସମେତ ତିନି ସେନାବାହିନୀର ଅତି କମ୍‌ରେ ୧୫ ଜଣ ପୂର୍ବତନ ମୁଖ୍ୟ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ ଏ ବୋବ୍‌ଡ଼େ, ଜଷ୍ଟିସ୍‌ ଏ ଏମ୍‌ ଖାନ୍‌ଵିଲକର, ଲୋକପାଳ ଜଷ୍ଟିସ୍‌ ପି ସି ଘୋଷ ଏବଂ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ଆଦି ରହିଛନ୍ତି। ସେହିପରି ଷ୍ଟାଟ୍‌ଅପ୍‌ ଉଦ୍ୟୋଗୀ ଭାରତ ପେ’ର ପ୍ରତିଷ୍ଠାତା ନିପୁଣ ମେହେରା ଓ ଅଥବ୍ରିଜ୍‌ର ଅଜୟ ତ୍ରେହାନଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ଶିଳ୍ପପତି ରତନ ଟାଟା ଓ ଗୌତମ ଆଦାନି ଆଦି ମଧ୍ୟ ଏହି ତାଲିକାରେ ରହିଛନ୍ତି। ତାଲିକାରେ ଭାରତର ପ୍ରାୟ ୨୫୦ ଜଣ କୂଟନୀତିଜ୍ଞ ଓ ବରିଷ୍ଠ ଅମଲାଙ୍କ ନାମ ରହିଛି।

ଏଥିରେ ଓଡ଼ିଶୀ ନୃତ୍ୟଶିଳ୍ପୀ ସୋନାଲ ମାନସିଂହଙ୍କ ସମେତ ନିତି ଆୟୋଗ ସିଇଓ ଅମିତାଭ କାନ୍ତ, ୨୩ ଜଣ ବର୍ତ୍ତମାନ ଓ ପୂର୍ବତନ ମୁଖ୍ୟ ଶାସନ ସଚିବ, ଏକ ଡଜନରୁ ଅଧିକ ବର୍ତ୍ତମାନ ଓ ପୂର୍ବତନ ପୁଲିସ ଡିଜିମାନେ ମଧ୍ୟ ଏହି କମ୍ପାନିର ନଜରରେ ରହିଛନ୍ତି। କେବଳ ଯେ ପ୍ରଭାବଶାଳୀ ରାଜନେତା, ଅଧିକାରୀ, ଶିଳ୍ପୋଦ୍ୟୋଗୀମାନେ ଝେନୁଆ କମ୍ପାନିର ଟାର୍ଗେଟରେ ରହିଛନ୍ତି ତାହା ନୁହେଁ, ଉଚ୍ଚ ପଦବିରେ ରହିଥିବା ପ୍ରମୁଖ ଅଧିକାରୀ, ବିଚାରପତି, ବୈଜ୍ଞାନିକ, ଶିକ୍ଷାବିତ୍‌, ସାମ୍ବାଦିକ, ଅଭିନେତା, କ୍ରୀଡ଼ାବିତ୍‌, ଧାର୍ମିକ ନେତା ଓ ସାମାଜିକ କର୍ମୀମାନେ ମଧ୍ୟ ଏହି କମ୍ପାନିର ତାଲିକାରେ ରହିଛନ୍ତି। ଏପରିକି ଦୁର୍ନୀତି, ଅପରାଧ, ଆତଙ୍କବାଦ, ନିଶା କାରବାର ଏବଂ ସୁନା, ଅସ୍ତ୍ରଶସ୍ତ୍ର ଓ ବନ୍ୟଜନ୍ତୁ ଚୋରାଚାଲାଣରେ ଲିପ୍ତଥିବା ଅଭିଯୁକ୍ତମାନଙ୍କୁ ମଧ୍ୟ କମ୍ପାନି ଛାଡ଼ିନାହିଁ। କେବଳ ଚୀନ ସରକାର କିମ୍ବା କମ୍ୟୁନିଷ୍ଟ ପାର୍ଟି ନୁହେଁ ଚୀନ୍‌ର ସୁରକ୍ଷା ସଂସ୍ଥା, ଗୁଇନ୍ଦା ସଂସ୍ଥା ଓ ସେନାବାହିନୀ ସହ କାମ କରୁଛି ବୋଲି ଝେନୁଆ କମ୍ପାନି କରୁଥିବା ଦାବି ଭାରତର ଚିନ୍ତା ବଢ଼ାଇ ଦେଇଛି। ଇଣ୍ଡିଆନ୍‌ ଏକ୍ସପ୍ରେସ ପକ୍ଷରୁ ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଝେନୁଆ କମ୍ପାନିର ତଥ୍ୟଭିତ୍ତିକ କାର୍ଯ୍ୟଶୈଳୀକୁ ତର୍ଜମା କରି ଏହି ଖୁଲାସା ହୋଇପାରିଛି। ସେନଝେନ ସହରଟି ଚୀନର ଦକ୍ଷିଣ ପୂର୍ବରେ ଅବସ୍ଥିତ ଗୁଆଙ୍ଗଡଙ୍ଗ ପ୍ରଦେଶରେ ରହିଛି। ଏହି କମ୍ପାନିର ପ୍ରତିଷ୍ଠାତା ହେଉଛନ୍ତି ୱାଙ୍ଗ ଜ୍ୟୁଫେଙ୍ଗ୍‌। ବିଦେଶରେ ଏହି କମ୍ପାନିର ପ୍ରାୟ ୨୦ଟି ଡାଟା ପ୍ରୋସେ‌ସିଂ ସେଣ୍ଟର ରହିଛି। ଦୈନିକ ୧୫ କୋଟି ଡାଟା ଉପରେ ଏହି କମ୍ପାନି ନଜର ରଖିଥାଏ। ଖବର ଓ ସୋସିଆଲ ମିଡିଆର ତଥ୍ୟ ଆଧାରରେ କମ୍ପାନି ଏସବୁ ବ୍ୟକ୍ତିଙ୍କ ତଥ୍ୟର ବିଶ୍ଳେଷଣ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe