Image Courtesy of Hindustan Times
ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ୧୦ଜଣିଆ ସଦସ୍ୟବିଶିଷ୍ଟ ଏକ ଚୀନା ଗୁପ୍ତଚର ଦଳ ଧରାପଡ଼ିଥିବା କଥା କୂଟନୀତିଜ୍ଞ ଏବଂ ନିରାପତ୍ତା ଅଧିକାରୀମାନେ କହିଛନ୍ତି।
ଗୁପ୍ତଚରଗିରି ଏବଂ ଆତଙ୍କବାଦୀ ସଙ୍ଗଠନ ଚଳାଉଥିବା ଅଭିଯୋଗରେ ସେହି ୧୦ଜଣ ଚୀନ୍ ନାଗରିକଙ୍କୁ ଆଫଗାନିସ୍ତାନର ‘ନ୍ୟାସ୍ନାଲ୍ ଡାଇରେକ୍ଟୋରେଟ୍ ଅଫ୍ ସିକ୍ୟୁରିଟି’ (ଏନ୍ଡିଏସ୍) ଅଟକ ରଖିଛି। ସେମାନେ ଚୀନ୍ର ଗୁପ୍ତଚର ଏଜେନ୍ସି ଏବଂ ରାଷ୍ଟ୍ରୀୟ ନିରାପତ୍ତା ମନ୍ତ୍ରାଳୟ ସହ ସମ୍ପୃକ୍ତ ଥିବା ପରି ମନେହେଉଛି। ଡିସେମ୍ବର ୧୦ ତାରିଖ ଦିନ ‘ଏନ୍ଡିଏସ୍’ ସେମାନଙ୍କୁ ଧରିବାକୁ ଚଢ଼ାଉ ଆରମ୍ଭ କରିଥିଲା।
ଧରାପଡ଼ିଥିବା ୧୦ଜଣ ଚୀନ୍ ନାଗରିକଙ୍କ ମଧ୍ୟରୁ ଅନ୍ୟୂନ ଦୁଇଜଣ ଆତଙ୍କବାଦୀ ସଙ୍ଗଠନ ‘ହାକ୍ୱିନି ନେଟ୍ଓ୍ଵାର୍କ’ ସହ ସମ୍ପର୍କ ରଖିଥିବା କଥା କାବୁଲରେ ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି।
Image Courtesy of Asia News Pressଏ ସଂକ୍ରାନ୍ତରେ ରାଷ୍ଟ୍ରପତି ଅସ୍ରଫ୍ ଘନିଙ୍କୁ ଅବଗତ କରାଯିବା ପରେ ସେ ପ୍ରଥମ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ୍ଙ୍କୁ ଏହି ଘଟଣା ତଦନ୍ତ ପ୍ରକ୍ରିୟାର ତତ୍ତ୍ୱାବଧାନ କରିବା ସହ ଚୀନ୍ ସହ ଆଲୋଚନା କରିବାକୁ ଦାୟିତ୍ୱ ଦେଇଛନ୍ତି। ପୂର୍ବରୁ ଅମରୁଲ୍ଲା ଆଫ୍ଗାନ ଗୁଇନ୍ଦା ଏଜେନ୍ସିର ମୁଖ୍ୟ ଥିଲେ।
ସେ ମଧ୍ୟ କାବୁଲସ୍ଥିତ ଚୀନ୍ର ରାଷ୍ଟ୍ରଦୂତ ଓ୍ଵାଙ୍ଗ୍ ଉ’ଙ୍କ ସହ ଏକ ବୈଠକ କରି ଅଟକ ଚୀନା ନାଗରିକମାନଙ୍କ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ବେଜିଙ୍ଗ୍ ଯଦି ଔପଚାରିକ କ୍ଷମାପ୍ରାର୍ଥନା କରିବା ସହ ଆନ୍ତର୍ଜାତିକ ନିୟମ ଉଲ୍ଲଂଘନ ଏବଂ କାବୁଲ ପ୍ରତି ବିଶ୍ୱାସଘାତକତା କରିଥିବା ସ୍ୱୀକାର କରେ, ତେବେ ଆଫଗାନ ସରକାର ଚୀନା ଗୁପ୍ତଚରମାନଙ୍କୁ କ୍ଷମା ଦେବା କଥା ବିଚାର କରିପାରନ୍ତି ବୋଲି ସାଲେହ୍ ତାଙ୍କୁ କହିଛନ୍ତି।
Follow Us