ଭାରତ ସୀମାରେ ଚୀନ୍ ସେନାର ରାତ୍ରି ସମରାଭ୍ୟାସ: ଭାରୀ ଯୁଦ୍ଧାସ୍ତ୍ର ଠୁଳ, ଭିତ୍ତିଭୂମି ନିର୍ମାଣ ଚାଲିଛି

Advertisment
ଭାରତ ସୀମାରେ ଚୀନ୍ ସେନାର ରାତ୍ରି ସମରାଭ୍ୟାସ: ଭାରୀ ଯୁଦ୍ଧାସ୍ତ୍ର ଠୁଳ, ଭିତ୍ତିଭୂମି ନିର୍ମାଣ ଚାଲିଛି

ନୂଆଦିଲ୍ଲୀ: ଚୀନ୍ ସେନାର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ନିଜର ଯୁଦ୍ଧ କ୍ଷମତା ବୃଦ୍ଧି କରିବା ପାଇଁ ଭାରତ ସୀମାରେ ରାତ୍ରି ସମରାଭ୍ୟାସ କରୁଥିବା ସୂଚନା ମିଳିଛି। ଏହି ଥିଏଟର କମାଣ୍ଡ ସିଞ୍ଜିୟାଙ୍ଗ ଓ ତିବ୍ବତ ସ୍ବୟଂଶାସିତ ଅଞ୍ଚଳ ସମେତ ଭାରତ ସୀମା ଉପରେ ନଜର ରଖିବା ଦାୟିତ୍ବରେ ରହିଛି। ପିଏଲ୍‌ଏର ଏହି କମାଣ୍ଡ ଦାୟିତ୍ବରେ ସର୍ବବୃହତ୍ ଅଞ୍ଚଳ ରହିଛି। ପୂର୍ବ ଲଦାଖରେ ସୀମା ବିବାଦ ଓ ତା’ର ସମାଧାନ ପାଇଁ ଦୁଇଦେଶ ଭିତରେ କୂଟନୈତିକ କଥାବାର୍ତ୍ତା ଜାରି ରହିଥିବା ବେଳେ ଚୀନ୍‌ର ପିପୁଲ୍‌ସ ଲିବରେସନ ଆର୍ମି ଭାରତ ସୀମା ନିକଟ ସିଞ୍ଜିୟାଙ୍ଗ ଅଞ୍ଚଳରେ ୧୬,୦୦୦ ଫୁଟ୍‌ ଉଚ୍ଚତାରେ ଏହି ରାତ୍ରି ଅଭ୍ୟାସ ଆରମ୍ଭ କରିଛି। ଚଳିତବର୍ଷ ପ୍ରାରମ୍ଭରେ ଚୀନ୍ ତିବ୍ବତ ସାମରିକ ଅଞ୍ଚଳରୁ ସିଞ୍ଜିୟାଙ୍ଗ ଅଞ୍ଚଳକୁ ସେନା ସ୍ଥାନାନ୍ତର କରିଥିଲା, ଯାହା କାରାକୋରମ୍ ପାସ୍ ଦେଇ ଭାରତର ଲଦାଖ ଅଞ୍ଚଳକୁ ସଂଯୋଗ କରୁଛି। ପୁନଶ୍ଚ ସେମାନେ ସେଠାରେ କ୍ଷେପଣାସ୍ତ୍ର ସମେତ ଭାରୀ ଯୁଦ୍ଧାସ୍ତ୍ର ଠୁଳ କରିବା ସହ ତିବ୍ବତୀୟ ମାଳଭୂମିରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି।

ଏହା ସହିତ ଚୀନ୍ ତିବ୍ବତୀୟ ମାଳଭୂମିରେ ଥିବା ତା’ର ବାୟୁସେନା ଘାଟିଗୁଡ଼ିକର ନବୀକରଣ କରିଛି, ଯେଉଁଠି ଦ୍ବୈତ ଇଂଜିନଧାରୀ ଲଢ଼ୁଆ ବିମାନ ରହିପାରିବ। ସେମାନେ ସାମରିକ ପରିବହନ ନିମନ୍ତେ ସିଞ୍ଜିୟାଙ୍ଗ ଓ ତିବ୍ବତରେ ନିର୍ମିତ ୩୦ଟି ବିମାନବନ୍ଦରର ନବୀକରଣ ପ୍ରକ୍ରିୟା ଜାରି ରଖିଛନ୍ତି। ଚୀନ୍ ତିବ୍ବତରେ ଭିତ୍ତିଭୂମିଗୁଡ଼ିକର ନବୀକରଣ କରିବା ସହ ପ୍ରାଦେଶିକ ରାଜଧାନୀ ଲାସା ଏବଂ ତିବ୍ବତ ସୀମାରେ ଥିବା ତଥା ଅରୁଣାଚଳ ପ୍ରଦେଶକୁ ଲାଗିଥିବା ନିଙ୍ଗଚି ସହର ମଧ୍ୟରେ ଦ୍ରୁତଗାମୀ ବୁଲେଟ୍ ଟ୍ରେନ୍ ପ୍ରଚଳନ କରିଛି। ଲାଇନ୍ ଅଫ୍ ଆକ୍‌ଚୁଆଲ କଣ୍ଟ୍ରୋଲ (ଏଲ୍‌ଏସି) ନିକଟରେ ଚୀନ୍ ସାମରିକ ଭିତ୍ତିଭୂମି ବଢ଼ାଇବାରେ ଲାଗିଛି। ଭାରତ ମଧ୍ୟ ସୀମା ସୁରକ୍ଷା ନିମନ୍ତେ ଚୀନ୍ ସୀମାରେ ୫୦,୦୦୦ ସୈନ୍ୟ ନିଯୁକ୍ତ କରିଛି।

କଥାବାର୍ତ୍ତା ମାଧ୍ୟମରେ ଦୁଇ ଦେଶ ସମସ୍ୟାର ସମାଧାନ କରିବାକୁ ରାଜି ହୋଇଥିଲେ। ଗତମାସରେ ଭାରତ ଓ ଚୀନ୍ ସଂଘର୍ଷ ଅଞ୍ଚଳ ଓ ଗୋଗ୍ରାଠାରେ ଥିବା ପାଟ୍ରୋଲିଂ ପଏଣ୍ଟ ୧୭ରୁ ନିଜ ନିଜର ସେନାକୁ ପଛକୁ ହଟାଇ ନେଇଥିଲେ। ଡେପସାଙ୍ଗ ସମତଳରେ ଥିବା ଅନ୍ୟ ସଂଘର୍ଷ ଅଞ୍ଚଳରୁ ସେନା ପ୍ରତ୍ୟାହାର ନିମନ୍ତେ ଭାରତୀୟ ସେନା ପ୍ରତିନିଧି ତାଙ୍କ ଚୀନ୍ ପ୍ରତିପକ୍ଷଙ୍କୁ ଭେଟିବେ। ତେବେ ଚୀନ୍‌ର ସାମ୍ପ୍ରତିକ ରାତ୍ରି ସମରାଭ୍ୟାସକୁ ଦେଖିଲେ ଭାରତ ବିରୋଧରେ କିଛି ବଡ଼ ଧରଣର ଯୋଜନା ହେଉଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe