Image Courtesy of The Indian Express
ନୂଆଦିଲ୍ଲୀ: ସମ୍ପ୍ରତି ଚୀନ୍ ଦେଶର ପିତାମାତାମାନେ ସେମାନଙ୍କ ପିଲାମାନଙ୍କୁ ‘ଚିକେନ୍ ବ୍ଲଡ୍ ଇଞ୍ଜେକସନ୍’ (କୁକୁଡ଼ା ରକ୍ତ ଇଞ୍ଜେକ୍ସନ୍) ଦେଉଥିବା କଥା ‘ଦି ସିଙ୍ଗାପୁର୍ ପୋଷ୍ଟ୍’ ରିପୋର୍ଟ କରିଛି।
ପ୍ରାପ୍ତ ରିପୋର୍ଟ ଅନୁସାରେ, ‘କୁକୁଡ଼ା ରକ୍ତ ଚିକିତ୍ସା’ ଚୀନ୍ରେ ସାଂସ୍କୃତିକ ବିପ୍ଳବ ସମୟରେ ଖୁବ୍ ଜନପ୍ରିୟ ହୋଇଥିଲା। ବନ୍ଧ୍ୟାତ୍ବ, କର୍କଟ ରୋଗ ଏବଂ ଚନ୍ଦାପଣ ସମେତ ନାନାବିଧ ସ୍ବାସ୍ଥ୍ୟଗତ ସମସ୍ୟାର ‘ମହୌଷଧି’ ବିଚାରି ସଦ୍ୟ କୁକୁଡ଼ା ରକ୍ତ ‘ଇଞ୍ଜେକ୍ସନ୍’ ନେବା ପାଇଁ ଲୋକେ ନିଜ ନିଜର ‘ଗଞ୍ଜା’କୁ ଧରି ଧାଡ଼ି ବାନ୍ଧି ଅପେକ୍ଷା କରୁଥିଲେ। କିନ୍ତୁ, ସମୟକ୍ରମେ ତା’ର ଜନପ୍ରିୟତା ଥମି ଯାଇଥିଲା। ଏବେ କିନ୍ତୁ, ‘ଚିକେନ୍ ବ୍ଲଡ୍ ଇଞ୍ଜେକ୍ସନ୍’ ଉକ୍ତିଟିର ଅର୍ଥ ବଦଳି ଯାଇ ପୁଣି ଚୀନ୍ର ଚହଳ ପକାଇଛି।
ଚୀନ୍ର ଏହି ‘ଚିକେନ୍ ବ୍ଲଡ୍ ଇଞ୍ଜେକସନ୍’ ବା ‘ଚିକେନ୍ ପ୍ୟାରେଣ୍ଟିଙ୍ଗ୍’ ଶୈଳୀ ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ‘ହେଲିକପ୍ଟର୍ ପ୍ୟାରେଣ୍ଟିଙ୍ଗ୍’ ଶୈଳୀ ସହ ପ୍ରାୟ ସମାନ। ସନ୍ତାନସନ୍ତତିଙ୍କୁ ଏଭଳି ଭାବେ ଲାଳନପାଳନ କରୁଥିବା ପିତାମାତାଙ୍କର ବିଶ୍ବାସ ଯେ, ସଭିଏଁ ପ୍ରାୟ ସମାନ ମେଧା ପ୍ରଦର୍ଶନ କରୁଥିବାରୁ ପିଲାମାନଙ୍କ ପାଇଁ କେବଳ ଗୋଟିଏ ସ୍କୁଲ୍ ଓ ଉତ୍ତମ ‘ଗ୍ରେଡ୍’ ଯଥେଷ୍ଟ ନୁହେଁ। ତେଣୁ, ସେମାନେ ପିଲାମାନଙ୍କ ଠାରୁ ଆହୁରି ବହୁତ କିଛି ଆଶା କରୁଛନ୍ତି।
Image Courtesy of Zee Newsତେଣୁ, ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅଧିକ ପାରଙ୍ଗମ କରିବା ଲାଗି ଚୀନା ଅଭିଭାବକମାନେ ସ୍ବତନ୍ତ୍ର ‘ଟ୍ୟୁଟର୍’ ଏବଂ ସର୍ବୋତ୍ତମ କ୍ରୀଡ଼ା ପ୍ରଶିକ୍ଷକ ଏବଂ ସହରରେ ଥିବା ସର୍ବୋତ୍ତମ ‘ପବ୍ଲିକ୍ ସ୍କୁଲ୍’ ବ୍ୟବସ୍ଥା କରାଉଛନ୍ତି।
ଏହି ‘ଚିକେନ୍ ବ୍ଲଡ୍ ଇଞ୍ଜେକସନ୍’ ପିଲାମାନଙ୍କୁ ମାତ୍ରାଧିକ ସକ୍ରିୟ କରାଇ ସେମାନଙ୍କୁ ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ଅଧିକ ପାରଙ୍ଗମ କରିବାରେ ସହାୟକ ହେଉଛି। ‘ସପ୍ଚାଇନା ଡଟ୍ କଅମ୍’ ମଧ୍ୟ କହିଛି ଯେ, ଦେଶରେ, ବିଶେଷକରି ଅଧିକ ସଂଖ୍ୟକ ମଧ୍ୟମ ବର୍ଗର ଚୀନା ପିତାମାତା ଥିବା ବେଜିଙ୍ଗ୍, ସଙ୍ଘାଇ ଏବଂ ଗୁଆଞ୍ଜୌଉ ସହରମାନଙ୍କରେ ‘ଚିକେନ୍ ବେବି’ ଚିନ୍ତାଧାର ଖୁବ୍ ଜନପ୍ରିୟ ହୋଇଗଲାଣି।
ଏହା ବ୍ୟତିରେକେ, ନିକଟ ଅତୀତରେ ଚୀନ୍ର ଶିକ୍ଷା ବ୍ୟବସ୍ଥାରେ ହୋଇଥିବା ସଂସ୍କାର ଅନୁସାରେ, ସ୍କୁଲ୍ରେ ଆଡ୍ମିସନ୍ କରିବା ଲାଗି ଜଣେ ଛାତ୍ରର ମନସ୍ତତ୍ତ୍ବ, ସାଂସ୍କୃତିକ ଏବଂ କଳାତ୍ମକ ଦକ୍ଷତା ଏବଂ ଆନ୍ତର୍ଜାତିକ ଅଭିଜ୍ଞତା ଆଦି ବିଚାରକୁ ନିଆଯାଉଛି। ତେଣୁ, ଏବେ ପିଲାମାନଙ୍କୁ ଇଂରାଜୀ, ଗଣିତ, ଚୀନା ଭାଷା ଏବଂ ଅନ୍ୟ ବିଷୟ ଆଦି ଶିକ୍ଷା ଦେବା ପାଇଁ ‘ଚିକେନ୍ ପ୍ୟାରେଣ୍ଟସ୍’ମାନେ ତାଲିମ ପ୍ରତିଷ୍ଠାନମାନଙ୍କୁ ପଠାଉଛନ୍ତି।
Follow Us