ନୂଆଦିଲ୍ଲୀ: ସାଂସଦ ହଉ ହଉ ଚାପୁଡ଼ା ଖାଇଲେ ବଲିଉଡ ଅଭିନେତ୍ରୀ ତଥା ବିଜେପିର ନବ ନିର୍ବାଚିତ ସାଂସଦ କଙ୍ଗନା ରାନାୱତ | ତାଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ଜଣେ ସିଆଇଏସ୍ଏଫ୍ ଗାର୍ଡ କୁଲବିନ୍ଦର କୌର ଚାପୁଡ଼ା ମାରିଥିଲେ। ଜୁନ ୬ତାରିଖରେ ଏହି ଘଟଣା ଘଟିଥିବା ବେଳେ ଏବେ ଅଭିଯୁକ୍ତ ସିଆଇଏସ୍ଏଫ୍ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି | ଅନେକ କଙ୍ଗନାଙ୍କୁ ସମର୍ଥନ କରୁଥିବା ବେଳେ ଅନେକ ଅଭିଯୁକ୍ତଙ୍କୁ ସମର୍ଥନ କରୁଥିବା ଦେଖାଯାଇଛି |
ଏବେ କୁଲବିନ୍ଦର କୌରଙ୍କ ଭାଇ ଶେର ସିଂ ମହିଭାଲ ତାଙ୍କୁ ସମର୍ଥନ କରିଥିବା ଜଣାପଡିଛି | ଭଉଣୀ ଯାହା କରିଛି ଠିକ କରିଛି | ଆମେ ତାଙ୍କ ପାଇଁ ଗର୍ବିତ ବୋଲି ସେ କହିଛନ୍ତି | ସେ କହିଛନ୍ତି ଯେ, “ମୁଁ ଗଣମାଧ୍ୟମ ମାଧ୍ୟମରେ ଜାଣିଲି ଯେ ଚଣ୍ଡିଗଡ଼ ବିମାନବନ୍ଦରରେ କିଛି ଘଟିଛି। ମୁଁ ଜାଣିବାକୁ ପାଇଛି ଏହି ଘଟଣା କଙ୍ଗନାଙ୍କ ମୋବାଇଲ୍ ଏବଂ ପର୍ସ ଯାଞ୍ଚ ସମୟରେ ଘଟିଛି। କୃଷକଙ୍କ ଆନ୍ଦୋଳନ ସମୟରେ କଙ୍ଗନା କହିଥିଲେ ଯେ ମହିଳାମାନେ ସେଠାରେ ୧୦୦ଟଙ୍କା ପାଇଁ ବସିଥିଲେ। ଏହି କଥାକୁ ନେଇ ଯୁକ୍ତିତର୍କ ହେବା ପରେ, ମୋ ଭଉଣୀ ନିଶ୍ଚିତ ଭାବରେ ଭାବପ୍ରବଣ ହୋଇ ରାଗରେ ତାଙ୍କୁ ଚାପୁଡ଼ା ମାରିଥିବେ | ଉଭୟ ଯବାନ ଏବଂ କୃଷକ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସେମାନଙ୍କର କର୍ତ୍ତବ୍ୟ ପାଳନ କରୁଛନ୍ତି | ଏହି ପ୍ରସଙ୍ଗରେ ଆମେ କୁଲବିନ୍ଦର କୌରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଛୁ |”
Follow Us