ରୁଷ୍‌ ଓ ୟୁକ୍ରେନ୍‌ ସେନା ମଧ୍ୟରେ ସଂଘର୍ଷ ସୁନିଶ୍ଚିତ: ପୁଟିନ୍‌

ରୁଷ୍‌ ଓ ୟୁକ୍ରେନ୍‌ ସେନା ମଧ୍ୟରେ ସଂଘର୍ଷ ସୁନିଶ୍ଚିତ: ପୁଟିନ୍‌

ନୂଆଦିଲ୍ଲୀ: ରୁଷୀୟ ଏବଂ ୟୁକ୍ରେନୀୟ ସେନା ମଧ୍ୟରେ ସଂଘର୍ଷ ସୁନିଶ୍ଚିତ ବୋଲି ଆଜି ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ କହିବା ସହ ଅସ୍ତ୍ରଶସ୍ତ୍ର ରଖି ଘରକୁ ଫେରିଯିବା ପାଇଁ ୟୁକ୍ରେନୀୟ ସୈନିକମାନଙ୍କୁ କହିଛନ୍ତି।

ଆଜି ସକାଳ ୬ଟା ପୂର୍ବରୁ ମସ୍କୋରେ ଟେଲିଭିଜନ୍‌ରେ ବିବୃତି ଦେଇ ପୁଟନ୍ କହିଛନ୍ତି, ସାମରିକ ଅଭ‌ିଯାନ ପାଇଁ ମୁଁ ନିଷ୍ପତ୍ତି ନେଇଛି ଏବଂ ଏଥିରେ ଯେ କେହି ହସ୍ତକ୍ଷେପ କରିବ ତା’ ଉପରେ ପ୍ରତିଶୋଧ ନିଆଯିବ। ପ୍ରତିଶୋଧର ପରିଣାମ ଏଭଳି ହେବ ଆପଣମାନେ ତାହା ଇତିହାସରେ ବି ଦେଖି ନ ଥିବେ।

ୟୁକ୍ରେନୀୟ ସୈନିକମାନଙ୍କୁ ସେ କହିଛନ୍ତି, ଆପଣମାନଙ୍କ ପୂର୍ବଜମାନେ ‘ନାଜି’ମାନଙ୍କ ବିରୋଧରେ ଲଢ଼ିଥିଲେ। ତେଣୁ, କିଏଭ୍‌ର ‘ନାଜି’ସେନା ଚଳାଇଥିବା ଶାସନର ଆଦେଶ ପାଳନ କରନ୍ତୁ ନାହିଁ। ଅସ୍ତ୍ରଶସ୍ତ୍ର ରଖି ଘରକୁ ଫେରିଯାଆନ୍ତୁ।

ୟୁକ୍ରେନ୍‌ରେ ସାମରିକ ଅଭିଯାନ ଘୋଷଣା କରି ପୁଟିନ୍‌ କହିଛନ୍ତି ଯେ, ୟୁକ୍ରେନ୍‌ ସେନାକୁ ହଟାଇବା ଏବଂ ସେଠାକାର ନେତାମାନଙ୍କ ବିଚାର ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଅପରିହାର୍ଯ୍ୟ। ଏଥିପାଇଁ ଆମେ ସ୍ବତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ଲାଗି ସ୍ଥିର କରିଛୁ।

publive-image Image Courtesy of NDTV

ଏହା ପୂର୍ବରୁ ଜାତିସଂଘ ନିରାପତ୍ତା ପରିଷଦ୍‌ ଆୟୋଜନ କରିଥିବା ଜରୁରୀ ବୈଠକରେ ଯୁକ୍ତରାଷ୍ଟ୍ର ଆମେରିକା କହିଥିଲା ଯେ, ରୁଷ୍‌ ୟୁକ୍ରେନ୍‌ର ସାର୍ବଭୌମତ୍ବ ଉଲ୍ଲଂଘନ କରୁଛି। ରୁଷ୍‌ କହୁଛି ଯେ, ଆମେ ମିଥ୍ୟା କହୁଛୁ। ଆମେ ବିପଦର ସତର୍କ ସୂଚନା ଜାରି କରୁଥିବା ବେଳେ ରୁଷୀୟ କୂଟନୀତିଜ୍ଞମାନେ ମାନବ ଦୁର୍ଦ୍ଦଶା ଦେଖି ହସୁଛନ୍ତି।

ଇଂଲଣ୍ଡ୍‌ କହିଥିଲା କି, ସମଗ୍ର ବିଶ୍ବ ଶାନ୍ତି ପାଇଁ ଆହ୍ବାନ ଦେଉଥି‌ବା ବେଳେ ରୁଷ୍‌ ସେଥି ପ୍ରତି କର୍ଣ୍ଣପାତ କରୁନାହିଁ। ଆଲ୍‌ବାନିଆ କହିଛି ଯେ, ସେମାନଙ୍କ ଇତିହାସରେ ଏହା ହେଉଛି ଜଟିଳ ସମୟ। ଶାନ୍ତି ଓ ନିରାପତ୍ତା ରକ୍ଷା ପାଇଁ ବିଶ୍ବର ରାଷ୍ଟ୍ରସମୂହ ସହଯୋଗ କରନ୍ତୁ ବୋଲି ଆଲ୍‌ବାନିଆର ଜଣେ ମୁଖପାତ୍ର କହିଛନ୍ତି।

ଜାତିସଂଘର ମହାନିର୍ଦେଶକ ଆଣ୍ଟୋନିଓ ଗୁଟେରେସ୍‌ ମଧ୍ୟ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କୁ ଅନୁରୋଧ କରି କହିଛନ୍ତି କି, ୟୁକ୍ରେନ୍‌ ଆକ୍ରମଣରୁ ନିବୃତ ରହିବାକୁ ଆପଣଙ୍କ ସୈନ୍ୟଙ୍କୁ ଆଦେଶ ଦିଅନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe