ଦୁର୍ବିପାକ ପଛରେ ପାଗ ପରିବର୍ତ୍ତନ

Advertisment
ଦୁର୍ବିପାକ ପଛରେ ପାଗ ପରିବର୍ତ୍ତନ

ଡେରାଡୁନ୍‌: ରବିବାର ଉତ୍ତରାଖଣ୍ଡରେ ହିମଶୈଳ ଫାଟି ଏପରି ବନ୍ୟା ଦୁର୍ବିପାକ ଆଣିବା ଘଟଣା ପାଣିପାଗ ବିଶେଷଜ୍ଞ ଓ ଗବେଷକମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। କାରଣ ଫେବ୍ରୁଆରି ପ୍ରଥମ ସପ୍ତାହରେ ଏପରି ଅଘଟଣ ହୋଇଛି, ଯେତେବେଳେ ଉତ୍ତରାଖଣ୍ଡର ଚାମୋଲି ପର୍ବତରେ ତାପମାତ୍ରା ଶୂନଡିଗ୍ରି ତଳକୁ ବି ଖସି ଆସିଥାଏ। ଅପରପକ୍ଷେ, ଗ୍ରୀଷ୍ମକାଳ ଆସିବାକୁ ଆହୁରି ଅନେକ ଦିନ ବାକି ଅଛି। ତେଣୁ ଏଭଳି ଥଣ୍ଡାଦିନରେ କିପରି ଓ କାହିଁକି ହିମଶୈଳ ଫାଟିଲା ବୋଲି ଭୂତତ୍ତ୍ବବିତ୍‌ମାନେ କାରଣ ଖୋଜିବାରେ ବ୍ୟସ୍ତ। ତେବେ ଏଥିପାଇଁ ଜଳବାୟୁର ତାପମାତ୍ରା ନୁହେଁ, ବରଂ ପାଣିପାଗରେ ପରିବର୍ତ୍ତନକୁ ବିଶେଷଜ୍ଞମାନେ ଦାୟୀ କରିଛନ୍ତି। ଏ ବାବଦରେ ଅଧିକ ଅନୁଶୀଳନ ପାଇଁ ଇସ୍ରୋ ବୈଜ୍ଞାନିକଙ୍କ ସହାୟତା ରାଜ୍ୟ ସରକାର ଲୋଡ଼ିଛନ୍ତି।

ସୂଚନାଯୋଗ୍ୟ, ସାଧାରଣତଃ ଶୀତଦିନେ ହିମଶୈଳଗୁଡ଼ିକ ସ୍ବାଭାବିକ ଭାବେ ଅଧିକ କଠିନ ହେବା ସହ ସ୍ଥିର ଓ ଅଚଳ ଅବସ୍ଥାରେ ରହିବା କଥା। ଏପରିକି ଏହାର କଡ଼ଗୁଡ଼ିକ ମଧ୍ୟ ମାତ୍ରାଧିକ ଟାଣ ହୋଇ ରହିଥାନ୍ତି। ତେବେ ରବିବାରର ଦୁର୍ବିପାକ କୌଣସି ଭୂସ୍ଖଳନ ଦ୍ବାରା ସମ୍ଭବ, ମାତ୍ର ଚାମୋଲିରେ ସେଭଳି କିଛି ଘଟିନଥିବା ଵାଦିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହିମାଲୟାନ୍‌ ଜିଓଲୋଜିର ବରିଷ୍ଠ ବୈଜ୍ଞାନିକ ମନୀଶ ମେହଟା କହିଛନ୍ତି। ତାଙ୍କ କହିବା ଅନୁସାରେ, ଋଷିଗଙ୍ଗା ନଦୀର ଉପରମୁଣ୍ଡରେ ରହିଥିବା ଉତ୍ତରୀ ନନ୍ଦାଦେବୀ, ଚାଙ୍ଗବାଙ୍ଗ, ରାମ୍ନି ବାଙ୍କ, ବେଥାରତୋଳି, ତ୍ରିଶୂଲ, ଦକ୍ଷିଣୀ ନନ୍ଦାଦେବୀ, ଦକ୍ଷିଣୀ ଋଷିବାଙ୍କ ଓ ରୌନ୍ଥି ବାଙ୍କ ଆଦି ଆଠଟି ଯାକ ହିମଶୈଳ ଗତ ତିନି ଦଶନ୍ଧି ଭିତରେ ସେମାନଙ୍କର ୧୦ ପ୍ରତିଶତରୁ ଅଧିକ ଆୟତନ ହରାଇ ସାରିଲେଣି। ୧୯୮୦ ମସିହାରେ ତାହା ୨୪୩ ବର୍ଗ କିମି ଥିବା ବେଳେ ୨୦୧୭ ବେଳକୁ ତାହା ୨୧୭ ବର୍ଗ କିମିକୁ ଖସି ଆସିଛି। ସେମାନଙ୍କ ଭିତରେ ଉତ୍ତରୀ ନନ୍ଦାଦେବୀ ହିମଶୈଳରେ ସର୍ବାଧିକ ହ୍ରାସ ଦେଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe