ଜଳବାୟୁ ପରିବର୍ତ୍ତନ ଆଣିବ ଜଳସଂକଟ, ଭାରତ ସମେତ ୧୬ ଏସୀୟ ଦେଶ ବିପଦରେ

Advertisment
ଜଳବାୟୁ ପରିବର୍ତ୍ତନ ଆଣିବ ଜଳସଂକଟ, ଭାରତ ସମେତ ୧୬ ଏସୀୟ ଦେଶ ବିପଦରେ

ନୂଆଦିଲ୍ଲୀ : ଭାରତ ସମେତ ୧୬ଟି ଏସୀୟ ଦେଶ ଜଳବାୟୁ ପରିବର୍ତ୍ତନ-ଜନିତ ଜଳସଂକଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହିନ୍ଦୁକୁଶ-ହିମାଳୟୀୟ ଜଳ ବ୍ୟବସ୍ଥା ଏବେ ଏସିଆ ପାଇଁ ଚିନ୍ତାର କାରଣ ହୋଇଛି।
ହିନ୍ଦୁକୁଶ-ହିମାଳୟୀୟ ଅବବାହିକା ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହୋଇଥିବାରୁ ଭାରତ ସମେତ ୧୬ଟି ଦେଶ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବା ଆଶଙ୍କା କରାଯାଉଛି। ଏହି ଅଞ୍ଚଳରୁ ୧୦ଟି ପ୍ରମୁଖ ନଦୀ ପ୍ରବାହିତ ହେଉଛି। ୧୦୦ କୋଟିରୁ ଊର୍ଦ୍ଧ୍ବ ଲୋକ ଏହା ଉପରେ ନିର୍ଭର କରନ୍ତି ଏବଂ ଏହି ନଦୀଗୁଡ଼ିକ ବାର୍ଷିକ ୪.୩ ଟ୍ରିଲିୟନ (ହଜାର କୋଟି) ଡଲାରର ଜିଡିପି ସୃଷ୍ଟି କରିଥାନ୍ତି।
ଉକ୍ତ ୧୦ଟି ନଦୀ ଭିତରେ ଅଛନ୍ତି- ଭାରତ ଓ ବାଂଲାଦେଶରେ ପ୍ରବାହିତ ହେଉଥିବା ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀ, ଚୀନ୍‌ର ୟାଙ୍ଗସେ ଓ ୟେଲୋ ରିଭର୍ସ ଏବଂ ଦୁଇ ଦେଶର ସୀମା ଭିତ‌ରଦେଇ ପ୍ରବାହିତ ହେଉଥିବା ମେକଙ୍ଗ ଓ ସାଲୱିନ ନଦୀ।

publive-image UNICEF

ଚୀନ୍ ୱାଟର ରିସ୍କ ଥିଙ୍କ ଟ୍ୟାଙ୍କର ଗବେଷଣା ଅନୁଯାୟୀ ଜଳବାୟୁ ପରିବର୍ତ୍ତନ-ଜନିତ ହିମଶୈଳ ତରଳିବା ଓ ଚରମ ପାଣିପାଗ ଉକ୍ତ ଅଞ୍ଚଳ ପାଇଁ ବିପଦ ଆଶଙ୍କା ସୃଷ୍ଟି କରୁଛି। ନଦୀଗୁଡ଼ିକରେ ନିର୍ମାଣ କରାଯାଉଥିବା ଜଳବିଦ୍ୟୁତ୍ ପ୍ରକଳ୍ପଗୁଡ଼ିକ ସମସ୍ୟାକୁ ଆହୁରି ବଢ଼ାଉଥିବା ଉକ୍ତ ଥିଙ୍କ ଟ୍ୟାଙ୍କ ପ୍ରକାଶ କରିଛି। ଆମେ ଯଦି ଅଙ୍ଗାରକାମ୍ଳ ନିର୍ଗମନ ଉପରେ ରୋକ୍ ଲଗାଇ ନ ପାରିବା ତେବେ ଜଳସଂକଟ ଅଧିକ ଉତ୍କଟ ହେବ ବୋଲି ଏହା ଚେତାବନୀ ଦେଇଛି।

publive-image
ବର୍ତ୍ତମାନ ୧୬ଟି ଦେଶର ତିନି-ଚତୁର୍ଥାଂଶ ଶକ୍ତି ଆବଶ୍ୟକତା ଜଳବିଦ୍ୟୁତ୍ ଦ୍ବାରା ପୂରଣ ହେଉଥିବା ବେଳେ ୪୪ ପ୍ରତିଶତ କୋଇଲା ଦହନ ଉପରେ ନିର୍ଭରଶୀଳ। କୋଇଲା ଦହନ ଯୋଗୁ ପ୍ରଭୂତ ପରିମାଣର ଅଙ୍ଗାରକାମ୍ଳ ନିର୍ଗମନ ହେଉଥିବାରୁ ଏହା ବିଶ୍ବତାପନ ଓ ଜଳବାୟୁ ପରିବର୍ତ୍ତନକୁ ତ୍ବରାନ୍ବିତ କରୁଛି। ଜାପାନର ୩୦୦ ଗିଗାୱାଟ ଶକ୍ତି ପ୍ରକଳ୍ପ ଉଚ୍ଚ ଓ ଅତ୍ୟୁଚ୍ଚ ଜଳସଂକଟ ଅଞ୍ଚଳରେ ଅବସ୍ଥିତ।
ଅନ୍ୟପକ୍ଷରେ ଚୀନ୍‌ର ୟାଙ୍ଗସେ ନଦୀ ଅବବାହିକା ଦେଶର ଏକତୃତୀୟାଂଶ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିଥାଏ। ଏହା ମଧ୍ୟ ଦେଶର ୧୫ ପ୍ରତିଶତ ଶକ୍ତି ଆବଶ୍ୟକତା ମେଣ୍ଟାଇଥାଏ। କିନ୍ତୁ ଗତବର୍ଷ ଦୀର୍ଘଦିନ ଧରି ଏହି ଅଞ୍ଚଳରେ ମରୁଡ଼ି ପଡ଼ିଲା ଏବଂ ଜଳବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେଲା। ତେଣୁ ଜଳବାୟୁ ପରିବର୍ତ୍ତନର ଶିକାର ହେଉଥିବା ଦେଶଗୁଡ଼ିକ ଜଳସଂକଟରୁ କିପରି ମୁକ୍ତି ପାଇବେ ଏବଂ ତା’ ସହ ଶକ୍ତି ଆବଶ୍ୟକତା ମଧ୍ୟ ପୂରଣ କରିପାରିବେ, ତାହା ଉପରେ ବିଚାରବିମର୍ଶ କରି ନୀତି ନିର୍ଦ୍ଧାରଣ କରିବା ଆବଶ୍ୟକ ବୋଲି ଉକ୍ତ ଥିଙ୍କ ଟ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe