କୋଲ୍କାତା: ପଶ୍ଚିମବଙ୍ଗର ୨୮ ହଜାର ଦୁର୍ଗାପୂଜା କମିଟିକୁ ମମତା ବାନାର୍ଜୀ ସରକାର ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ଗୁରୁବାର ଦିନ ଘୋଷଣା କରିଛନ୍ତି। ଗତବର୍ଷ ପ୍ରଦତ୍ତ ଅର୍ଥରାଶି ଟ. ୨୫୦୦୦ ଥିବା ବେଳେ ଏ ବର୍ଷ ତାହାକୁ ଦ୍ବିଗୁଣିତ କରାଯାଇଛି।
କୋଭିଡ୍-୧୯ ମହାମାରୀ ମଧ୍ୟରେ ଦୁର୍ଗାପୂଜା ପେଣ୍ଡାଲ୍ ଦେଖିବାକୁ ଯାଉଥିବା ଲୋକେ ସତର୍କତା ଅବଲମ୍ବନ କରିବା ଉଚିତ ବୋଲି ଏକଥା ଘୋଷଣା କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସେ ନିର୍ଦେଶ ଦେଇଛନ୍ତି ଯେ, ପେଣ୍ଡାଲ୍ ସବୁ ଚାରି ପଟୁ ଖୋଲା ରହିବା ଆବଶ୍ୟକ। ପେଣ୍ଡାଲ୍ ପ୍ରବେଶ ପଥରେ ହ୍ୟାଣ୍ଡ୍ ସାନିଟାଇଜର୍ ରଖାଯିବା ନିତାନ୍ତ ଆବଶ୍ୟକ। ଏହାଛଡ଼ା ମାସ୍କ ପରିଧାନ ବାଧ୍ୟତାମୂଳକ। ଶାରୀରିକ ଦୂରତ୍ବ ମଧ୍ୟ ବଜାୟ ରଖାଯିବା ଆବଶ୍ୟକ।
ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି, ଦୁର୍ଗାପୂଜା ପେଣ୍ଡାଲ ଖୋଲା ଓ ଫାଙ୍କା ରଖିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି। ଯଦି ପାର୍ଶ୍ବଗୁଡ଼ିକ ଆବୃତ ରହେ, ତେବେ ଛାତ ଖୋଲା ରଖନ୍ତୁ। ଯଦି ଛାତ ଆବୃତ ରହେ, ତେବେ ପାର୍ଶ୍ବ ଉନ୍ମୁକ୍ତ ରଖନ୍ତୁ। ଶାରୀରିକ ଦୂରତା ମଧ୍ୟ ବଜାୟ ରଖନ୍ତୁ।
Image Courtesy of Zee Newsପେଣ୍ଡାଲ୍ ଦର୍ଶନ କରିବାକୁ ଯାଉଥିବା ବ୍ୟକ୍ତିମାନେ ମାସ୍କ୍ ପିନ୍ଧିବା ବାଞ୍ଛନୀୟ। କୋଭିଡ୍ ପ୍ରୋଟୋକଲ୍ ପାଳନ ହେଉଛି ବୋଲି ସୁନିଶ୍ଚିତ ହେବାକୁ ଅଧିକ ସ୍ବେଚ୍ଛାସେବୀ ରଖନ୍ତୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପେଣ୍ଡାଲ୍ରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ନାହିଁ। ସ୍ବେଚ୍ଛାସେବୀମାନଙ୍କୁ ଫେସ୍ ସିଲ୍ଡ୍ ପିନ୍ଧିବାକୁ କୁହନ୍ତୁ। ଅଞ୍ଜଳି ଓ ସିନ୍ଦୂର ଖେଳ ନିମନ୍ତେ ପର୍ଯ୍ୟାୟକ୍ରମ ବ୍ୟବସ୍ଥା କରନ୍ତୁ। ମାଇକ୍ରେ ମନ୍ତ୍ରପାଠ କରନ୍ତୁ, ଯାହା ଫଳରେ ଦୂରରେ ଥିବା ଲୋକେ ଶୁଣି ପାରିବେ। ପର୍ଯ୍ୟାୟକ୍ରମେ ସିନ୍ଦୂର ଖେଳନ୍ତୁ।
ଲୋକେ ଦୁର୍ଗାପୂଜା ବିଷୟରେ ରାଜନୀତି କରୁଛନ୍ତି। ଯଦି ମୁଁ ପୂଜା ଲାଗି ଅନୁମତି ନ ଦିଏ, ସେମାନେ କହିବେ, ଦେଖ ସେମାନେ ପୂଜା ପାଳନ କରାଇ ଦେଲେ ନାର୍ହି। ଆମେ ଭର୍ଚ୍ୟୁଆଲ୍ରେ ଦୁର୍ଗାପୂଜା ପ୍ରଦର୍ଶନ କରିବୁ ଓ ଭର୍ଚ୍ୟୁଆଲ୍ ମଞ୍ଚରେ ପୁରସ୍କାର ପ୍ରଦାନ କରିବୁ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଗ୍ନିଶମ ଓ କେଏମ୍ସି ପାଉଣା ନେବେନାହିଁ। ସିଇଏସ୍ସି ଦୁର୍ଗାପୂଜା ପେଣ୍ଡାଲ୍ ଉପରେ ୫୦% ପାଉଣା ପକାଇବ।
Follow Us