ଭୁବନେଶ୍ବର: ଛତିଶଗଡ଼ର ନ୍ୟାୟିକ ରାଜଧାନୀ ବିଳାସପୁର ନିକଟରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୪ଟାରେ ଏକ ଯାତ୍ରୀବାହୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ରେଳବାଇର ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଟ୍ରେନ୍‌ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବିଲାସପୁର ଜିଲ୍ଲାପାଳ ସଂଜୟ ଅଗ୍ରୱାଲ କହିଛନ୍ତି ମୃତକଙ୍କ ସଂଖ୍ୟା ୧୨ରେ ପହଞ୍ଚିଛି। 

Advertisment

ସୋସିଆଲ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଳାସପୁର ନିକଟରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାରେ ଅନେକ ମୂଲ୍ୟବାନ ଜୀବନ ଯାଇଛି। ମୃତକଙ୍କ ପରିବାର ପ୍ରତି ଗଭୀର ଦୁଃଖ ପ୍ରକାଶ କରୁଛି। ନିଜର ଆତ୍ମୀୟଙ୍କୁ ହରାଇଥିବା ପରିବାର ପ୍ରତି ସମବେଦନା ଜଣାଉଛି। ଏହି ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ଏହି ଦୁର୍ଘଟଣାରେ ପ୍ରଭାବିତ ପରିବାରକୁ ସାହାସ ଯୋଗାଇବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।  

ଉପରକୁ ଉଠିଲା ଯାତ୍ରୀବାହୀ ରେଳ

ବିଳାସପୁର ନିକଟରେ ଟ୍ରେନ ଦୁର୍ଘଟଣାର ବଡ଼ ଅପଡେଟ୍। ଏବେ ବି ଟ୍ରେନରେ ଫଶି ରହିଛନ୍ତି ଲୋକେ। ମାଲବାହୀ ଟ୍ରେନ୍ ସହ କୋରବା ପାସେଞ୍ଜର ଟ୍ରେନ୍ ଦୁର୍ଘଟଣା ହେବା ପରେ ଯାତ୍ରୀବାହୀ ଟ୍ରେନଟି ପୂରା ମାଲବାହୀ ଟ୍ରେନ୍ ଉପରକୁ ଉଠିଯାଇଛି ଏବଂ ଟ୍ରେନଟି ଅଧା ଆକାଶରେ ଝୁଲି ରହିଛି। ଲୋକେ ସେମିତି ଝୁଲନ୍ତା ଅବସ୍ଥାରେ ବଗିରେ ଫସି ରହିଥିବା ବେଳେ ୨ଟି ଟ୍ରେନର ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅନ୍ୟ ବଗି ସବୁ ଲାଇନଚ୍ୟୁତ ହୋଇଛି। ତେବେ ସେହି ସବୁ ବଗି ଭିତରୁ ଚାପି ହୋଇ ରହିଥିବା ଲୋକଙ୍କୁ ଗ୍ୟାସ କଟରରେ ଝରକା କାଟି ଲୋକଙ୍କୁ ଉଦ୍ଧାର କରାଯାଉଛି।

ଆହୁରି ପଢ଼ନ୍ତୁ: Bilaspur Train Accident: ଟ୍ରେନରୁ ଶୁଭୁଛି ବଞ୍ଚାଅ… ବଞ୍ଚାଅ… ଦୁର୍ଘଟଣା ପରେ ଜାରି ହେଲା ହେଲ୍ପଲାଇନ୍ ନମ୍ବର, ମୃତକଙ୍କ ପରିବାର ପାଇଁ କ୍ଷତିପୂରଣ ଘୋଷଣା

୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

ସେପେଟ ଦୁର୍ଘଟଣା ପରେ କ୍ଷତିପୂରଣ ରାଶି ଘୋଷଣା ହୋଇଛି। ରେଲଓ୍ୱେ ପକ୍ଷରୁ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି। ଟ୍ରେନ୍‌ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା ହୋଇଥିବା ବେଳେ ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତ ଯାତ୍ରୀଙ୍କ ପାଇଁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା ହୋଇଛି। 

ଆହୁରି ପଢ଼ନ୍ତୁ: 🔴LIVE | Bilaspur Train Accident: ଲାଲଖାଦାନ ନିକଟରେ ଲୌହଦାନବର ରକ୍ତଭୋଜି ! ଦୁର୍ଘଟଣାରେ ୧୦ ମୃତ, ମୃତକଙ୍କ ମଧ୍ୟରେ ୩ ରେଳ କର୍ମଚାରୀ…

ରିଲିଫ ଏବଂ ଉଦ୍ଧାର କାମ ଜାରି

ଦୁର୍ଘଟଣା ପରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଏବଂ ଉଦ୍ଧାର କାମ ଜାରି ରହିଛି। ବରିଷ୍ଠ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି ଏବଂ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଛି। ରେଳ ପ୍ରଶାସନ ପ୍ରଭାବିତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାରର ସହାୟତା ଏବଂ ସମନ୍ୱୟ ପ୍ରଦାନ କରୁଛି। କେଉଁ କାରଣ ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ହେଲା ତାର କାରଣ ଖୋଜା ସହ ତଦନ୍ତ ଉପରେ ନଜର ରଖାଯାଇଛି।