ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋଚିଂ ସେଣ୍ଟର ବେସ୍ମେଣ୍ଟରେ ବୁଡ଼ି ୩ ଜଣ ୟୁପିଏସ୍ସି ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) କରିବ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ଜନସାଧାରଣ ଯେପରି ତଦନ୍ତ ନେଇ ସନ୍ଦେହ ନ କରନ୍ତି ସେଥିପାଇଁ ମାମଲାକୁ ସିବିଆଇକୁ ଦିଆଗଲା ବୋଲି କୋର୍ଟ କହିଛନ୍ତି। ଏହି ମାମଲାରେ ସିବିଆଇ ତଦନ୍ତର ତଦାରଖ ପାଇଁ ଜଣେ ବରିଷ୍ଠ ଅଧିକାରୀଙ୍କୁ ମନୋନୀତ କରିବାକୁ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରୀୟ ଭିଜିଲାନ୍ସ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ସମୟରେ ଅଦାଲତ ପୁଲିସ ଓ ଏମ୍ସିଡିକୁ କଡ଼ା ସମାଲୋଚନା କରି କହିଥିଲେ ଯେ ଛାତ୍ରଛାତ୍ରୀମାନେ ବେସ୍ମେଣ୍ଟରୁ ବାହାରକୁ ବାହାରି ନ ପାରିବା ପାଇଁ ସେମାନେ ଦାୟୀ। ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ ଏମ୍ସିଡି ଅଧିକାରୀମାନେ କାହିଁକି ଏହି ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ପାଇଁ ଉଦ୍ଦିଷ୍ଟ ଡ୍ରେନ୍ କାର୍ଯ୍ୟ କରୁ ନ ଥିବା ବିଷୟରେ କମିସନରଙ୍କୁ ଜଣାଇ ନ ଥିଲେ?
କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ମନମୋହନ ଓ ଜଷ୍ଟିସ ତୁଷାର ରାଓ ଗେଡେଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଲିସକୁ ତାଚ୍ଛଲ୍ୟ କରି କହିଛନ୍ତି, ସେମାନେ ରାସ୍ତାରେ କାର୍ ଚାଳକଙ୍କଠାରୁ ଚାଲାଣ କାଟୁଥିବା ବେଳେ ଦୟା ଦେଖାଇ ବେସ୍ମେଣ୍ଟରେ ବର୍ଷା ଜଳ ପ୍ରବେଶ ପାଇଁ କୌଣସି ଚାଲାଣ କାଟି ନାହାନ୍ତି। ଏଥିସହ ତଦନ୍ତକାରୀ ଅଧିକାରୀ (ଆଇଓ) ଉକ୍ତ ଅଞ୍ଚଳର ମଜବୁତ ଜଳ ନିଷ୍କାସନର ମାନଚିତ୍ର ସଂଗ୍ରହ କରିଛନ୍ତି କି ବୋଲି କୋର୍ଟ ଡିସିପିଙ୍କୁ ପଚାରିଥିଲେ। ଡିସିପି ଉତ୍ତର ଦେଇଥିଲେ ଯେ ଏହି ବିଷୟରେ ଏମ୍ସିଡି ଅଧିକାରୀଙ୍କୁ ଏକ ନୋଟିସ୍ ଜାରି କରାଯାଇଛି। ଘଟଣା ଘଟିଥିବା ଅଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ପ୍ରାୟ ନ ଥିବା ବେଳେ ରାସ୍ତାଗୁଡ଼ିକ ଅସ୍ଥାୟୀ ଡ୍ରେନ୍ ଭାବେ କାମ କରୁଥିବା କୋର୍ଟଙ୍କୁ ଅବଗତ କରାଯାଇଥିଲା। ଅଦାଲତ ଦିଲ୍ଲୀ ପୁଲିସକୁ ଘଟଣାର ସ୍ପଷ୍ଟ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Follow Us