ଚେନ୍ନାଇ: ଭାରତୀୟ ତଟରକ୍ଷୀ ବାହିନୀ ମୁଖ୍ୟ ରାକେଶ ପାଲଙ୍କର ହୃଦଘାତରେ ପରଲୋକ ଘଟିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ରାକେଶ ପାଲ ୨୦୨୩ ଜୁଲାଇରେ ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)ର ୨୫ତମ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିଲେ।
ଚେନ୍ନାଇରେ ଥିବା ନୌସେନା ଘାଟି ଆଇଏନଏସ ଆଡ୍ଯାରରେ ଥିବାବେଳେ ତାଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଚେନ୍ନାଇ ଗସ୍ତ ପାଇଁ ପ୍ରସ୍ତୁତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରୁଥିବା ବେଳେ ସେ ଯନ୍ତ୍ରଣା ଅନୁଭବ କରିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ତାଙ୍କୁ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲ (ଆର୍ଜିଜିଜିଏଚ୍)ରେ ଭର୍ତ୍ତି କରାଯାଇଥିଲା।
ପାଲ ଭାରତୀୟ ନୌସେନା ଏକାଡେମୀର ପୂର୍ବତନ ଛାତ୍ର ଏବଂ ଜାନୁଆରୀ ୧୯୮୯ରେ ଭାରତୀୟ ତଟରକ୍ଷୀ ବାହିନୀରେ ଯୋଗ ଦେଇଥିଲେ । ଦୀର୍ଘ ୩୫ ବର୍ଷର କ୍ୟାରିୟରରେ ଫ୍ଲାଗ ଅଫିସର କମାଣ୍ଡର କୋଷ୍ଟଗାର୍ଡ ରିଜିୟନ୍ (ଉତ୍ତର ପଶ୍ଚିମ), ଗାନ୍ଧୀନଗର, ଡେପୁଟି ଡାଇରେକ୍ଟର ଜେନେରାଲ (ପଲିସି ଆଣ୍ଡ ପ୍ଲାନ୍) ଏବଂ ନୂଆଦିଲ୍ଲୀସ୍ଥିତ ତଟରକ୍ଷୀ ବାହିନୀ ମୁଖ୍ୟାଳୟରେ ଅତିରିକ୍ତ ମହାନିର୍ଦେଶକ କୋଷ୍ଟଗାର୍ଡ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି।
Follow Us