photo-the new york times
ୱାସିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହ୍ୱାଇଟ ହାଉସ ଛାଡିଛନ୍ତି ଏବଂ ଜୋ ବାଇଡେ଼ନ ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି । ବାଇଡେ଼ନ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତି ବଦଳିଛି। ଏଭଳି ପରିସ୍ଥିତିରେ ଟ୍ରମ୍ପଙ୍କ 'ଏୟାରଫୋର୍ସ ୱାନ' ବିମାନର ରଙ୍ଗ ପରିବର୍ତ୍ତନ କରିବାର ନିଷ୍ପତ୍ତି ବଦଳିବ କି, ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ସୂଚନା ମୁତାବକ ଡୋନାଲ୍ଡ ଟ୍ରମ୍ପ ତାଙ୍କ ରାଷ୍ଟ୍ରପତି ଶାସନ କାଳରେ 'ଏୟାରଫୋର୍ସ ୱାନ' ବିମାନର ରଙ୍ଗ ବଦଳାଇବାକୁ ନିଷ୍ପତି ନେଇଥିଲେ |
ବର୍ତ୍ତମାନ 'ଏୟାରଫୋର୍ସ ୱାନ'ରେ ଥିବା ନୀଳ ଓ ଧଳା ରଙ୍ଗକୁ ବଦଳାଇ ଲାଲ, ଧଳା ଏବଂ ନୀଳ ରଙ୍ଗ କରିବାକୁ ନିଷ୍ପତି ନେଇଥିଲେ | ଟ୍ରମ୍ପ ଦୁଇଟି ନୂତନ 'ଏୟାରଫୋର୍ସ ୱାନ' ବିମାନ ନିର୍ମାଣ ପାଇଁ ବିମାନ କମ୍ପାନୀ ବୋଇଙ୍ଗ ସହ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ୨୦୨୪ ସୁଦ୍ଧା ଏଗୁଡିକ ପ୍ରସ୍ତୁତ ହୋଇଯିବ। ତେବେ ଦୀର୍ଘ ବର୍ଷ ଧରି ବ୍ୟବହାର ହେଉଥିବା ବିମାନର ରଙ୍ଗ ବଦଳାଇବାକୁ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଇଥିଲେ, ତାହାକୁ ବାଇଡେ଼ନ ମାନିବେ ନା ପ୍ରତ୍ୟାହାର କରିବେ ସେନେଇ ଚର୍ଚ୍ଚା ଚାଲିଛି |
'ଏୟାରଫୋର୍ସ ୱାନ' କ'ଣ?
ଯେଉଁ ବିମାନରେ ଆମେରିକାର ରାଷ୍ଟ୍ରପତି ଯାତ୍ରା କରନ୍ତି, ତାହା 'ଏୟାରଫୋର୍ସ ୱାନ' ଭାବରେ ଜଣାଶୁଣା | ଆମେରିକାର ରାଷ୍ଟ୍ରପତି ଯାତ୍ରା କରୁଥିବା ବିମାନଟି ବୋଇଙ୍ଗ ୭୪୭-୨୦୦ବି ଶ୍ରେଣୀର ହୋଇଥିବାବେଳେ ଏଠାରେ ଅତ୍ୟାଧୁନିକ ଓ ସୁରକ୍ଷିତ ଉପକରଣ ସଂଯୁକ୍ତ କରାଯାଇଛି |
Follow Us