ଅକାଳରେ ଚାଲିଗଲେ କମେଡି କିଙ୍ଗ୍, ୫୮ ବର୍ଷ ବୟସରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

Advertisment
ଅକାଳରେ ଚାଲିଗଲେ କମେଡି କିଙ୍ଗ୍, ୫୮ ବର୍ଷ ବୟସରେ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ନୂଆଦିଲ୍ଲୀ: କମେଡି କିଙ୍ଗ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି । ଯିଏ ପେଣ୍ଡାଲ୍ ଉପରକୁ ଚଢ଼ିଗଲେ ଦର୍ଶକଙ୍କ ମଧ୍ୟରେ ହସର ଢେଉ ଖେଳିଯାଏ, ତାଙ୍କୁ ଆଉ ମଞ୍ଚରେ ଦେଖିବାକୁ ମିଳିବ ନାହିଁ। ୫୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ମାସାଧିକ କାଳ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ତାଙ୍କର ପରଲୋକ ଘଟିଛି। ଆଜି ସକାଳେ ହାସ୍ୟଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ମୃତ୍ୟୁ ହୋଇଯାଇଥିବା କଥା ତାଙ୍କ ପରିବାର ଲୋକେ ସୁନିଶ୍ଚିତ  କରିଥିବା  ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ପ୍ରକାଶ କରିଛି।

ସୂଚନାଯୋଗ୍ୟ, ଜିମ୍‌ରେ କସରତ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା।ସେ ହୃଦ୍‌ଘାତରେ ଶିକାର ହୋଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ଏହା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ, ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସାକ୍‌ସେନା କହିଛନ୍ତି ଯେ, ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ହାସ୍ୟାଭିନେତାଙ୍କୁ ବଞ୍ଚାଇ ହେଲାନାହିଁ।

ଟୁଇଟ୍‌ କରି କବି କୁମାର ବିଶ୍ବାସ ଲେଖିଛନ୍ତି, ସ୍ବର୍ଗଲୋକର ଉଦାସୀ ଦୂର କରିବା ଲାଗି ଶେଷରେ ରାଜୁଭାଇ ସାଂସାରିକ ଯାତ୍ରାରୁ ଅବ୍ୟାହତି ନେଲେ। ତାଙ୍କର ସଂଘର୍ଷପୂର୍ଣ୍ଣ ଦିନରୁ ଆରମ୍ଭ କରି ଯଶର ଶିଖରରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା କୋଟି ଜନତାଙ୍କ ଆଖି ଆଗରେ ଦୃଶ୍ୟମାନ ହୋଇ ରହିବ। ଉଦାସ ଜନତାଙ୍କ ମୁହଁରେ ହସ ଫୁଟାଉ ଥିବା ସମ୍ରାଟଙ୍କ ପ୍ରତି ଅନ୍ତିମ ପ୍ରଣାମ।

ଅତି ସାଧାରଣ କଥା କହି ସେ ସମସ୍ତଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି। କିଛି କହିବାକୁ କି କରିବାକୁ ପଡ଼େନି, ରାଜୁଙ୍କୁ ଦେଖିଦେଲେ ଲୋକଙ୍କ ମୁହଁରୁ ଆପେ ଆପେ ହସର ଝରଣା ବହେ। ହେଲେ ଏବେ ଫ୍ୟାନମାନେ ତାଙ୍କ ପାଇଁ ଲୁହ ଗଡ଼ାଉଛନ୍ତି।

publive-image english.newstracklive.com

କମେଡି ଜଗତର ବେତାଜ ବାଦଶାହ ରାଜୁ ଶ୍ରୀବାସ୍ତବ। ‘ଗଜୋଧର’ ନାମରେ ବି ଦର୍ଶକେ ତାଙ୍କୁ ବେଶ୍ ଭଲ ଭାବେ ଜାଣନ୍ତି। ସେ ହେଉଛନ୍ତି ଏମିତି ଏକ ନଦୀ; ଯେଉଁ ନଦୀରେ ଦର୍ଶକ ଗାଧୋଇଲେ ହସର ବନ୍ୟା ଆସେ। ସମାଜର ବିଭିନ୍ନ ବର୍ଗର ମଣିଷ ଏବଂ ସାମାଜିକ ବିଧିବ୍ୟବସ୍ଥାକୁ ରାଜୁ ନିଜ କମେଡ଼ିରେ ସ୍ଥାନ ଦିଅନ୍ତି। ଅତି ସାଧାରଣ କଥାକୁ ସେ ଥଟ୍ଟା ଓ ପରିହାସ ଛଳରେ ଏମିତି ଉପସ୍ଥାପନ କରନ୍ତି, ଯାହାକୁ ଦେଖି ଦର୍ଶକ ହସରେ ଲୋଟପୋଟ ହୋଇଯାଆନ୍ତି। ମୋଟାମୋଟି କହିବାକୁ ଗଲେ ରାଜୁ ହେଉଛନ୍ତି ଜଣେ ନିଚ୍ଛକ କମେଡିଆନ୍।

୨୦୦୫ ମସିହା କଥା। ରାଜୁ ଦ’ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍ଟର ଚ୍ୟାଲେଞ୍ଜ ଟିଭି ସୋ’ରେ ନଜର ଆସିଥିଲେ। ସେ ସେହି ସୋ’ରେ ଦ୍ବିତୀୟ ରନର୍ସ-ଅପ୍ ହୋଇ ଦେଶ ସାରା ପରିଚିତ ହୋଇଥିଲେ। ପରେ ପରେ ସେ ବିଗ୍ ବସ୍ ସିଜିନ୍-୩ରେ ଭାଗ ନେଇଥିଲେ। ନାଚବଲିୟେ ଟିଭି ସୋ’ରେ ମଧ୍ୟ ରାଜୁ ଅଂଶଗ୍ରହଣ କରିଥିଲେ। ଦ’ କପିଲ ଶର୍ମା ସୋ’ରେ ବି ରାଜୁଙ୍କୁ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଅନେକ ବିଜ୍ଞାପନ ଏବଂ ଆମଦାନି ଅଠନି ଖର୍ଚ୍ଚା ରୁପେୟା, ମେଁ ପ୍ରେମ କି ଦିୱାନୀ ହୁଁ, ବମ୍ବେ ଟୁ ଗୋଆ ଭଳି ବିଭିନ୍ନ ଚଳଚ୍ଚିତ୍ରରେ ରାଜୁ ସଫଳ ଅଭିନୟ କରିଛନ୍ତି। ସେହିପରି କେନ୍ଦ୍ର ସରକାରଙ୍କ ସ୍ବଚ୍ଛଭାରତ କାର୍ଯ୍ୟକ୍ରମ ପାଇଁ ସଚେତନତା ସୃଷ୍ଟି କରିବାକୁ ରାଜୁଙ୍କୁ ଦାୟିତ୍ବ ଦିଆଯାଇଛି।

ସମାଜବାଦୀ ପାର୍ଟି ୨୦୧୪ ଲୋକସଭା ନିର୍ବାନରେ ରାଜୁ ଶ୍ରୀବାସ୍ତବଙ୍କୁ କାନପୁରରୁ ଟିକଟ୍ ଦେଇଥିଲା। ହେଲେ ତୃଣମୂଳସ୍ତରରେ ଲୋକଙ୍କ ନିକଟତର ହୋଇ ନ ଥିବାରୁ ରାଜୁ ଦଳକୁ ଟିକଟ୍ ଫେରାଇଦେଇଥିଲେ। ତେବେ ପରେ ସେ ବିଜେପିରେ ଯୋଗଦେଇଥିଲେ ଏବଂ ଦଳୀୟ କାର୍ଯ୍ୟକ୍ରମରେ ନେତା ଭାବେ ନୁହେଁ, ବରଂ ଜଣେ ପ୍ରଚାରକ ଭାବେ ଅଧିକ ସାମ୍ନାକୁ ଆସିଥିଲେ।

ରାଜୁ ଶ୍ରୀବାସ୍ତବ ୧୯୬୩ ମସିହା ଡିସେମ୍ବର ୨୫ ତାରିଖ ଦିନ କାନପୁରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ। ସେ ପିଲାଟି ଦିନରୁ କମେଡି ପ୍ରତି ଆକୃଷ୍ଟ ଥିଲେ। ହସମଜା କରିବାକୁ ତାଙ୍କୁ ଭାରି ଭଲ ଲାଗୁଥିଲା। ରାଜୁଙ୍କ ବାପା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ ଭଲ କବି ଭାବେ ବେଶ୍ ପରିଚିତ ଥିଲେ। ସେ ବିଭିନ୍ନ ସମୟରେ ବିଶିଷ୍ଟ କଳାକାରମାନଙ୍କ ମିମିକ୍ରି ମଧ୍ୟ କରୁଥିଲେ। ରାଜୁ ବାପାଙ୍କ ପାଖରୁ ଅନୁପ୍ରାଣିତ ହୋଇଥିଲେ। ସେ ଧୀରେ ଧୀରେ କମେଡି ଓ ମିମିକ୍ରି କରିବାକୁ ଲାଗିପଡ଼ିଲେ। ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତାଙ୍କୁ ଡକରା ଆସିଲା। ରାଜୁ ଆଉ ପଛକୁ ନାହିଁ ନଥିଲେ। କମେଡିରେ ନିଜ କ୍ୟାରିୟର ବନାଇବାକୁ ଲାଗିପଡ଼ିଲେ। ରାଜୁ ୧୯୯୩ ମସିହାରେ ଶିଖାଙ୍କୁ ବିବାହ କରିବା ସହ ଦୁଇ ପିଲାଙ୍କ ବାପା ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe