File Photo
ନୂଆଦିଲ୍ଲୀ : ଗତ ୨୦ ତାରିଖରେ ଉତ୍ତର ସିକିମର ଭାରତ-ଚୀନ ସୀମାର ବାସ୍ତବ ନିୟନ୍ତ୍ରଣ ରେଖାର (ଏଲଏସି) ନାକୁଲାଠାରେ ଭାରତୀୟ ସେନା ଓ ଚୀନର ପିଏଲଏ ମଧ୍ୟରେ ହାତାହାତି ଘଟଣାକୁ ସ୍ୱୀକାର କରିଛି ଭାରତୀୟ ସେନା । ଏଥିସହ ଏହା ଏକ ବଡ଼ଧରଣର ଘଟଣା ନୁହେଁ ବୋଲି ସ୍ପଷ୍ଟ କରିଛି ସେନା। ଅନ୍ୟ ପକ୍ଷରେ ଏହି ଖବର ଭାରତୀୟ ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଚୀନ ପକ୍ଷରୁ କୁହାଯାଇଛି ଯେ ଭାରତ ସହ ବିବାଦୀୟ ସୀମା ଅଞ୍ଚଳରେ ଶାନ୍ତିରକ୍ଷା ଲାଗି ଚୀନ ସେନା ପ୍ରତିଶ୍ରୁତିବଦ୍ଧ।
ମିଳିଥିବା ସୂଚନା ଅନୁସାରେ, ଚୀନ ସେନା ଭାରତୀୟ ସୀମା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେଠାରେ ମୁତୟନ ଭାରତୀୟ ଯବାନ ବାଧା ଦେଇଥିଲେ । ଏହା ପରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା ଏବଂ ଦୁଇ ସେନାର ଯବାନ ହାତାହାତି ହୋଇଥିଲେ। ତେବେ ପ୍ରୋଟକଲ ଅନୁଯାୟୀ ସ୍ଥାନୀୟ କମାଣ୍ଡରସ୍ତରୀୟ ଅଧିକାରୀ ବିବାଦର ସମାଧାନ କରିଥିଲେ ।
Image Courtesy of India Todayଅନ୍ୟପଟେ, ପରିସ୍ଥିତିକୁ ସୁଧାରିବା ଲାଗି ଭାରତ-ଚୀନ ମଧ୍ୟରେ ନବମ କମାଣ୍ଡରସ୍ତରୀୟ କଥାବାର୍ତ୍ତା ଚାଲୁ ରହିଥିବା ବେଳେ ଏଭଳି ଘଟଣା ସାମ୍ନାକୁ ଆସିଛି। ସୀମାରେ ବାରମ୍ବାର ଦୋମୁହାଁ ନୀତି ଆପଣାଉଛି ଚୀନ। ଏପଟେ ଆଲୋଚନା ଟେବୁଲରେ ସେନା ପ୍ରତ୍ୟାହାର କରିବା ନେଇ ପ୍ରତିଶ୍ରୁତି ଦେଉଥିବା ବେଳେ ସେପଟେ ସୀମାରେ ସୈନ୍ୟ ଅନୁପ୍ରବେଶ ପାଇଁ ଚଳାଇଛି ଷଡ଼ଯନ୍ତ୍ର । ହେଲେ ଭାରତ- ଚୀନ ସୀମାରେ ସର୍ତକ ନଜର ରଖିଥିବା ଭାରତୀୟ ସେନାର ଯବାନ ଚୀନର ସବୁ ଅପପ୍ରୟାସକୁ ଭଣ୍ଡୁର କରିଦେଇଛନ୍ତି।
ଗତ ୩ ଦିନ ତଳେ ସିକିମ୍ ସୀମାରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତ ଏବଂ ଚୀନ ଯବନା। ଲଦାଖ ସୀମାର ଗଲୱାନ, ପେଙ୍ଗଙ୍ଗ, ଗୋଗ୍ରାପୋଷ୍ଟ ଓ ହଟସ୍ପ୍ରିଙ୍ଗ ଅଂଚଳରେ ଚୀନ ସେନା ଗତ ବର୍ଷ ମେ’ ମାସରେ ଅନୁପ୍ରବେଶ ପାଇଁ ଉଦ୍ୟମ କରିଥିଲା । ଏବେ ପୁଣି ଉତ୍ତର ସିକିମର ନାକୁଲା’ ଅଂଚଳରେ ଅନୁପ୍ରବେଶ ପାଇଁ ଉଦ୍ୟମ କଲା ବେଳେ ବାଧା ଦେଇଛି ଭାରତୀୟ ସେନା । ଏଥିରେ ୪ ଭାରତୀୟ ଯବାନ ଆହତ ହୋଇଥିବା ବେଳେ ଚୀନର ୨୦ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡ଼ିଛି।
Follow Us