Image Courtesy of India Today
ଲଣ୍ଡନ୍: ଗୁରୁବାର ସକାଳ ପ୍ରାୟ ୮ଟା ବେଳେ ଜନଗହଳି ଭରା ଲଣ୍ଡନ୍ ଟ୍ୟୁବ୍ ଷ୍ଟେସନ୍ରେ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଉଜ୍ଜ୍ବଳ ରଙ୍ଗର ‘ଅଫିମଫୁଲ’ ବିକ୍ରି କରୁଥିବା ଦେଖି ଯାତ୍ରୀମାନେ ଚକିତ ହୋଇଯାଇଛନ୍ତି।
କାଗଜ ଖୋଳରେ ଖୋଳେ ‘ଅଫିମଫୁଲ’ ଧରି ପ୍ରଧାନମନ୍ତ୍ରୀ ସୁନକ ୱେଷ୍ଟ୍ମିନ୍ଷ୍ଟର୍ ଟ୍ୟୁବ୍ ଷ୍ଟେସନ୍ରେ ଠିଆ ହୋଇଥିଲେ। କାଗଜରେ ନିର୍ମିତ ଉକ୍ତ ‘ଅଫିମଫୁଲ’ ଗୋଟିକୁ ସେ ୫ ପାଉଣ୍ଡ୍ରେ ବିକ୍ରୟ କରୁଥିଲେ।
‘ବିବିସି’ ରିପୋର୍ଟ ଅନୁସାରେ, ‘ରୟାଲ୍ ବ୍ରିଟିସ୍ ଲିଜନ୍’ର ବାର୍ଷିକ ‘ଲଣ୍ଡନ୍ ପପି ଡେ ଅପିଲ୍’ ଲାଗି ଅର୍ଥ ଯୋଗାଡ଼ ନିମନ୍ତେ ଦ୍ବାର ଦ୍ବାର ବୁଲି ‘ଅଫିମଫୁଲ’ ବିକ୍ରୟ କରୁଥିବା ବ୍ରିଟିସ୍ ସେନା, ନୌସେନା ଓ ବାୟୁସେନାର ଅସୁମାରୀ ସ୍ବେଚ୍ଛାସେବୀଙ୍କ ସିହତ ସୁନକ୍ ଯୋଗ ଦେଇଥିଲେ।
Image Courtesy of Mintସ୍ବଳ୍ପ ସମୟ ପାଇଁ ଷ୍ଟେସନ୍କୁ ଯାଇଥିବା ସୁନକଙ୍କୁ ଯାତ୍ରୀମାନେ ଅତି ନିକଟରୁ ଦେଖିବା ସହିତ କଥାବାର୍ତ୍ତା କରିଥିଲେ ଓ ‘ସେଲ୍ଫି’ ଉଠାଇଥିଲେ। ଦେଶର ପ୍ରଥମ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀଙ୍କ ସହ ଆକସ୍ମିକ ଭେଟିଥିବା ପ୍ରସଙ୍ଗକୁ କେତେକ ଯାତ୍ରୀ ସାମାଜିକ ଗଣମାଧ୍ୟମରେ ବର୍ଣ୍ଣନା କରିଛନ୍ତି।
‘ଦି ରୟାଲ୍ ବ୍ରିଟିସ୍ ଲିଜନ୍’ କହିଛି, ସକାଳ ଜନଗହଳି ଭରା ସମୟରେ ଆମ୍ଭମାନଙ୍କ ସହିତ ମିଶି ଅନୁଦାନ ସଂଗ୍ରହ କରିବା ଲାଗି ସମୟ ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆମେ କୃତଜ୍ଞ।
ନିଜର ପୂରା ନାଁ ନ କହି ଖାଲି ‘ଲୁଇ’ ବୋଲି କହିଥିବା ଜଣେ ‘ଅପରେସନ୍ସ୍ ଆଣ୍ଡ୍ ଡାଟା ଆନାଲିଷ୍ଟ୍’ଙ୍କ ବକ୍ତବ୍ୟରୁ ଉଦ୍ଧୃତ କରି ସମ୍ବାଦପତ୍ର ‘ଇଣ୍ଡିପେଣ୍ଡେଣ୍ଟ୍’ ଲେଖିଛି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବି ବୋଲି ଆଶା କରି ନ ଥିଲି। ଟିକେଟ୍ କିଣିବାକୁ ୱେଷ୍ଟ୍ମିନ୍ଷ୍ଟର୍ ଷ୍ଟେସନ୍କୁ ଯାଇଥିଲି। ଦେଖିଲି ସେ ସେଠାରେ ସେନାର ପୁରୁଷ ଓ ମହିଳାମାନଙ୍କ ସଙ୍ଗେ ମିଶି ‘ଅଫିମଫୁଲ’ ବିକ୍ରୟ କରୁଛନ୍ତି। ୫ ପାଉଣ୍ଡ୍ ଦେଇ ତାଙ୍କଠାରୁ ଫୁଲଟିଏ କିଣିଲି।
Follow Us