ଧର୍ମ ଭିତ୍ତିକ ସଂରକ୍ଷଣ ଯୋଜନା କରୁଛି କଂଗ୍ରେସ: ମୋଦୀଙ୍କ ଚେତାବନୀ

ଧର୍ମ ଭିତ୍ତିକ ସଂରକ୍ଷଣ ଯୋଜନା କରୁଛି କଂଗ୍ରେସ: ମୋଦୀଙ୍କ ଚେତାବନୀ

ନୂଆଦିଲ୍ଲୀ: ଭୋଟ୍‌ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଦେଶରେ ଧର୍ମଭିତ୍ତିକ ସଂରକ୍ଷଣ ଯୋଜନା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଛନ୍ତି। ତେବେ, ସେ ଏହା ହେବାକୁ ଦେବେ ନାହିଁ ବୋଲି ମଧ୍ୟ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏସସି/ଏସଟି ଓ ଓବିସି ସମ୍ପ୍ରଦାୟ ଏବେ ବିଜେପି ପାଖରେ ଥିବାରୁ ସଂଖ୍ୟାଲଘୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ କଂଗ୍ରେସର ଏହି ପ୍ରସ୍ତାବ ବୋଲି ସେ କହିଛନ୍ତି।

କର୍ଣ୍ଣାଟକରେ କଂଗ୍ରେସ ସମ୍ବିଧାନ ବଦଳାଇବା ଏବଂ ଏସସି/ଏସଟି ଓ ଓବିସିଙ୍କ ଅଧିକାର ଛଡ଼ାଇ ନେବା ପାଇଁ ଅଭିଯାନ ଆରମ୍ଭ କରିଛି। ଆମ ସମ୍ବିଧାନ ଧର୍ମ ଭିତ୍ତିକ ସଂରକ୍ଷଣକୁ ଗ୍ରହଣ କରେ ନାହିଁ। କିନ୍ତୁ କର୍ଣ୍ଣାଟକ ସରକାର ମୁସଲମାନମାନଙ୍କୁ ଓବିସି ସଂରକ୍ଷଣର କିଛି ଅଂଶ ଦେଇଛନ୍ତି ବୋଲି ମୋଦୀ କହିଛନ୍ତି।

ବାଗଲକୋଟରେ ଏକ ବିଶାଳ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ସେ କହିଛନ୍ତି, ସେମାନେ (କଂଗ୍ରେସ) ଏଥିରେ ସନ୍ତୁଷ୍ଟ ହେବେ ନାହିଁ। ଏହା ପୂର୍ବରୁ ମଧ୍ୟ ସେମାନେ ସେମାନଙ୍କ ଇସ୍ତାହାରରେ ଧର୍ମ ଭିତ୍ତିକ ସଂରକ୍ଷଣ ପାଇଁ ଆଇନ ଆଣିବା ବିଷୟରେ କହିଥିଲେ। ଏଥର ସେମାନଙ୍କ ଇସ୍ତାହାରରେ ସମାନ ସଙ୍କେତ ରହିଛି।

‘ମୁଁ ମୋର ଦଳିତ, ଏସସି/ଏସଟି ଏବଂ ଓବିସି ଭାଇ ଭଉଣୀମାନଙ୍କୁ କଂଗ୍ରେସର ଉଦ୍ଦେଶ୍ୟ ବିଷୟରେ ସଚେତନ କରିବାକୁ ଚାହୁଁଛି। ଧର୍ମ ଆଧାରରେ, ନିଜର ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଏହି ଲୋକମାନେ ବାବାସାହେବ ଆମ୍ବେଦକର ଓ ସମ୍ବିଧାନ ଦ୍ୱାରା ଦିଆଯାଇଥିବା ଆପଣଙ୍କ ଅଧିକାରକୁ ଲୁଟିବାକୁ ଯୋଜନା କରୁଛନ୍ତି’ ବୋଲି ମୋଦୀ ଅଭିଯୋଗ କରିଛନ୍ତି।

ଏହି ରାଲିରେ ବରିଷ୍ଠ ବିଜେପି ନେତା ବିଏସ୍‌ ୟେଦୁରପ୍ପା, ବିଜେପି ପ୍ରାର୍ଥୀ ତଥା ବାଗଲକୋଟ (ବାଗଲକୋଟ) ଏବଂ ବିଜୟପୁରା (ବିଜାପୁର)ର ସାଂସଦ ଯଥାକ୍ରମେ ପିସି ଗଦ୍ଦିଗୌଦାର ଏବଂ ରମେଶ ଜିଗାଜିନାଗି ଉପସ୍ଥିତ ଥିଲେ।
ସଂସଦରେ ଅଧିକାଂଶ ଏସସି, ଏସଟି ଏବଂ ଓବିସି ସାଂସଦ ବିଜେପିର ବୋଲି ଉଲ୍ଲେଖ କରି ମୋଦୀ କହିଛନ୍ତି, ତେଣୁ ସେମାନେ ଅନୁଭବ କରନ୍ତି ଯେ ଏସସି, ଏସଟି ଏବଂ ଓବିସି ବିଜେପି ସହିତ ଅଛନ୍ତି। ସଂଖ୍ୟାଲଘୁଙ୍କ ବିଶ୍ୱାସ ହାସଲ କରିବା ପାଇଁ ସେମାନେ ଏସସି, ଏସଟି ଓ ଓବିସିଙ୍କ ଠାରୁ ଲୁଟ୍‌ କରି ସଂଖ୍ୟାଲଘୁଙ୍କୁ ଦେବାକୁ ଚାହୁଁଛନ୍ତି। ଆପଣ ଏହା ହେବାକୁ ଦେବେ କି?

ମୁଁ ଆଜି ମୋର ଦଳିତ, ଆଦିବାସୀ ଏବଂ ଓବିସି ଭାଇ ଭଉଣୀମାନଙ୍କୁ ଗ୍ୟାରେଣ୍ଟି ଦେବାକୁ ଚାହୁଁଛି ଯେ କଂଗ୍ରେସର ଏଭଳି ଉଦ୍ଦେଶ୍ୟକୁ ମୁଁ ସଫଳ ହେବାକୁ ଦେବି ନାହିଁ। ଆପଣଙ୍କ ଅଧିକାର, ଆପଣଙ୍କ ସଂରକ୍ଷଣକୁ ରକ୍ଷା କରିବା ପାଇଁ ମୋଦୀ ଯେକୌଣସି ସୀମାକୁ ଯିବାକୁ ପ୍ରସ୍ତୁତ। ମୁଁ ଆପଣଙ୍କୁ ଏହା ପ୍ରତିଶ୍ରୁତି ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe