OpIndia
ନୂଆଦିଲ୍ଲୀ: ସଚିନ୍ ପାଇଲଟ୍ଙ୍କୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ସଭାପତି ପଦରୁ କଂଗ୍ରେସ ଆଜି ବହିଷ୍କାର କରିବା ପରେ ଦଳର ନେତାମାନଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଛି। କିଛି ନେତା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ଆଶା ରଖିଛନ୍ତି। ଅନ୍ୟପକ୍ଷେ ଅନ୍ୟ କିଛି ନେତା ପାଇଲଟ୍ଙ୍କ କାର୍ଯ୍ୟକୁ ଦାୟୀ କରିଛନ୍ତି। କିନ୍ତୁ ଅଧିକାଂଶ କଂଗ୍ରେସ ନେତା ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ବୋଲି କହିଛନ୍ତି। ବରିଷ୍ଠ ନେତା ଶଶି ଥରୁର୍ କହିଛନ୍ତି ସଚିନ ପାଇଲଟ୍ ଦଳରେ ନ ରହିବା ଏକ ଦୁର୍ଭାଗ୍ୟଜନକ ଘଟଣା। ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ ବହୁତ କିଛି କରିବାର ଥିଲା ବୋଲି ସେ କହିଛନ୍ତି।
କଂଗ୍ରେସ ମୁଖପାତ୍ର ଅଭିଶେକ ସିଂଘଭି କହିଛନ୍ତି, ପାଇଲଟ୍ ଏକ ସାମ୍ବିଧାନିକ ପଦବୀରେ ଥିଲେ। କିନ୍ତୁ ତାଙ୍କ ପଦବୀ ଅନୁଯାୟୀ ସେ କାର୍ଯ୍ୟ କରିନାହାନ୍ତି। ଯଦି ଖୋଲା ଥିବା ଦ୍ବାର ଠିକ୍ ଭାବେ ବ୍ୟବହାର ନ ହୋଇପାରେ ତେବେ ଦ୍ବାର ବନ୍ଦ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରି କହିଛନ୍ତି, ଯାହା ଘଟିଲା ତାହା ଦଳୀୟ କର୍ମୀମାନଙ୍କୁ ଖୁବ୍ ଅସନ୍ତୁଷ୍ଟ କରିଛି। ଏହା କେବଳ ଦଳ ପାଇଁ ସମସ୍ୟା ନୁହେଁ ବରଂ ଦଳର ବିକାଶ ଏବଂ ଭଲ ଚାହୁଥିବା ତୃଣମୂଳ କର୍ମୀମାନଙ୍କ ପାଇଁ ମଧ୍ୟ ଏହା ଝଟ୍କା ହେବ। ଦଳ ଉପରେ ବିଶ୍ବାସ ରଖିଥିବା ସାଧାରଣ କର୍ମୀଙ୍କୁ ମଧ୍ୟ ଏହା ଆଘାତ ଦେଇଛି ।
ବରିଷ୍ଠ ନେତା ସଲମାନ୍ ଖୁର୍ସିଦ୍ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦାୟକ। କାହାକୁ ଦୋଷ ଦେବାପାଇଁ ମୁଁ ଚାହେନା କିନ୍ତୁ ଏଭଳି ସ୍ଥିତି ଉପୁଯିବା ପୂର୍ବରୁ ଆମେ ସମସ୍ତେ ଏହି ଚ୍ୟାଲେଂଜକୁ ସାମ୍ନା କରିବା ଉଚିତ ବୋଲି ସେ କହିଛନ୍ତି। ବରିଷ୍ଠ କଂଗ୍ରେସ ନେତା ଏମ୍ ବୀରାପ୍ପା ମୋଇଲି କହିଛନ୍ତି ଯାହା ହେଲା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିଜେପି ଉଚ୍ଚାଭିଳାଷୀ ଯୁବନେତାମାନଙ୍କ ଦୁର୍ବଳତାକୁ ବ୍ୟବହାର କରୁଛି ବୋଲି ସେ କହିଛନ୍ତି। ପାଇଲଟ୍ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଗଲା, ରାଜସ୍ଥାନରେ ଦଳର ଦାୟିତ୍ବ ଦିଆଗଲା କିନ୍ତୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର ଧୈର୍ଯ୍ୟ ରହିଲାନି। ବିଜେପି ତାଙ୍କର ଦୁର୍ବଳତାକୁ ବ୍ୟବହାର କରୁଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ କହିଛନ୍ତି, ପାଇଲଟ୍ ଅତ୍ୟନ୍ତ ନିଷ୍ଠାପର ଭାନେ ଅନେକ ଦିନ ଧରି କଂଗ୍ରେସ ପାଇଁ କାମ କରିଛନ୍ତି ଏବଂ ଏହାକୁ କେହି ବଦଳାଇ ଦେଇ ପାରିବେ ନାହିଁ।
Follow Us