ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ଏବଂ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପର୍ଯ୍ୟବେକ୍ଷକ ଘୋଷଣା କରିଛି। ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ଗୁଜରାଟର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି। ଏଥି ସହିତ ତାଙ୍କ ସହ ଦୁଇଜଣ ପର୍ଯ୍ୟବେକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି। ସେଥିମଧ୍ୟରୁ ଛତିଶଗଡ ମନ୍ତ୍ରୀ ଟି.ଏସ୍ ସିଂଦେଓ ଏବଂ ମହାରାଷ୍ଟ୍ରର ନେତା ମିଲିନ୍ଦ ଦେଓରାଙ୍କ ନାମ ରହିଛି। ସେହିପରି ହିମାଚଳ ପ୍ରଦେଶରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ ଜଣେ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କ ସହ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଏବଂ ପଞ୍ଜାବର ବରିଷ୍ଠ ନେତା ପ୍ରତାପ ସିଂ ବାଜୱାଙ୍କୁ ପର୍ଯ୍ୟବେକ୍ଷକ କରାଯାଇଛି।
ଗତ ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ଗେହଲୋଟ୍ ବହୁତ ଭଲ ପ୍ରଦର୍ଶନ କରିଥିଲେ। ଆସନ୍ତା କିଛି ମାସ ମଧ୍ୟରେ ଉଭୟ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ବର୍ତ୍ତମାନ ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବିଜେପି କ୍ଷମତାରେ ଅଛି। ସେହିପରି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ମଧ୍ୟ ଉଭୟ ରାଜ୍ୟରେ କ୍ରମାଗତ ଭାବେ ଅଭିଯାନ ଚଳାଉଛି। ଏଭଳି ପରିସ୍ଥିତିରେ କଂଗ୍ରେସ ଆଗରେ ଏକ ବଡ଼ ଆହ୍ୱାନ ରହିଛି।
ତେବେ ବଡ କଥା ହେଉଛି ଯେ ଏଥର ପର୍ଯ୍ୟବେକ୍ଷକ ନିଯୁକ୍ତିରେ ଦଳ ପକ୍ଷରୁ ପାରମ୍ପରିକ ବିରୋଧୀମାନଙ୍କୁ ଭିନ୍ନ ଭିନ୍ନ କରାଯାଇଛି | ଯେପରିକି ରାଜସ୍ଥାନରେ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବାବେଳେ ଛତିଶଗଡ଼ରେ ମଧ୍ୟ ବଘେଲ ଓ ସିଂହଦେଓଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି |
Follow Us