Image Courtesy of India Today
ନୂଆଦିଲ୍ଲୀ: ୨୦୧୪ ନିର୍ବାଚନ ପରେ କଂଗ୍ରେସରେ ଦେଖାଦେଇଥିବା ରାଜନୈତିକ ପ୍ରଭାବହୀନତା ଏବେ ଶୀର୍ଷରେ ପହଞ୍ଚିଥିବା ଚର୍ଚ୍ଚା ହେଉଛି। ଆଗକୁ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ଥିବା ବେଳେ ଦଳ ଏବେ ସାମନା କରୁଥିବା ଉତ୍କଟ ଆର୍ଥିକ ସଂକଟ ସମସ୍ୟା ବଢ଼ାଇବ ବୋଲି ଆଶଙ୍କା କରାଯାଉଛି। ଅପରପକ୍ଷେ, ଏଭଳି ଦୁର୍ଦ୍ଦିନରୁ ମୁକୁଳିବା ପାଇଁ ଦଳର କେନ୍ଦ୍ରୀୟ ନେତୃତ୍ବ ଏହାର ପୃଷ୍ଠପୋଷକ ତଥା ଶାସନାଧୀନ ରାଜ୍ୟମାନଙ୍କୁ ତତ୍କାଳ ସହାୟତା ପାଇଁ ବାର୍ତ୍ତା ପଠାଇଥିବା ଜାଣିବାକୁ ମିଳିଛି।
ସୂଚନା ଥାଉ କି, ଗତ ମାସରେ କିଛି ବଛା ବଛା ରାଜ୍ୟର କଂଗ୍ରେସ ନେତୃତ୍ବ ସହ କେନ୍ଦ୍ରୀୟ କମିଟିର ଆଲୋଚନା ବେଳେ ଆର୍ଥିକ ସହାୟତା ହିଁ ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ଦଳ ମୁଖ୍ୟତଃ ଶାସନରେ ଥିବା ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ପଞ୍ଜାବର ସମସ୍ତ ମନ୍ତ୍ରୀଙ୍କ ସମେତ କିଛି ସାଂଗଠନିକ ନେତୃବୃନ୍ଦ ସହ ପୃଥକ୍ ଭାବେ ଏ ସଂକ୍ରାନ୍ତ ଆଲୋଚନା ହୋଇଥିଲା। ଏପରି ନିଭୃତ ଆଲୋଚନାରେ ସଂପୃକ୍ତ ରାଜ୍ୟମାନଙ୍କରେ ପ୍ରଦେଶ କମିଟି ସଭାପତି ନାମ ସୁପାରିସ ପରି ବିଷୟକୁ ଗୁରୁତ୍ବ ଦିଆଯାଇଥିବା କଥା ପ୍ରଥମେ ଚର୍ଚ୍ଚା ହେଉଥିବା ବେଳେ ପ୍ରକୃତରେ ଅର୍ଥ ସଂଗ୍ରହ ହିଁ ମୁଖ୍ୟ ପ୍ରସଙ୍ଗ ଥିବା ପରେ ଜଣାପଡ଼ିଛି। ରାଜ୍ୟ ନେତୃବୃନ୍ଦଙ୍କୁ ଦଳର ଦୟନୀୟ ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ କରାଯିବା ସହ ସେମାନଙ୍କୁ ଦଳୀୟ ପାଣ୍ଠିର ମାଲିକାନା ଗ୍ରହଣ କରିବା ଲାଗି କୁହାଯାଇଛି। ଅବଶ୍ୟ ଏଥି ସହିତ ସାଂଗଠନିକ ପ୍ରସଙ୍ଗରେ ମଧ୍ୟ ଆଲୋଚିତ ହୋଇଛି। ଯେହେତୁ କେରଳ, ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ ପୁଡୁଚେରିରେ ହେବାକୁ ଥିବା ବିଧାନସଭା ନିର୍ବାଚନ ହିଁ ଦଳର ପରିଚାଳନା ଦକ୍ଷତାକୁ ପ୍ରମାଣିତ କରିବ, ସୁତରାଂ ଏ ପରିପ୍ରେକ୍ଷୀରେ ଦଳର ଆର୍ଥିକ ସ୍ଥିତି ହିଁ ମୁଖ୍ୟ ଚିନ୍ତାର ବିଷୟ ହୋଇଛି ବୋଲି ଦଳର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା କହିଛନ୍ତି। ତେବେ ରାଜ୍ୟ ୟୁନିଟ୍ଗୁଡ଼ିକ ଏଥିପାଇଁ ଆଗେଇ ଆସିବାକୁ ଆହ୍ବାନ ଦିଆଯାଇଥିବା ସେ କହିଛନ୍ତି।
୨୦୧୪ରେ ୟୁପିଏ-୨ ସରକାର ପତନ ପର ଠାରୁ ଜାତୀୟ ସ୍ତରରେ କଂଗ୍ରେସର ରାଜନୈତିକ ପତିଆରା ହ୍ରାସ ପାଇବାରେ ଲାଗିଛି। ଦଳର ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ଠାରୁ ଆର୍ଥିକ ଅବଦାନ ପାଇଁ ବାଧ୍ୟ କରାଯିବା ସହ ସେମାନେ ବାକି ରଖିଥିବା ବାର୍ଷିକ ଚାନ୍ଦା ମଧ୍ୟ ଭରଣା କରିବାକୁ କୁହାଯାଇଥିବା ଆଲୋଚନା ହେଉଛି।
Follow Us