ତ୍ରିପୁରାରେ ମମତା କହିଲେ, କଂଗ୍ରେସ ହେଉଛି ବିଜେପିର ‘ଟିମ୍‌ ବି’

Advertisment
ଚକଲେଟ ବୋମା ଫୁଟିଲେ ବି ପଠାଇଦିଆଯାଉଛି ସିବିଆଇ ଓ ଏନଆଇଏ

ଅଗରତାଲା: ତ୍ରିପୁରା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ କଂଗ୍ରେସକୁ ଟାର୍ଗେଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ମଙ୍ଗଳବାର କହିଛନ୍ତି ଯେ କଂଗ୍ରେସ ହେଉଛି ବିଜେପିର ‘ଟିମ୍‌ ବି’।

ଫେବ୍ରୁଆରି ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଅନ୍ୟ ରାଜ୍ୟରେ ନିଜ ଦଳ ତୃଣମୂଳର ବିସ୍ତାର କରିବାକୁ ଆଗ୍ରହୀ ଥିବା ମମତା ବାନାର୍ଜୀ ମଙ୍ଗଳବାର ଅଗରତାଲାରେ ଟିଏମସି କର୍ମୀ ଓ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରା କରିଥିଲେ।

ଏଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା କହିଛନ୍ତି, ଆମେ ବଙ୍ଗଳାରେ ବିକାଶ ମୂଳକ କାର୍ଯ୍ୟ କରିଛୁ। ସ୍ୱାସ୍ଥ୍ୟ ବୀମା ପାଇଁ ଆମେ ‘ସ୍ୱାସ୍ଥ୍ୟ ସାଥୀ’ କାର୍ଡ ପ୍ରଦାନ କରୁଛୁ। କେନ୍ଦ୍ର ସରକାର ଦେଇଥିବା ଆୟୁଷ୍ମାନ ଭାରତ କାର୍ଡରେ ବିଶ୍ୱସନୀୟତା ନାହିଁ।

ସେ କହିଛନ୍ତି ଯେ ସଂପ୍ରତି ବେଙ୍ଗଲ ମଡେଲକୁ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଓ ପ୍ରଶଂସା କରାଯାଉଛି। ଡବଲ ଇଞ୍ଜିନ ସରକାର ଅଧୀନରେ ଦେଶରେ ବେକାରୀ ହାର ୪୦ ପ୍ରତିଶତ ବୃଦ୍ଧି ପାଇଛି। ନିର୍ବାଚନ ସମୟରେ ସେମାନେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି କି? ଆପଣଙ୍କ ଆକାଉଣ୍ଟକୁ ୧୫ ଲକ୍ଷ ଟଙ୍କା ଆସିଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ବିଜେପି ରାଜନୈତିକ ଭାବେ ଲଢ଼ିବାରେ ସକ୍ଷମ ନୁହେଁ ଏବଂ ସେଥିପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଭଳି କେନ୍ଦ୍ରୀୟ ଏଜେନ୍‌ସିକୁ ବିରୋଧୀ ଦଳ ନେତାଙ୍କ ବାସଭବନକୁ ପଠାଉଛି।

ବିମୁଦ୍ରାକରଣ ପରେ କଳାଧନ ଫେରିଛି କି? ଯଦି ଭାରତୀୟ ଜୀବନ ବୀମା ନିଗମ ଏବଂ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବୁଡ଼ିଯାଏ, ତେବେ ଆମେ ଆମର ଟଙ୍କା ଫେରସ୍ତ ପାଇବୁ କି? ଯଦି ଆପଣମାନେ ଭାବୁଛନ୍ତି ଯେ ଇଡି ଏବଂ ସିବିଆଇ ସହାୟତାରେ ଆମକୁ ନିପାତ କରାଯିବ, ତେବେ ଏହା ସହଜ ନୁହେଁ ବୋଲି ମମତା ଆଦାନୀ ବିବାଦ ମଧ୍ୟରେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe