image source-jansatta
ଅହମ୍ମଦାବାଦ : ରାଜଦ୍ରୋହ ମାମଲାରେ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ପୁଲିସ୍ ଗିରଫ କରିଥିବା ଜଣାଯାଇଛି । ପୂର୍ବରୁ ତାଙ୍କ ବିରୋଧରେ ୨୦୧୫ର ଦେଶଦ୍ରୋହ ମାମଲାରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା। ତାଙ୍କୁ ଆସନ୍ତା ୨୪ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟରେ ପଟିଦାର ଆନ୍ଦୋଳନ ଲାଗି ସ୍ବର ଉତ୍ତୋଳନ କରୁଥିବା ହାର୍ଦ୍ଦିକ ପଟେଲଙ୍କୁ ଅହମ୍ମଦାବାଦ ଜିଲ୍ଲାର ବିରମଗାଁ ନିକଟସ୍ଥ ହାସଲପୁରରୁ ଗିରଫ କରାଯାଇଛି। ଗତକାଲି ଅତିରିକ୍ତ ବିଚାରପତି ବିଜି ଗନାତ୍ରା ସରକାରଙ୍କ ପିଟିସନକୁ ସ୍ଵୀକାର କରିବା ପରେ ହାର୍ଦ୍ଦିକ ପଟେଲଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରାଯାଇଥିଲା।
ଡିସିପି ରାଜଦୀପ ସିଂହ ଜାଲା (ସାଇବର କ୍ରାଇମ) ତାଙ୍କ ଗିରଫଦାରିର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଦାଲତ ତାଙ୍କ ବିରୋଧରେ ଜାମିନବିହୀନ ଗିରଫ ପରଓ୍ଵାନା ଜାରି କରିଥିଲା। ଏହାପରେ ହାର୍ଦ୍ଦିକ ପଟେଲଙ୍କୁ ଗିରଫ କରାଯାଇଛି। ତାଙ୍କୁ ଆଜି ଅଦାଲତରେ ହାଜର କରାଯାଉଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ୨୦୧୫ ମସିହା ଅଗଷ୍ଟ ୨୫ ତାରିଖରେ ଅହମ୍ମଦାବାଦରେ ପଟେଲ୍ ସଂପ୍ରଦାୟର ରାଲିରେ ହୋଇଥିବା ହିଂସାକାଣ୍ଡ ପରେ ସ୍ଥାନୀୟ କ୍ରାଇମବ୍ରାଞ୍ଚ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଥିଲା। ହାର୍ଦ୍ଦିକଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା।
ତେବେ ୨୦୧୬ ମସିହା ଜୁଲାଇ ମାସରେ ହାର୍ଦ୍ଦିକ ଜେଲରୁ ମୁକୁଳିଥିଲେ। ୨୦୧୮ ନଭେମ୍ବରରେ ହାର୍ଦ୍ଦିକ ପଟେଲ ଏବଂ ଅନ୍ୟମାନଙ୍କ ବିରୋଧରେ ଆରୋପ ସ୍ଥିର କରାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ ୨୪ ତାରିଖରେ ହେବ ବୋଲି ଜଣାଯାଇଛି।
Follow Us