Photograph: (Sambad.in)
ନୂଆଦିଲ୍ଲୀ: ବିଦେଶ ବୁଲି ପାକିସ୍ତାନର ପୋଲ୍ ଖୋଲିବା ସହ ବିଶ୍ବ ସ୍ତରରେ ପାକିସ୍ତାନର ଆତଙ୍କୀ ପ୍ରୀତି ଓ ଆତଙ୍କବାଦ ବିରୋଧରେ ସ୍ବର ଉଠାଇବେ ଭାରତୀୟ ସାଂଦସ । ଏଥିପାଇଁ ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଥିବା ବେଳେ ୭ଟି ପ୍ରତିନିଧି ଦଳର ୭ ଜଣ ନେତୃତ୍ବଙ୍କ ନାଁ ଥିବା ତାଲିକା ପ୍ରକାଶ ପାଇଛି । ଯେଉଁଥିଲେ ବିଭିନ୍ନ ଦଳର ବରିଷ୍ଠ ସାଂସଦଙ୍କୁ ନେତୃତ୍ବ ଦିଆଯାଇଛି । ସେଥିରେ ବି କଂଗ୍ରେସର ବରିଷ୍ଠ ସାଂସଦ ଶଶୀ ଥରୁରଙ୍କ ନାଁ ରହିଛି ।
ହେଲେ ସବୁଠାରୁ ବଡ଼ କଥା ହେଉଛି ଶଶୀଙ୍କ ନାଁ ସର୍ବଦଳୀୟ ପ୍ରତିନିଧି ଦଳ ତାଲିକାରେ ଦେଖି ଚମକି ପଡିଛି କଂଗ୍ରେସ । ଆଉ ଶଶୀଙ୍କ ନାଁ ସେ ତାଲିକାରେ କେମିତି ଆସିଲା ବୋଲି ପରୋକ୍ଷରେ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସର ମହାସଚିବ ଜୟରାମ ରମେଶ ନିଜ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି- ଗତକାଲି ସକାଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କଂଗ୍ରେସ ସଭାପତି ଏବଂ ବିରୋଧୀ ଦଳ ନେତାଙ୍କ ସହ କଥା ହୋଇଥିଲେ। ଆଉ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ପାଇଁ କଂଗ୍ରେସକୁ ୪ ଜଣ ସାଂସଦଙ୍କ ନାମ ଦାଖଲ କରିବାକୁ କହିଥିଲେ । ଗତକାଲି ମଧ୍ୟାହ୍ନ ସୁଦ୍ଧା ବିରୋଧୀ ଦଳ ନେତା କଂଗ୍ରେସ ପକ୍ଷରୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଚିଠି ଲେଖି ଆନନ୍ଦ ଶର୍ମା, ଗୌରବ ଗୋଗଇ, ସାୟଦ ନସିର ହୁସେନ ଏବଂ ରାଜା ବ୍ରାରଙ୍କ ନାମ ଦେଇଥିଲେ ବୋଲି ଲେଖିଛନ୍ତି...
ହେଲେ କେନ୍ଦ୍ର ସରକାର କଂଗ୍ରେସ ଦେଇଥିବା ୪ ଜଣଙ୍କ ନାଁ ଭିତରୁ କାହାକୁ ତାଲିକାରେ ନରଖି ଶଶୀ ଥରୁରଙ୍କ ଉପରେ ଭରସା କରି ତାଙ୍କୁ ଦାୟିତ୍ବ ଦେବା ପରେ କଂଗ୍ରେସ ଆଶ୍ଚର୍ୟ୍ୟ ହୋଇଛି । ତେଣୁ ଏପରି ସ୍ଥଳରେ କଂଗ୍ରେସ ଶଶୀଙ୍କୁ ସର୍ବଦଳୀୟ ପ୍ରତିନିଧି ଦଳ ସହ ବିଦେଶ ଯିବାକୁ ଅନୁମତି ଦେବ କି ନାହିଁ ସେ ନେଇ ଚର୍ଚ୍ଚା ହେଉଥିବା ବେଳେ ଶଶୀ ଟୁଇଟ୍ କରି ଲେଖିଛନ୍ତି ରାଷ୍ଟ୍ରହିତ ପାଇଁ ମୁଁ ପଛକୁ ହଟିପାରିବନି ।
ତେବେ ବିଶ୍ବ ସ୍ତରରେ ପାକିସ୍ତାନକୁ ଘେରିବାକୁ ଭାରତ କୂଟନୈତିକ ପ୍ରହାର ଆରମ୍ଭ କରିଛି । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହେଲା ଦଳ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ ।
ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ । ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବେ ।
Follow Us