ସ୍ଥାନୀୟ ସମସ୍ୟାକୁ ନେଇ ଲଢ଼େଇ କରିବ କଂଗ୍ରେସ: ଚେଲ୍ଲା କୁମାର

Advertisment

ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ଟିମ୍ ଗଠନ ଶେଷ ହେବ

ଅଗଷ୍ଟ ପ୍ରଥମ ସପ୍ତାହ ସୁଦ୍ଧା ନୂଆ ଟିମ୍ ଗଠନ ଶେଷ ହେବ

ସ୍ଥାନୀୟ ସମସ୍ୟାକୁ ନେଇ ଲଢ଼େଇ କରିବ କଂଗ୍ରେସ: ଚେଲ୍ଲା କୁମାର

ନୁଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଦୁର୍ବଳ ଅବସ୍ଥାରେ ଥିବା କଂଗ୍ରେସ ଦଳକୁ ମଜବୁତ କରିବା ପାଇଁ ଏଆଇସିସି ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି। ଏହି କ୍ରମରେ କିଛି ରାଜ୍ୟର ପିସିସିକୁ ପୁର୍ନଗଠନ କରାଯାଇଛି ଏବଂ ଆଉ କିଛି ରାଜ୍ୟରେ ଆଗାମୀ ଦିନରେ ପୁର୍ନଗଠନ ପ୍ରକିୟାକୁ ଚୂଡ଼ାନ୍ତ ରୂପ ଦିଆଯିବ ବୋଲି ଏଆଇସିସି ସୁତ୍ରରୁ ଜଣାପଡ଼ିଛି। ଓଡ଼ିଶା ପାଇଁ ପିସିସିର ନୂଆ ଟିମ ଗଠନର ପ୍ରକ୍ରିୟା ଜାରି ରହିଛି। ସମ୍ଭବତଃ ଅଗଷ୍ଟ ମାସର ପ୍ରଥମ ସପ୍ତାହ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ବୋଲି ଏଆଇସିସିର ଓଡ଼ିଶା ପ୍ରଭାରୀ ଏ ଚେଲ୍ଲାକୁମାର କହିଛନ୍ତି। ତେବେ ପିସିସି ସଭାପତି ଏବେ ବଦଳିବେ ନାହିଁ ବୋଲି ସେ କହିଛନ୍ତି।

‘ସମ୍ବାଦ’ ସହ ଏକ ବିଶେଷ କଥାବାର୍ତ୍ତାରେ ‌ଚେଲ୍ଲାକୁମାର କହିଛନ୍ତି, ପିସିସି ନୂଆ ଟିମ୍ ଗଠନ ପ୍ରକ୍ରିୟା ଜାରି ରହିଛି। କଂଗ୍ରେସର ଜିଲ୍ଲା ସଭାପତି, ଛାତ୍ର ଶାଖା ସଭାପତି, ମହିଳା କଂଗ୍ରେସ ସଭାପତି, କଂଗ୍ରେସର ମିଡିଆ ଓ ଯୋଗାଯୋଗ ଟିମ, ସେବା ଦଳର ମୁଖ୍ୟଙ୍କ ନାମ ଘୋଷଣା ହୋଇସାରିଛି। କର୍ମକର୍ତ୍ତା ନିଯୁକ୍ତି ବେଳେ ନେତାମାନଙ୍କ ଇତିହାସ, ବର୍ତ୍ତମାନ ସେମାନଙ୍କ ସକ୍ରିୟତା ଆଦିକୁ ବିଚାରକୁ ନିଆଯାଉଛି। ପିସିସିର ନୂଆ ଟିମ ସମ୍ପୂର୍ଣ୍ଣ ଘୋଷଣା ହେବା ପରେ ସେ ଓଡ଼ିଶା ଗସ୍ତ କରିବେ। ଏଥର ତାଙ୍କର ଫୋକସ୍‌ ଗାଁ, ବ୍ଲକ୍‌ ଓ ଜିଲ୍ଲା ଉପରେ କେନ୍ଦ୍ରିତ ରହିବ। ସାଧାରଣ ଜନତାଙ୍କୁ ଦଳ ସହ ଅଧିକ ଯୋଡ଼ିବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ସମସ୍ୟାକୁ ଲୋକଲୋଚନକୁ ଅଣାଯିବା ସହ ତାହାର ସମାଧାନ ପାଇଁ ଲଢ଼େଇ ଜୋର୍‌ଦାର କରାଯିବ।

ବ୍ଲକ କଂଗ୍ରେସ କମିଟି ସଭାପତିମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନରେ ନିର୍ବାଚନର ତାରିଖ ଘୋଷଣା ପରେ ଦଳ ସକ୍ରିୟ ହୋଇ ନିର୍ବାଚନ ଲଢ଼ିବ। ସେ ନିଜେ ବିଭିନ୍ନ ଜିଲ୍ଲା ଓ ଗ୍ରାମ‌ାଞ୍ଚଳ ଗସ୍ତ କରି ସଂଗଠନକୁ ସକ୍ରିୟ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିବେ ବୋଲି କହିଛନ୍ତି। କଂଗ୍ରେସର ବିଚାରଧାରାରେ ବିଶ୍ବାସ ରଖୁଥିବା ନେତାମାନଙ୍କୁ କଂଗ୍ରେସରେ ସାମିଲ ହୋଇ ଦଳକୁ ମଜବୁତ କରିବା ନିମନ୍ତେ ନି‌ବେଦନ କରି କଂଗ୍ରେସ ପ୍ରଭାରୀ କହିଛନ୍ତି ଯେ ଏ ନେଇ ସେ କିଛି ନେତାଙ୍କ ଯୋଗାଯୋଗରେ ଅଛନ୍ତି। ସେହିପରି ସ୍ଥାନୀୟ ପ୍ରସଙ୍ଗ କାରଣରୁ ଯେଉଁ କଂଗ୍ରେସ ନେତାମାନେ ଦଳ ଛାଡ଼ିଥିବେ, ସେମାନଙ୍କ ସହିତ କଥା ହେବେ। ସେମାନଙ୍କ ଘରବାହୁଡ଼ାକୁ ସ୍ବାଗତ କରାଯିବ। ଚେଲ୍ଲାକୁମାର ଅଭିଯୋଗ କରିଛନ୍ତି ଯେ ବିଜେଡି ଓ ବିଜେପି ମଧ୍ୟରେ ସଲ‌ାସୁତୁରା ରହିଛି। ଦୁଇ ଦଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି। କଂଗ୍ରେସ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାରଙ୍କର ଦୁର୍ନୀତିର ମୁଖା ଖୋଲିଦେବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe