ନୂଆଦିଲ୍ଲୀ: କଂଗ୍ରେସର ଅନ୍ୟନାମ ପାଲଟୁଛି କନ୍ଦଳ। ପଞ୍ଜାବ, ରାଜସ୍ଥାନ ଓ ମଣିପୁରରେ ଦଳ ଭିତରେ କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡୁଥିବା ବେଳେ ପୁଣି ମହାରାଷ୍ଟ୍ରରେ ବି ମେଣ୍ଟ ଭିତରେ କଂଗ୍ରେସ କନ୍ଦଳ ସୃଷ୍ଟି କରିବାକୁ ଚେଷ୍ଟା କରିଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲଙ୍କ ବୟାନ ଏବେ ମହାରାଷ୍ଟ୍ର ସରକାର ପ୍ରତି ବିପଦ ସୃଷ୍ଟି କରିଛି । ନାନା କହିଛନ୍ତି କି ମହାରାଷ୍ଟ୍ରରେ ହେବାକୁ ଥିବା ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଏକାକୀ ଲଢିବ। ଦଳ ମହାବିକାଶ ଅଗାଡି ମେଣ୍ଟର କୌଣସି ଦଳ ସହ ମେଣ୍ଟ କରିବ ନାହିଁ। ନାନାଙ୍କ ଏଭଳି ବୟାନ ପରେ ମେଣ୍ଟ ସରକାର ପ୍ରତି ବିପଦ ଦେଖା ଦେଇଛି।
ରାହୁଲ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏଆଇସିସି ଦାୟିତ୍ୱରେ ଥିବା ଏଚ୍.କେ ପାଟିଲ, ଦଳର ସାଂଗଠନିକ ସାଧାରଣ ସଂପାଦକ କେ.ସି ଭେନୁଗୋପାଲ ବି ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ନାନା ପାଟୋଲ ଯୋଗଦେଇ ମହାବିକାଶ ଅଗାଡି ମେଣ୍ଟରେ କଂଗ୍ରେସକୁ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅନ୍ୟପଟେ ଏହି ବୈଠକରେ ମହାରାଷ୍ଟ୍ରରେ ଦଳକୁ ଶକ୍ତିଶାଳୀ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡିଛି।
ଗଣମାଧ୍ୟମକୁ ସୂଚନା ନେଇ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନାନା ପାଟୋଲ କହିଛନ୍ତି ମହାରାଷ୍ଟ୍ରର ସ୍ଥିତିକୁ ଦେଖିଲେ ଅନ୍ୟ ଦଳ ତୁଳନାରେ କଂଗ୍ରେସର ସ୍ଥିତି ଭଲ ରହିଛି। ତେଣୁ ବିଧାନସଭା ନିର୍ବାଚନକୁ ୩ ବର୍ଷ ବାକି ଥିବାରୁ ଏବେଠାରୁ ସଂଗଠନର ବିକାଶ ପାଇଁ ଦଳକୁ ଏକାକୀ ପୌର ଓ ପଞ୍ଚାୟତ ନିର୍ବାଚନ ଲଢି ତୃଣମୂଳ ସ୍ତରରେ ପହଂଚିବାର ଆବଶ୍ୟକତା ରହିଛି ।
କହିରଖୁ କି ମହାରାଷ୍ଟ୍ର ମହାବିକାଶ ଅଗାଡି ମେଣ୍ଟ ଭିତରେ ଫାଟ ଆରମ୍ଭ ହୋଇଛି । ଏନସିପି ନେତା ଶରଦ ପାୱାର ବାରମ୍ବାର ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଓ ସେ ଆଗାମୀ ରାଷ୍ଟ୍ରପତି ହେଉଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଶିବସେନା ପ୍ରବକ୍ତା ସଂଜୟ ରାୱତ ବିଜେପି ପ୍ରତି ଶିବସେନାର ସଂପର୍କ ସଂପର୍କରେ ଦେଇଥିବା ମନ୍ତବ୍ୟ ମେଣ୍ଟର ଫାଟକୁ ଜଳ ଜଳ କରି ଦେଖାଉଛି।
Follow Us