ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ସମସ୍ତ ରାଜନୈତିକ ଦଳ ସେମାନଙ୍କ ରଣନୀତି ଆପଣେଇ ଆଗକୁ ବଢୁଛନ୍ତି। ଏହି କ୍ରମରେ ରାଷ୍ଟ୍ରୀୟ ଜନତା ଦଳର ନେତା ତେଜସ୍ୱୀ ଯାଦବ ଏକ ବଡ଼ ବିବୃତି ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଇଣ୍ଡିଆ ଆଲାଏନ୍ସ ଲୋକସଭା ନିର୍ବାଚନ ପାଇଁ ଥିଲା ଏବଂ ଏହା ଜାତୀୟସ୍ତରରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲିଆନ୍ସ ଅର୍ଥାତ୍ ଏନଡିଏ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଠନ କରାଯାଇଥିଲା ।
ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ମନମାନୀ ଆଉ ଚଳିବନି। ବିହାରରେ ଆମର କଂଗ୍ରେସ ସହ ଏକ ମେଣ୍ଟ ରହିଛି। ତେଜସ୍ୱୀ ଯାଦବଙ୍କ ଏହି ବିବୃତି ନେଇ ଅନୁମାନ କରାଯାଉଛି ଯେ, ମମତା ବାନାର୍ଜୀ, ଅଖିଳେଶ ଯାଦବ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ପରେ ବିହାରରେ କଂଗ୍ରେସ ଠାରୁ ଆରଜେଡିର ଦୂରତା ମଧ୍ୟ ବୃଦ୍ଧି ପାଇଛି। ତେବେ ବିହାରରେ ଆରଜେଡି ଏବଂ କଂଗ୍ରେସ ମଧ୍ୟରେ ଆସନ ବାଣ୍ଟିବା ନେଇ ରାଜନୀତି ବିଶେଷଜ୍ଞ ଏହାକୁ ଚାପ ରାଜନୀତି ସହ ଯୋଡିଛନ୍ତି।
ବାସ୍ତବରେ, କଂଗ୍ରେସ ଏବଂ ଆରଜେଡି ମଧ୍ୟରେ ଆସନ ବାଣ୍ଟିବା ନେଇ ବିହାରରେ ବିବାଦ ଆରମ୍ଭ ହୋଇସାରିଥିବା ବେଳେ ତେଜସ୍ୱୀ ଯାଦବଙ୍କ ବିବୃତିକୁ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି। ବିହାରର ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୭୦ଟି ଆସନ ଉପରେ କଂଗ୍ରେସ ଦାବି ରଖିଛି। ବିହାର ଗ୍ରାଣ୍ଡ ଆଲାଇନ୍ସରେ ରାଷ୍ଟ୍ରୀୟ ଜନତା ଦଳ, କଂଗ୍ରେସ, ସିପିଆଇ ଏମଏଲ, ସିପିଆଇ, ସିପିଏମ ଏବଂ ବିକାଶଶୀଳ ଇନସାନ ପାର୍ଟି ସମେତ ୬ଟି ଦଳ ଅନ୍ତର୍ଭୁକ୍ତ। ଏଭଳି ପରିସ୍ଥିତିରେ ତେଜସ୍ୱୀ ଯାଦବଙ୍କ ଏହି ବିବୃତିକୁ ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ଦଳ ଅଧିକ ଚାପରେ ନ ଆସିବା ପାଇଁ ରଣନୀତି କୁହାଯାଇପାରେ। ଆରଜେଡି ନେତାଙ୍କ ଏହି ବିବୃତିକୁ କଂଗ୍ରେସ ଦଳ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି।
ଯେତେବେଳେ ତେଜସ୍ୱୀ ଯାଦବ ଇଣ୍ଡିଆ ଆଲାଏନ୍ସ ସଂପର୍କରେ ଏକ ବିବୃତି ଦେଉଥିଲେ, ସେତେବେଳେ ଗଣମାଧ୍ୟମ ବ୍ୟକ୍ତିମାନେ ତାଙ୍କୁ ପଚାରିଥିଲେ ଯେ, ଆରଜେଡି ଦିଲ୍ଲୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ କି ନାହିଁ, ତେଜସ୍ବୀ ଉତ୍ତର ଦେଇଥିଲେ ଯେ, ଆମେ ଏପର୍ଯ୍ୟନ୍ତ ସ୍ଥିର କରିନାହୁଁ କି ଆମେ ଦିଲ୍ଲୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ କି ନାହିଁ।
ସୂଚନାଯୋଗ୍ୟ ,ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି, କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ଏକ ତ୍ରିକୋଣୀୟ ଲଢ଼େଇ ହେବ ବୋଲି କୁହାଯାଉଛି। କିନ୍ତୁ, ଲୋକସଭା ନିର୍ବାଚନରେ ସେପରି ପରିସ୍ଥିତି ନ ଥିଲା। ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକାଠି ଲଢ଼ିଥିଲେ। କିନ୍ତୁ, ବିଧାନସଭା ନିର୍ବାଚନରେ ଉଭୟ ଦଳର ରାସ୍ତା ଭିନ୍ନ।
ଅନ୍ୟ ଏକ ଦିଗ ହେଉଛି ଉତ୍ତରପ୍ରଦେଶରେ କଂଗ୍ରେସ ଏବଂ ସମାଜବାଦି ପାର୍ଟି ମଧ୍ୟରେ ସମନ୍ୱୟ ରହିଥିବାବେଳେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସମାଜବାଦି ପାର୍ଟି ଆମ୍ ଆଦମୀ ପାର୍ଟିକୁ ସମର୍ଥନ କରିଛି। ଫଳରେ କଂଗ୍ରେସ ଏକୁଟିଆ ଲଢୁଥିବା ଜଣାପଡିଛି। ଏହାପୂର୍ବରୁ ମମତା ବାନାର୍ଜୀ ନିଜକୁ ଇଣ୍ଡିଆ ଆଲାଇନ୍ସର ନେତା ଘୋଷଣା କରି କଂଗ୍ରେସ ଦଳକୁ ଚକିତ କରିଦେଇଥିଲେ। ବର୍ତ୍ତମାନ ତେଜସ୍ୱୀ ଯାଦବଙ୍କ ଏହି ଆଭିମୁଖ୍ୟ କଂଗ୍ରେସ ପାଇଁ ଏକ ବଡ଼ ଝଟକା ବୋଲି ବିବେଚନା କରାଯାଉଛି।
ଅଧିକ ପଢ଼ନ୍ତୁ: ହସିନାଙ୍କୁ ଆଶ୍ବସ୍ତି: ବାଂଲାଦେଶ ପାସପୋର୍ଟ ରଦ୍ଦ ପରେ ଭିସା ବୃଦ୍ଧି କଲା ଭାରତ
ସୂଚନାଯୋଗ୍ୟ, ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥର କଂଗ୍ରେସ ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୭୦ଟି ଆସନ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରିଛି। ବର୍ତ୍ତମାନ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ଏହି ବିବୃତି ଆସିବା ପରେ ଏହା ସିଟ୍ ବାଣ୍ଟିବାରେ ବୁଝାମଣା ବୋଲି ରାଜ୍ୟର ରାଜନୈତିକ ସମୀକ୍ଷକଙ୍କ ପକ୍ଷରୁ କୁହାଯାଉଛି।
ରାଜନୈତିକ ସମୀକ୍ଷକ କହିଛନ୍ତି, ତେଜସ୍ୱୀ ଯାଦବ ନିଶ୍ଚିତ ଭାବରେ ସୂଚାଇ ଦେବାକୁ ଚେଷ୍ଟା କରିଛନ୍ତି ଯେ, ସେ କଂଗ୍ରେସର ବୁଝାମଣା ଉପରେ ଚାପ ପକାଇବାକୁ ଯାଉ ନାହାନ୍ତି ଏବଂ ସିଟ୍ ବାଣ୍ଟିବା ଉପରେ କୌଣସି ପ୍ରକାରର ଚାପ ରାଜନୀତିକୁ ଅନୁମତି ଦେବେ ନାହିଁ।
ଅଧିକ ପଢ଼ନ୍ତୁ: କେଜ୍ରିୱାଲ ଦିଲ୍ଲୀରେ ଜିତିବା ଆଶା ରହିଛି: କଂଗ୍ରେସ ନେତା