‘ହାତ’ ହାତରେ ହ୍ୟାଟ୍ରିକ୍ ଶୂନ: ସବୁ ଅଙ୍କ ଭୁଲ ହେଇଗଲା... ପୁଣି କଂଗ୍ରେସକୁ ଶୂନ ମିଳିଲା

ଅଦ୍ୟତନ ହୋଇଛି
AGAIN ZERO

Photograph: (Sambad.in)

ନୂଆଦିଲ୍ଲୀ: ଗଲା ଏଥର ବି ଗଲା... ‘ହାତ’ ହାତରୁ ଦିଲ୍ଲୀ ସୁଯୋଗ ବି ଗଲା । ୨୦୧୫ ପରେ ୨୦୨୦ ଆଉ ଏବେ ୨୦୨୫ରେ ବି ଦଳର ଦୁର୍ବଳତା କାରଣରୁ ‘ହାତ’ ପଛରେ ପଡିଛି ଆଉ ଶେଷରେ ହାରିଛି । ଲଗାତାର ୩ ଥର ପାଇଁ ପରାଜୟର ସ୍ବାଦ ଚାଖୁଥିବା କଂଗ୍ରେସ ଏତେ ଶୌଚନୀୟ ପ୍ରଦର୍ଶନ କରିଛି ଯେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କଂଗ୍ରେସ ଏଥର ବି ଖାତା ଖୋଲି ପାରିନି । ଆଉ ବିଜୟର କଥା ଉଠୁଛି କେଉଁଠୁ...

ଦିଲ୍ଲୀ ଦଖଲ ପାଇଁ ପ୍ରତିବର୍ଷ ୩ ପ୍ରମୁଖ ଦଳ ଦମଦାର ପ୍ରଦର୍ଶନ କରନ୍ତି, ଝାଳବୁହା ପ୍ରଚାର କରନ୍ତି, ରଣନୀତି ରଚନ୍ତି । ସିଂହାସନରେ ବସି ସରକାରକୁ ଫେରିବାକୁ କଂଗ୍ରେସ ବି ଉଦ୍ୟମ କରେ ହେଲେ ପ୍ରତିଥର ଫେଲ୍ ହୁଏ ଆଉ ଏଥର ବି କଂଗ୍ରେସ ଦିଲ୍ଲୀ ଛାତିରେ ଦମ୍ ଦେଖାଇଥିଲା, ପୂର୍ବ ପ୍ରସ୍ତୁତି ବି କରିଥିଲା ହେଲେ ଫଳ ଆସିବା ବେଳକୁ ସବୁକିଛି ଓଲଟପାଲଟ ହେଇଗଲା । ଦିଲ୍ଲୀବାସୀ ‘ହାତ’ରେ ଭୋଟ୍ ଦେବେକି ଦେବେନି ଭାବି ଭାବି ଶେଷରେ ଶୂନ ଦେଇଦେଲେ । ‘ହାତ’ ହାତରେ ପୁଣି ଶୂନ ଧରେଇଲେ । ଯାହା କଂଗ୍ରେସ ପାଇଁ ଚିନ୍ତାର ବିଷୟ ଏବଂ କର୍ମୀଙ୍କ ପାଇଁ ଲଜ୍ଜାଜନକ କଥା ।

ଦିଲ୍ଲୀରେ ମୋଟ ୭୦ ଆସନରୁ ୨୦୧୫ରେ କଂଗ୍ରେସ ଗୋଟିଏ ବି ଆସନରେ ଜିତି ନଥିଲା । ସେହିପରି ୨୦୨୦ରେ ବି କଂଗ୍ରେସ କମବ୍ୟାକ୍ କରିପାରିନଥିଲା, ଗତଥର ବି ଶୂନରେ ଶୋଇଥିଲା । ଆଉ ଏଥର ବି ୨୦୨୫ ନିର୍ବାଚନରେ ଶୂନରେ ଅଟକିଛି କଂଗ୍ରେସ । ଅର୍ଥାତ ଦିଲ୍ଲୀରେ ହାଟ୍ରିକ୍ ଥର ଶୂନରେ ହାରିଲାଣି କଂଗ୍ରେସ ।

ଦେଶର ସବୁଠାରୁ ପୁରୁଣା ଦଳ ଭାବେ ଜଣାଶୁଣା କଂଗ୍ରେସ ଦିଲ୍ଲୀରେ ୧୫ ବର୍ଷ ଶାସନ କରିଥିଲା । ୧୯୯୮ରୁ ୨୦୧୩ ଯାଏଁ ଦିଲ୍ଲୀରେ କଂଗ୍ରେସ ସରକାର ଥିବା ବେଳେ କେଜ୍ରିୱାଲଙ୍କ ଆଗମନରେ ଝାଡୁ ଝଡ ସୃଷ୍ଟି କରିଥିଲା ଏବଂ ଦିଲ୍ଲୀରେ କଂଗ୍ରେସର ଗଡ ଭାଙ୍ଗି AAPର ଦୁର୍ଗ ଗଢିଥିଲା ।

ତେବେ କଂଗ୍ରେସ ଖାଲି ୨୦୧୫, ୨୦୨୦ ନୁହେଁ ୨୦୨୫ରେ ବି ଗୋଟିଏ ବି ଆସନ ଦିଲ୍ଲୀରେ ଦଖଲ କରିପାରିବନି ବୋଲି ବିଭିନ୍ନ ସଂସ୍ଥା ଆକଳନ କରିଥିଲେ ଆଉ ସେହି ଏକଜିଟ୍ ପୋଲ ଆଜି ସତ ହୋଇଛି । ‘ହାତ’ ହାତରେ ୨୦୨୫ରେ ବି ଶୂନ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe