Image Source: Zee News
କୋଲକାତା: ହାଇକୋର୍ଟ ସାମ୍ନାରେ ଆଜି ହଟହଟା ହେଲେ ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ | ଦଳୀୟ ନେତାଙ୍କ ବିରୋଧରେ ମାମଲା ଲଢୁଥିବାରୁ ଖୋଦ କଂଗ୍ରେସ କର୍ମୀମାନେ ଆଜି ତାଙ୍କୁ ବିରୋଧ କରିଛନ୍ତି | ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟ ସାମ୍ନାରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି | କଂଗ୍ରେସ ନେତା ତଥା ଓକିଲ ପି ଚିଦାମ୍ବରମ କୋଲକାତା ହାଇକୋର୍ଟରେ କଂଗ୍ରେସ ଓକିଲଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଚିଦାମ୍ବରମ୍ ଏକ ଆଇନଗତ ମାମଲା ଲଢ଼ିବାକୁ କୋଲକାତା ହାଇକୋର୍ଟ ଆସିଥିଲେ। କୋର୍ଟ ପରିସର ବାହାରେ ତାଙ୍କ ବିରୋଧରେ ସ୍ଲୋଗାନ ଦିଆଯାଇଥିଲା ଏବଂ ତାଙ୍କୁ କଳା ପତାକା ମଧ୍ୟ ଦେଖାଯାଇଥିଲା। ସୂଚନା ମୁତାବକ ଏହି ପ୍ରତିବାଦ ଏତେ ମାତ୍ରାରେ ତେଜିଥିଲା ଯେ କଂଗ୍ରେସ ଓକିଲମାନେ ତାଙ୍କୁ ତୃଣମୂଳ କଂଗ୍ରେସର ଏଜେଣ୍ଟ ବୋଲି ମଧ୍ୟ କହିଛନ୍ତି।
ଏଥି ସହିତ ପଶ୍ଚିମବଙ୍ଗରେ ଦଳର ଖରାପ ପ୍ରଦର୍ଶନ ପାଇଁ ଆଇନଜୀବୀ ଚିଦାମ୍ବରମଙ୍କୁ ମଧ୍ୟ ଦାୟୀ କରିଛନ୍ତି। ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ମେଟ୍ରୋ ଡେରି ମାମଲାରେ ଚିଦାମ୍ବରମ ତାଙ୍କ ବିରୋଧରେ ଲଢ଼ିଥିଲେ | ଅର୍ଥାତ ଚିଦାମ୍ବରମ ପଶ୍ଚିମବଙ୍ଗ ସରକାରଙ୍କ ଓକିଲାତି କରି ଅଧୀର ରଞ୍ଜନଙ୍କ ବିରୋଧରେ ମାମଲା ଲଢ଼ିଥିଲେ |
ଆଉ ଏହାକୁ ସ୍ଥାନୀୟ କଂଗ୍ରେସ କର୍ମୀ ସହିପାରିନଥିଲେ | କଂଗ୍ରେସ ଦଳର ଜଣେ ବରିଷ୍ଠ ସଦସ୍ୟ ହୋଇ ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷଙ୍କ ବିରୋଧରେ ମାମଲା ଲଢ଼ିଥିବାରୁ ତାଙ୍କୁ କଳା ପତାକା ଦେଖାଇ ବିରୋଧ କରିଥିଲେ | କେବଳ ଏତିକି ନୁହେଁ ସେ ଟିଏମସିର ଜଣେ ଏଜେଣ୍ଟ ହୋଇସାରିଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଥିଲେ | ତେବେ ଏହି ଘଟଣାକୁ ନେଇ ଚିଦାମ୍ବରମଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |
Follow Us