OpIndia
ଲକ୍ଷ୍ନୌ : ଅଯୋଧ୍ୟାରେ ମସଜିଦ୍ ନିର୍ମାଣର ଉଦ୍ଘାଟନୀ ଉତ୍ସବରେ ଯୋଗ ନଦେବା ସଂକ୍ରାନ୍ତ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଟିପ୍ପଣୀକୁ ନେଇ ବିବାଦ ବଢ଼ିଛି। ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉତ୍ସବ ପରେ ଯୋଗୀ ଏକ ଟିଭି ଚ୍ୟାନେଲ୍ରେ ସାକ୍ଷାତକାର ଦେଇ କହିଥିଲେ ଯେ, ଜଣେ ଯୋଗୀ ଏବଂ ହିନ୍ଦୁ ଭାବେ ସେ ମସଜିଦ୍ ନିର୍ମାଣ ପାଇଁ ଉଦ୍ଘାଟନ ଉତ୍ସବକୁ ଯାଇ ପାରିବେନି। ତେବେ ଯୋଗୀଙ୍କର ଏହି ଟିପ୍ପଣୀ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ । ଯୋଗୀ ତାଙ୍କର ଏହି ଟିପ୍ପଣୀ ପାଇଁ ରାଜ୍ୟର ଲୋକଙ୍କଠାରୁ କ୍ଷମା ମାଗିବା ଉଚିତ୍ ବୋଲି ଯାଦବ କହିଛନ୍ତି। ସେହିପରି ସମାଜବାଦୀ ପାର୍ଟି ମୁଖପାତ୍ର ପୱନ ପାଣ୍ଡେ ଯୋଗୀଙ୍କ ଟିପ୍ପଣୀକୁ ସମାଲୋଚନା କରି କହିଛନ୍ତି ଯେ, ସେ ମୁଖ୍ୟମନ୍ତ୍ରୀ ଭାବେ ଯେଉଁ ଶପଥ ନେଇଥିଲେ ସେଥିରେ ସେ ଉଲ୍ଲଂଘନ କରିଛନ୍ତି। ତେବେ ସେ କେବଳ ହିନ୍ଦୁ ସମ୍ପ୍ରଦାୟର ନୁହେଁ ବରଂ ସମଗ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ଅଟନ୍ତି। ହିନ୍ଦୁ ହୁଅନ୍ତୁ କି ମୁସଲିମ୍ ସେ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ଜଣେ ମୁଖ୍ୟମନ୍ତ୍ରୀ ଏଭଳି ଭାଷା ବ୍ୟବହାର କରିବା ଦ୍ବାରା ସମ୍ମାନ ହାନି ହେଉଛି। ଏଭଳି ଭୁଲ୍ ପାଇଁ ସେ ଲୋକମାନଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ପାଣ୍ଡେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯୋଗୀ କହିଥିଲେ ଯେ ଜଣେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ମସଜିଦ୍ ଉଦ୍ଘାଟନ କାର୍ଯ୍ୟକ୍ରମକୁ ଯିବାକଥା ପଚରାଯାଏ ତେବେ କୌଣସି ବିଶ୍ବାସ, ଧର୍ମ ଏବଂ ସମ୍ପ୍ରଦାୟକୁ ନେଇ ତାଙ୍କର କିଛି ସମସ୍ୟା ନାହିଁ। କିନ୍ତୁ ଯଦି ଜଣେ ଯୋଗୀ ଭାବେ ପଚରାଯାଏ ତେବେ ସେ ଜଣେ ହିନ୍ଦୁ ଭାବେ ନିଶ୍ଚିତ ଭାବେ ଉକ୍ତ କାର୍ଯ୍ୟକ୍ରମକୁ ଯିବେନାହିଁ।
Follow Us