The New Indian Express
ନୂଆଦିଲ୍ଲୀ : କଂଗ୍ରେସ ସଭାପତି ନିର୍ବାଚନ ନେଇ ଦଳ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ୩ ଜଣ ବରିଷ୍ଠ ସାଂସଦ ଖୋଲାଖୋଲି ଦଳର ସଭାପତି ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଇଲେକ୍ଟୋରାଲ୍ ରୋଲ୍ (ନିର୍ବାଚକଙ୍କ ନାମତାଲିକା) ସାର୍ବଜନୀନ କରିବାପାଇଁ ସେମାନେ ଦାବି କରିଛନ୍ତି। କିନ୍ତୁ ଦଳ ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି। ଦଳ କହିଛି, ଏଭଳି ପ୍ରଥା ପୂର୍ବରୁ ନଥିଲା। ରବିବାର କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକରେ ଜି-୨୩ ନେତା ଆନନ୍ଦ ଶର୍ମା ଏନେଇ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟ ଜଣେ ନେତା ମନୀଷ ତିୱାରୀ ମଧ୍ୟ ବୁଧବାର ଦିନ ମୁକ୍ତ ଏବଂ ଅବାଧ ନିର୍ବାଚନ କଥା ଉଠାଇଥିଲେ। ତିୱାରୀଙ୍କ କଥାକୁ ଶଶି ଥରୁର ଏବଂ କାର୍ତ୍ତି ଚିଦମ୍ବରମ ସମର୍ଥନ କରିଛନ୍ତି। ଇତି ମଧ୍ୟରେ ଏଆଇସିସି ସାଧାରଣ ସଚିବ କେସି ବେଣୁଗୋପାଳ ଇଲେକ୍ଟୋରାଲ ରୋଲ୍ ସାର୍ବଜନୀନ କରିବା ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ଏକ ଆଭ୍ୟନ୍ତରୀଣ ପ୍ରକ୍ରିୟା ହୋଇଥିବାରୁ ଏହାକୁ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ସେ କହିଛନ୍ତି। ଆମକୁ ପୁରୁଣା ପରମ୍ପରାକୁ ହିଁ ଅନୁସରଣ କରିବାକୁ ପଡ଼ିବ ବୋଲି ବେଣୁଗୋପାଳ କହିଛନ୍ତି। ଉଲ୍ଲେଖଯୋଗ୍ୟ, ତିୱାରୀ ଗତକାଲି କହିଥିଲେ ଯେ ଇଲେକ୍ଟୋରାଲ୍ ରୋଲ୍ ସାର୍ବଜନୀନ ନହେଲେ ସ୍ବଚ୍ଛ ନିର୍ବାଚନ ସମ୍ଭବ ହୋଇପାରିବ ନାହିଁ। ତିୱାରୀଙ୍କୁ ସମର୍ଥନ କରି ଥରୁର ମଧ୍ୟ କହିଥିଲେ ଯେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ନିର୍ବାଚକଙ୍କ ସଂପର୍କରେ ତଥ୍ୟ ଉପଲବ୍ଧ ହେବା ଜରୁରୀ।
Follow Us