ଉପରାଷ୍ଟ୍ରପତି, ଆର୍‌ଏସ୍‌ଏସ୍‌ ‌ ନେତାଙ୍କ ‘ବ୍ଳୁ ଟିକ୍’ ହଟାଇ ବିବାଦରେ ଟ୍ବିଟର

Advertisment
ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ସମେତ ୫ ଜଣଙ୍କୁ ମିଳିବ ପଦ୍ମ ବିଭୂଷଣ, ୨୨ ଜଣଙ୍କୁ ମିଳିବ ପଦ୍ମ ଭୂଷଣ

The Tribune India

ନୂଆଦିଲ୍ଲୀ : ସରକାର ଓ ଟ୍ବିଟର୍‌ ମଧ୍ୟରେ ଲାଗି ରହିଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଇଟି ନିୟମ ପାଳନ ନେଇ କେନ୍ଦ୍ର ସରକାର ଆଜି ଟ୍ବିଟର୍‌କୁ ଚୂଡାନ୍ତ ନୋଟିସ ପଠାଇଥିବା ବେଳେ ଏହି ସଂସ୍ଥା ଆଜି ହଠାତ ଉପରାଷ୍ଟ୍ରପତି ‌ଭେଙ୍କିଆ ନାଇଡୁଙ୍କ ବ୍ୟକ୍ତିଗତ ହାଣ୍ଡେଲ୍‌ରୁ ‘ବ୍ଲୁ ଟିକ୍‌’ ହଟାଇଦେବା ଘଟଣା ଆହୁରି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। କେବଳ ଭେଙ୍କିଆ ନୁହନ୍ତି ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସମେତ ସଂଗଠନର ଆହୁରି ୪ ଜଣ ନେତାଙ୍କ ଆକାଉଣ୍ଟ୍‌ରୁ ମଧ୍ୟ ବ୍ଲୁ ଟିକ୍ ହଟିଯାଇଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହେବାପରେ ଟୁଇଟର ପକ୍ଷରୁ ପୁଣି ‘ବ୍ଲୁ ଟିକ୍’କୁ ଏହି ନେତାମାନଙ୍କ ହ୍ୟାଣ୍ଡଲରେ ଯୋଡ଼ି ଦିଆଯାଇଛି।

ଶନିବାର ସକାଳେ ଟ୍ବିଟର ପ୍ରଥମେ ଉପରାଷ୍ଟ୍ରପତି ନାଇଡ଼ୁଙ୍କ ବ୍ୟକ୍ତିଗତ ହାଣ୍ଡେଲରୁ ‘ବ୍ଲୁ ଟିକ୍’ ହଟାଇ ନେଇଥିଲା। ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏହାକୁ ନେଇ ଆପତ୍ତି ଉଠାଇବା ପରେ ବ୍ଲୁ ଟିକ୍ ଫେରିଥିଲା। ଏହି ଘଟଣାକୁ କିଛି ଘଣ୍ଟା ବିତି ନଥିବା ବେଳେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନ୍ୟ ଚାରି ଜଣ ବରିଷ୍ଠ ନେତାଙ୍କ ଆକାଉଣ୍ଟ୍‌ରୁ ମଧ୍ୟ ବ୍ଲୁ ଟିକ୍ ହଟାଯାଇଥିଲା। କିଛି ସମୟ ପରେ ପୁଣି ବ୍ଲୁ ଟିକ୍ ଫେରିଥିଲା।

ଏହି ଘଟଣା ନେଇ ଟ୍ବିଟର ପକ୍ଷରୁ ସଫେଇ ଦିଆଯାଇଛି ଯେ ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ହାଣ୍ଡେଲ୍‌ ନିଷ୍ଟ୍ରିୟ ରହିବାରୁ ବ୍ଲୁ ଟିକ୍ ହଟିଯାଇଥିଲା। ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଟ୍ବିଟର ଆକାଉଣ୍ଟ୍ ଏକ ବର୍ଷ ଧରି ନିଷ୍ଟ୍ରିୟ ଥିଲା। ଗତ ଛଅ ମାସ ଭିତରେ ଆକାଉଣ୍ଟ୍‌ରେ ଲଗ୍ ଇନ୍ କରାଯାଇନଥିଲା। ଆର୍‌ଏସ୍‌ଏସ୍‌ ନେତାଙ୍କ କ୍ଷେତ୍ର‌ରେ ଘଟିଥିବା ଘଟଣା ପାଇଁ କଂପାନି ସମାନ କାରଣ ଦର୍ଶାଇଛି। ଟ୍ବିଟର୍‌ର ଏଭଳି କାର୍ଯ୍ୟକୁ ସରକାର ଗମ୍ଭୀରତା ସହ ନେଇଛନ୍ତି। ସାମ୍ବିଧାନିକ ପଦର ଏହା ଅବମାନନା ବୋଲି କହିଛନ୍ତି। ଟ୍ବିଟର ଭାରତୀୟଙ୍କ ଧୈର୍ଯ୍ୟ ପରୀକ୍ଷା କରୁଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଉଛି।

ସୂଚନାଯୋଗ୍ୟ ଯେ ଯେଉଁ କଂପାନି ବା ବ୍ୟକ୍ତିଙ୍କ ଟ୍ବିଟ୍ ଅସଲି (ଭେରିଫାଏଡ୍‌) କେବଳ ସେହିମାନଙ୍କ ଆକାଉଣ୍ଟରେ‌ ‘ବ୍ଲୁ ଟିକ୍’ ଚିହ୍ନ ରହିଥାଏ। ବ୍ଲୁ ଟିକ୍ ଥିବା ଆକାଉଣ୍ଟ୍‌ ଅସଲି ବୋଲି ବିଚାର କରାଯାଏ। ବ୍ଲୁ ଟିକ୍‌କୁ ସମ୍ଭ୍ରାନ୍ତ ଓ ଲୋକପ୍ରିୟତାର ଏକ ପ୍ରତୀକ ଭାବେ ବିଚାର କରାଯାଉଛି।

ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟାଇବା ଲାଗି ଟ୍ବିଟର୍‌ର ସ୍ବତନ୍ତ୍ର ନୀତି ରହିଛି। ଛଅଟି କାରଣ ମଧ୍ୟରୁ ଯେକୌଣସି ଗୋଟିଏ କାରଣ ଥିଲେ କଂପାନି ବ୍ଲୁ ଟିକ୍ ହଟାଇ ପାରିବ। ଯଦି ଆକାଉଣ୍ଟ୍‌ର ୟୁଜର୍‌ନେମ୍ ପରିବର୍ତ୍ତନ କରାଯିବ, ଛଦ୍ମନାମ ବ୍ୟବହାର କଲେ କିମ୍ବା ଜାଣିଶୁଣି ବିଭ୍ରାନ୍ତୀ କରୁଥିଲେ, ଛଅ ମାସ ପର୍ଯ୍ୟନ୍ତ ଆକାଉଣ୍ଟ୍‌ ନିଷ୍ଟ୍ରିୟ ରହିଲେ, କଂପାନିର ସର୍ତ୍ତାବଳୀ ଉଲ୍ଲଂଘନ ‌ହେଲେ, ଆକାଉଣ୍ଟ୍‌ ଖୋଲିଥିବା ବ୍ୟକ୍ତିଙ୍କ ପଦବି ବଦଳିଗଲେ ଓ ଟୁଇଟ୍‌ଗୁଡ଼ିକ ଯଦି ସର୍ତ୍ତର ବାରମ୍ବାର ଉଲ୍ଲଂଘନ କରୁଥିବ ତେବେ କଂପାନି ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍ ହଟାଇ ପାରିବ।

କିଛି ଦିନ ପୂର୍ବେ ଶାସକ ଦଳର ସଦସ୍ୟମାନଙ୍କ କେତେକ ଟୁଇଟ୍‌କୁ ଟ୍ବିଟର୍‌ ପକ୍ଷରୁ 'ହେରଫେର ମିଡିଆ' ଭାବେ ବର୍ଗୀକରଣ କରାଯାଇଥିଲା। ସେହି ବର୍ଗୀକରଣକୁ ହଟାଇବା ଲାଗି ସରକାର କଂପାନିକୁ କହିଥିଲେ। ଏହି ଘଟଣାକୁ ନେଇ ଦିଲ୍ଲୀ ପୁଲିସରେ ମାମଲା ରୁଜୁ କରାଯାଇଥିଲା। ପୁଲିସ କଂପାନି କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ କରିବା ପରେ ଟ୍ବିଟର୍‌ ପକ୍ଷରୁ ଏହାର କଡ଼ା ସମାଲୋଚନା କରାଯାଇଥିଲା। ଭାରତ ସରକାର ପୁଲିସ ଜରିଆରେ ଧମକାଇବାକୁ ଉଦ୍ୟମ କରୁଛନ୍ତି ବୋଲି କଂପାନି ଅଭିଯୋଗ କରିଥିଲା। କେନ୍ଦ୍ର ସରକାର ଆଣିଥିବା ନୂଆ ଆଇଟି ନିୟମକୁ ମଧ୍ୟ ଟ୍ବିଟର ମାନୁନାହିଁ। ସେଥିପାଇଁ ମଧ୍ୟ ଉଭୟ ପକ୍ଷ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଆଇଟି ନିୟମ ପାଳନ କରିବା ଲାଗି କଂପାନିକୁ ଚୂଡ଼ାନ୍ତ ନୋଟିସ ଦିଆଯାଇଛି। ସେଥିରେ ବିଫଳ ହେଲେ କଂପାନି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe