India Today
ନୂଆଦିଲ୍ଲୀ : ରାଜଧାନୀ ନୂଆଦିଲ୍ଲୀରେ ବୁଧବାର ଦିନ ବିଚିତ୍ର ପରିସ୍ଥିତି ଦେଖିବାକୁ ମିଳିଛି। ନେସନାଲ ହେରାଲଡ୍ ଅର୍ଥ ହେରଫେର ମାମଲାରେ ତନାଘନା ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତକାଲି ହେରାଲଡ ଅଫିସ ସମେତ ୧୨ଟି ସ୍ଥାନରେ ଚଢ଼ଉ କରିଥିବା ବେଳେ ବୁଧବାର ଦିନ ହେରାଲ୍ଡ ଭବନକୁ ସିଲ୍ କରିଦେଇଛି। କେବଳ ଏତିକି ନୁହେଁ, କଂଗ୍ରେସ ମୁଖ୍ୟାଳୟ ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବାସଭବନକୁ ମଧ୍ୟ ଆଜି ସନ୍ଧ୍ୟାରୁ ପୁଲିସ ଘେରାଉ କରିଛି। ସଂପୃକ୍ତ ଅଞ୍ଚଳରେ ଅଭୂତପୂର୍ବ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଘଟଣାକୁ ନେଇ କଂଗ୍ରେସ ନେତାମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନେ ସଂସଦରେ ଏହି ପ୍ରସଙ୍ଗ ଉଠାଇବା ସହିତ ଅଭିଯୋଗ କରିଛନ୍ତି ଯେ କଂଗ୍ରେସକୁ ଘେରାବନ୍ଦୀରେ ରଖାଯାଇଛି। ତେବେ ସେମାନଙ୍କର ଦଳ କେନ୍ଦ୍ରର ନାଲିଆଖି ଆଗରେ ମୁଣ୍ଡ ନୁଆଁଇବ ନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଇଡି ଗତକାଲି ନେସନାଲ ହେରାଲ୍ଡ ଅଫିସରେ ଚଢ଼ଉ କରି ଛାନଭିନ୍ କରିଥିଲା। ବୁଧବାର ଦିନ ପୁଲିସ ଉପସ୍ଥିତିରେ ହେରାଲ୍ଡ ଭବନରେ ଥିବା ୟଙ୍ଗ ଇଣ୍ଡିଆନ୍ ଅଫିସକୁ ସିଲ୍ କରି ଦେଇଛି। ସେଠାରେ ବହୁସଂଖ୍ୟକ ପୁଲିସ ମୁତୟନ ହୋଇଛନ୍ତି। ଏସଂପର୍କରେ ଇଡିର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅଫିସକୁ ଅସ୍ଥାୟୀ ରୂପେ ସିଲ୍ କରାଯାଇଛି। ବୁଧବାର ଦିନ ଚଢ଼ଉ ପାଇଁ ଇଡି ଟିମ୍ ଆସିଥିଲା। କିନ୍ତୁ ହେରାଲ୍ଡର କୌଣସି କର୍ମକର୍ତ୍ତା ଉପସ୍ଥିତ ନଥିବାରୁ ଏହାକୁ ସିଲ୍ କରାଯାଇଛି। ହେରାଲଡ ଦାୟିତ୍ବରେ ଥିବା କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମନ୍ କରାଯାଇଛି। ସେ ଆସିଲେ ଅଫିସରେ ଛାନଭିନ୍ ପ୍ରକ୍ରିୟାକୁ ଶେଷ କରାଯିବା ପରେ ସିଲ୍ ଖୋଲି ଦିଆଯିବ।
The Economic Timesତେବେ କଂଗ୍ରେସ ମୁଖ୍ୟାଳୟ ଏବଂ ସୋନିଆ ଗାନ୍ଧୀଙ୍କ ୧୦ ଜନପଥ ରୋଡ ସ୍ଥିତ ବାସଭବନ ଆଗରେ ବହୁସଂଖ୍ୟାରେ ପୁଲିସର ଉପସ୍ଥିତି ଏବଂ ରାସ୍ତାାରେ ବ୍ୟାରିକେଡ୍ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଂଗ୍ରେସ ମୁଖ୍ୟାଳୟ ସାମନା ରାସ୍ତାକୁ ବ୍ୟାରିକେଡ କରାଯାଇଛି ଏବଂ ବାହାର ଲୋକଙ୍କୁ ଭିତରକୁ ଯିବାକୁ ଦିଆଯାଉ ନାହିଁ। ହଠାତ ଦିଲ୍ଲୀ ପୁଲିସ ଏଭଳି ପଦକ୍ଷେପ କାହିଁକି ନେଇଛି, ସେସଂପର୍କରେ କେହି ମୁହଁ ଖୋଲୁ ନାହାନ୍ତି। କୁହାଯାଉଛି ଯେ ହେରାଲଡ୍ ଅଫିସ ସିଲ୍ କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ଏଭଳି ପୁଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଆଉ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଆଜି ରାତିରେ ଇଡି ପକ୍ଷରୁ କଂଗ୍ରେସ ଅଫିସ ଏବଂ ସୋନିଆଙ୍କ ବାସଭବନରେ ଚଢ଼ଉ କରାଯାଇପାରେ।
ଖବର ପାଇ ଅନେକ କଂଗ୍ରେସ ନେତା ଏକ ବୈଠକ କରିଛନ୍ତି। ସେମାନେ ସରକାରଙ୍କର ଏଭଳି ପଦକ୍ଷେପର ସମାଲୋଚନା କରିଛନ୍ତି। ସଲମାନ ଖୁର୍ସିଦ, ଜୟରାମ ରମେଶ, ପବନ ବଂଶଲ, ପି. ଚିଦମ୍ବରମ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଅନେକ ନେତା ଏହି ବୈଠକରେ ଯୋଗ ଦେଇଛନ୍ତି।
ରମେଶ ଟୁଇଟ୍ କରି କହିଛନ୍ତି ଯେ ଦିଲ୍ଳୀ ପୁଲିସ କଂଗ୍ରେସ ମୁଖ୍ୟାଳୟ, ସଭାପତି ଏବଂ ପୂର୍ବତନ ସଭାପତିଙ୍କ ବାସଭବନକୁ ଘେରାଉ କରିଛି। କେନ୍ଦ୍ର ସରକାର କଂଗ୍ରେସକୁ ଡରାଉଛନ୍ତି। କିନ୍ତୁ ସରକାରଙ୍କର ଏଭଳି ପ୍ରତିଶୋଧମୂଳକ ରାଜନୀତିକୁ ଆମେ ଡରିବୁ ନାହିଁ। କଂଗ୍ରେସ ଏହି କାର୍ଯ୍ୟକୁ ରହସ୍ୟମୟ ବୋଲି କହିଛି।
ଉଲ୍ଲେଖଯୋଗ୍ୟ ଯେ ନେସନାଲ ହେରାଲ୍ଡ ମାମଲାରେ ଇଡି ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଜେରା କରିଛି। ଗତକାଲି ଇଡି ଏହି ମାମଲାରେ ନେସନାଲ ହେରାଲଡ୍ ଅଫିସ ସମେତ ମୋଟ୍ ୧୨ଟି ସ୍ଥାନରେ ଚଢ଼ଉ କରିଥିଲା।
Follow Us