India Today
ନୂଆଦିଲ୍ଲୀ: ଆଜି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରୁଥିବା ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ୍। ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ସଂସଦ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସଂସଦ ଅଭିମୁଖେ ବାହାରିଥିବା ବେଳେ ଦିଲ୍ଲୀ ପୁଲିସ୍ ସେମାନଙ୍କୁ ଏଥିପାଇଁ ଅନୁମତି ଦେଇ ନଥିଲା।
ପରେ ଛାତ୍ରଛାତ୍ରୀମାନେ ପୁଲିସ୍ ବାରଣକୁ ନମାନି ଏକ ବିରାଟ ଶୋଭାଯାତ୍ରାରେ ସଂସଦ ଅଭିମୁଖେ ବାହାରିଥିଲେ। ତେବେ, ମଝିବାଟରେ ପୁଲିସ୍ ଛାତ୍ରଛାତ୍ରୀମାନଙ୍କୁ ଅଟକାଇବା ସହ ଛାତ୍ରଛାତ୍ରୀମାନଙ୍କ ସହ ଧସ୍ତାଧସ୍ତି ଆରମ୍ଭ କରିଥିଲା।
India Todayତେବେ, ସବୁଠାରୁ ଲଜ୍ଜାଜନକ ଓ ଅଭାବନୀୟ ବିଷୟ ହେଲା ୧୦ରୁ ଉର୍ଦ୍ଧ୍ୱ ଜାମିଆର ମହିଳା ଛାତ୍ରୀଙ୍କ ଗୁପ୍ତାଙ୍ଗରେ ପୁଲିସ୍ ଅମାନବିକ ଭାବେ ମାଡ଼ ମାରିବା ସହ ସେମାନଙ୍କୁ ରକ୍ତାକ୍ତ କରିଥିଲା। ପୁଲିସ ମାଡ଼ରେ ଆହତ ହୋଇ ଛାତ୍ରୀମାନଙ୍କୁ ପ୍ରଥମେ ଜାମିଆ ହେଲଥ ସେଣ୍ଟରରେ ଭର୍ତ୍ତି କରା ଯାଇଥିଲା। ହେଲେ, ସେଠାରେ ସେମାନଙ୍କର ଅବସ୍ଥା ଉଦବେଗଜନକ ହେବାରୁ ସେମାନଙ୍କୁ ସାଇଫା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।
ସାଇଫା ହସ୍ପିଟାଲର ଡାକ୍ତରମାନେ ମଧ୍ୟ ଛାତ୍ରୀଙ୍କ ଗୁପ୍ତାଙ୍ଗରେ ମାଡ଼ ମରା ଯାଇଥିବା ଓ ସେମାନଙ୍କ ଅବସ୍ଥା ଉଦ୍ବେଗଜନକ ରହିଥିବା ଗଣମାଧ୍ୟମକୁ କହିଛନ୍ତି। ଛାତ୍ରୀମାନେ ପୁଲିସ୍ ସେମାନଙ୍କୁ ଲାଠିରେ ମାଡ଼ ମରିଥିବା ନେଇ ଅଭିଯୋଗ କରିବା ସହ ପିନ୍ଧିଥିବା ଯୋତାରେ ଛାତ୍ରୀମାନଙ୍କ ଗୁପ୍ତାଙ୍ଗକୁ ଗୋଇଠା ମାରି ସେମାନଙ୍କୁ ଆହତ କରିଥିବା ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ପୁଣି ଥରେ ସିଏଏକୁ ବିରୋଧ କରି ଆନ୍ଦୋଳନ କରୁଥିବା ଜାମିଆ ଛାତ୍ରଛାତ୍ରୀ ଓ ଦିଲ୍ଲୀ ପୁଲିସ ମଧ୍ୟରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି।
Follow Us