The Economic Times
ବେଜିଂ: ଚୀନରେ କରୋନାଜନିତ ମୃତ୍ୟୁସଂଖ୍ୟା ବହୁମାତ୍ରାରେ ବଢ଼ିଛି। ଏଥିଯୋଗୁ ଶଶ୍ମାନରେ ଶବ ସତ୍କାର ପାଇଁ ଅସମ୍ଭାଳ ଭିଡ଼ ହେଉଛି। ଏହାର ପରିଚାଳନା ପାଇଁ ବେଜିଂ ଶ୍ମଶାନ ବାହାରେ ପୁଲିସ ଓ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।
ପରିସ୍ଥିତି ଏଭଳି ହୋଇଛି ଯେ ସୋମବାର ବେଜିଂର ଡଙ୍ଗଜିଆଓ ଶ୍ମଶାନରେ ହଠାତ୍ ୧ ଡଜନ କଳା ମିନିଭ୍ୟାନ ମୃତକଙ୍କୁ ନେଇ ପ୍ରବେଶ କରିବା ପରେ ସାମ୍ବାଦିକମାନଙ୍କୁ ସୁରକ୍ଷାକର୍ମୀମାନେ ସେଠାରୁ ପଛକୁ ଠେଲି ଦେଇଥିଲେ। ଭ୍ୟାନରୁ ମୃତବ୍ୟକ୍ତିମାନଙ୍କୁ ଗଳେଇ ପକାଯାଉଥବାର ଦୃଶ୍ୟ ଦେଖିବାକୁ ମିଳିଥିବା କୁହାଯାଉଛି। ବିଦେଶୀ ଗଣମାଧ୍ୟମକୁ ଶ୍ମଶାନରେ କାର୍ଯ୍ୟରତ କର୍ମଚାରୀମାନେ ସୂଚନା ଦେଉଥିବାରୁ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ଅନ୍ୟପକ୍ଷରେ ଚୀନରେ ହେଉଥିବା ବାସ୍ତବ ମୃତ୍ୟୁସଂଖ୍ୟାକୁ ପ୍ରକାଶ କରାଯାଉ ନାହିଁ। ଡାକ୍ତରଖାନା, ଶ୍ମଶାନ ଏବଂ ସତ୍କାର କାର୍ଯ୍ୟ ସହ ଜଡ଼ିତ ବିଭିନ୍ନ ପ୍ରତିଷ୍ଠାନର ସର୍ଭେରୁ ଜଣାଯାଇଛି ଯେ ମୃତ୍ୟୁସଂଖ୍ୟା ବହୁମାତ୍ରାରେ ବଢ଼ିବା ଦ୍ବାରା ସତ୍କାର କାର୍ଯ୍ୟ ମଧ୍ୟ ବଢ଼ିଯାଇଛି। ଚୀନରେ କରୋନା ସଂକ୍ରମଣ ଦୁଇଗୁଣ ହେବା ଆଉ କିଛି ଦିନ କଥା ନୁହେଁ ବରଂ କିଛି ଘଣ୍ଟା ବୋଲି କିଛି ବିଶେଷଜ୍ଞ କହିଛନ୍ତି। ତେଣୁ ଚୀନ ଏବଂ ସାରା ବିଶ୍ବ ଗଭୀର ସଂକଟରେ ବୋଲି ଏରିକ ଫିଗିଲ୍-ଡିଙ୍ଗ କହିଛନ୍ତି।
ମହାମାରୀ ବିଶେଷଜ୍ଞଙ୍କ କହିବାନୁଯାୟୀ, ବେଜିଂରେ କରୋନା ସଂକ୍ରମଣରେ ମୃତବ୍ୟକ୍ତିଙ୍କ ସତ୍କାର କାର୍ଯ୍ୟ ଅବିରତ ଭାବେ ଚାଲିଛି। ଶବାଗାରରେ କ୍ଷମତାଠାରୁ ବହୁ ଅଧିକ ଶବ ରଖାଯାଇଛି। ବାତାନୁକୂଳ କଣ୍ଟେନର ଏଥିପାଇଁ ଆବଶ୍ୟକ। ୨୪ ଘଣ୍ଟା କାର୍ଯ୍ୟ ଚାଲିଥିଲେ ମଧ୍ୟ ୨୦୦୦ ଶବ ସତ୍କାର ଅପେକ୍ଷାରେ ରହିଛି। ୨୦୨୦ ବସନ୍ତ ଋତୁ ଭଳି ପରିସ୍ଥିତି ପୁଣି ଥରେ ଦେଖାଦେଇଛି। କିନ୍ତୁ ଏଥର ଚୀନରେ ପାଶ୍ଚାତ୍ୟ ଦେଶଭଳି ସଂକ୍ରମଣ ବଢ଼ିବାରେ ଲାଗିଛି। ଇବୁପ୍ରୁଫେନ ବଜାରରେ ଶେଷ ହୋଇଯାଇଛି। ତେଣୁ ଲୋକମାନେ ଏହାକୁ କିଣିବା ଲାଗି କାରଖାନାରେ ଭିଡ଼ ଲଗାଇଛନ୍ତି। ଚଳିତମାସରେ ଚୀନ ଏହାର ଲକଡାଉନ, ଟେଷ୍ଟିଂ ଏବଂ କ୍ବାରାଣ୍ଟିନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ଟେଷ୍ଟିଂ ଆବଶ୍ୟକତାକୁ ଉଠାଇ ଦିଆଯାଇଥିବାରୁ ଦେଶରେ କେତେମାତ୍ରାରେ ସଂକ୍ରମଣ ବଢ଼ୁଛି ତାହା ମଧ୍ୟ ମାପିବା କଷ୍ଟକର ହୋଇପଡ଼ିଛି।
Follow Us